ଭୁବନେଶ୍ୱର: କିଟ୍ କ୍ୟାମ୍ପସରେ ସ୍ୱାଭାବିକତା ସୁନିଶ୍ଚିତ କରିବା ଦିଗରେ କିଟ୍ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଫଳରେ ଏବେ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍କୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ହଷ୍ଟେଲ୍କୁ ଫେରିସାରିଲେଣି।
୧୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାକି ୧୦୦ ଛାତ୍ରଛାତ୍ରୀ ମଧ୍ୟ କ୍ୟାମ୍ପସ୍କୁ ଫେରୁଛନ୍ତି। ନେପାଳୀ ଛାତ୍ରଛାତ୍ରୀଙ୍କୁ ପୁନର୍ବାର କ୍ୟାମ୍ପସ୍କୁ ଫେରାଇ ଆଣିବା ଦିଗରେ ଓଡ଼ିଶା ସରକାର, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ ଓ ନେପାଳ ସରକାରଙ୍କ ସହଯୋଗ ପାଇଁ କିଟ୍ କର୍ତ୍ତୃପକ୍ଷ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
ତେବେ ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ଶୈକ୍ଷିକ କାର୍ଯ୍ୟକଳାପ ପାଇଁ କିଟ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ନେପାଳୀ ଛାତ୍ରଛାତ୍ରୀମାନେ ପୁଣି ଥରେ କ୍ଲାସ ଆରମ୍ଭ କରିଛନ୍ତି ଏବଂ ଶୈକ୍ଷିକ କାର୍ଯ୍ୟସୂଚୀରେ ସାମିଲ ହୋଇଥିବା ଜଣାପଡିଛି। ନିୟମିତ କ୍ଲାସଗୁଡ଼ିକ ବିନା କୌଣସି ବାଧାରେ ଜାରି ରହିଛି ଏବଂ ଛାତ୍ରଛାତ୍ରୀମାନେ ପୂର୍ବପରି ସେମାନଙ୍କର ପାଠ୍ୟକ୍ରମ ଏବଂ କ୍ୟାମ୍ପସ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଛନ୍ତି। ସେହିପରି ଛାତ୍ରଛାତ୍ରୀଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି।
Comments are closed.