ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ ଝିଅ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ସେ ବୁଧବାର ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଆବେଦନରେ ଶିବସେନା (UBT) ନେତା ଆଦିତ୍ୟ ଠାକରେଙ୍କ ବିରୋଧରେ ଏତଲା ଦେବା ସହ ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଏପରିକି ଦିଶାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଉଲ୍ଲେଖଯୋଗ୍ୟ, ଦିଶା ଜୁନ୍ ୮, ୨୦୨୦ରେ ମାଲାଡର ଏକ ବିଲ୍ଡିଂର ୧୪ ମହଲାରୁ ପଡ଼ି ମୃତ୍ଯୁବରଣ କରିଥିଲେ। ସେତେବେଳେ ମୁମ୍ବାଇ ପୋଲିସ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଭାବରେ ରିପୋର୍ଟ କରିଥିଲା। ଦିଶାଙ୍କ ବାପା ତଦନ୍ତକୁ ସନ୍ତୋଷଜନକ ବୋଲି ମଧ୍ଯ ବିବେଚନା କରିଥିଲେ। କିଛି ଦିନ ପରେ ଜୁନ୍ ୧୪, ୨୦୨୦ରେ, ସୁଶାନ୍ତ ସିଂହ ରାଜପୁତ ତାଙ୍କ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରେ ମୃତ୍ଯୁବରଣ କରିଥିଲେ। ସ୍ଥାନୀୟ ପୋଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା ବୋଲି କହିଥିବାବେଳେ ପରେ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।
ତେବେ ଦିଶାଙ୍କ ବାପାଙ୍କ ଆବେଦନ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇପଡିଛି। କ୍ୟାବିନେଟ୍ ମନ୍ତ୍ରୀ ନିତେଶ ରାଣେ କହିଛନ୍ତି ଯେ ଆଦିତ୍ୟ ଠାକରେ ବିଧାୟକ ପଦରୁ ଇସ୍ତଫା ଦେବା ଉଚିତ ଏବଂ ତଦନ୍ତର ସମ୍ମୁଖୀନ ହେବା ଉଚିତ। ସେ ଆହୁରି ମଧ୍ଯ କହିଛନ୍ତି ଯେ ମୁଁ ପ୍ରଥମ ଦିନରୁ କହିଆସୁଛି ଯେ ଦିଶା ସାଲିଆନଙ୍କୁ ହତ୍ୟା କରାଯାଇଛି। ଏପରିକି ତାଙ୍କ ବିଲ୍ଡିଂର ସିସିଟିଭି ଫୁଟେଜ୍ ନଷ୍ଟ କରିଦିଆଯାଇଥିଲା ବେଳେ ସୋସାଇଟିର ଭିଜିଟର୍ସ ରେଜିଷ୍ଟରର ପୃଷ୍ଠାଗୁଡ଼ିକୁ ମଧ୍ଯ ଚିରି ଦିଆଯାଇଥିଲା।
Comments are closed.