Latest Odisha News

BREAKING NEWS

କଂଗ୍ରେସର ରଣହୁଙ୍କାରରେ ଥରହର ଲୋୟର ପିଏମ୍‌ଜି, ୧୨ ପୋଲିସ ଆହତ

ଭୁବନେଶ୍ଵର: କଂଗ୍ରେସର ରଣହୁଙ୍କାର । ଲୋୟର ପିଏମ୍‌ଜିରେ ସ୍ଥିତି ନିୟନ୍ତ୍ରଣ ବେଳେ ୧୨ ପୋଲିସ ଆହତ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସିସିଟିଭି ଆଧାରରେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଡିସିପି ।

ଲୋୟର ପିଏମଜିରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ସ୍ଥିତି ଉପୁଜିଥିବା ବେଳେ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଉତ୍ୟକ୍ତ କଂଗ୍ରେସ କର୍ମୀମାନେ ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ କରିଥିଲେ ମାତ୍ର ଡ୍ରାଇଭରଙ୍କ ଯୋଗୁଁ ଏପରି କରିପାରିନଥିଲେ । ତେବେ ଏନେଇ ତଦନ୍ତ କରାଯିବ । ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କିଛି କର୍ମୀମାନଙ୍କୁ ଉଠାଇ ନେଇଛି ପୋଲିସ । ବର୍ତ୍ତମାନ ସ୍ଥିତି ଆୟତ୍ତ ଥିବା ବେଳେ ସିସିଟିଭି  ଆଧାରରେ ଏବେ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା ।

ତେବେ ବିଧାନସଭା ଘେରାଉ କରିବା ପାଇଁ ବାହାରି ରାଜଧାନୀ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ । ବିଏନଏସ ୧୪୬ ଧାରା ଲାଗିଥିଲେ ମଧ୍ୟ ଏକାସାଙ୍ଗରେ ଏତେ କଂଗ୍ରେସ କର୍ମୀଙ୍କ ଏକଜୁଟ ହୋଇଥିଲେ । ଏକାସାଙ୍ଗରେ ସେମାନଙ୍କୁ ରୋକିବାକୁ ଅସମର୍ଥ ହେବାରୁ ଲାଠିଚାର୍ଚ୍ଚ ସାଙ୍ଗକୁ ଆରମ୍ଭ କରି ପାଣି ମାଡ ଏବଂ ଟିୟର ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ଯାହାକୁ ନେଇ ମୁହାଁମୁହିଁ ହୋଇଥିଲେ କଂଗ୍ରେସ କର୍ମୀ ଏବଂ ପୋଲିସ୍ ।  ଲୋୟର ପିଏମ୍‌ଜିରେ ବ୍ୟାରିକେଡ୍‌ ଭାଙ୍ଗି କଂଗ୍ରେସ କର୍ମୀ ଧସେଇ ଫସି ବିଧାନସଭା ଅଭିମୁଖେ ଅଗ୍ରସର  ହେଉଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ପରିସ୍ଥିତିରେ ରଣକ୍ଷେତ୍ର ପାଲଟିଯାଇଛି ଲୋୟର ପିଏମ୍‌ଜି । ଏହାପରେ କଂଗ୍ରେସ କର୍ମୀ ପୋଲିସ୍ ଉପରକୁ ଟେକାପଥର ମାଡ଼ କରିବା ସହ ଅଣ୍ଡା, ଟମାଟୋ, ପାଣି ବୋତଲ ଏବଂ ଚେୟାର ଫିଙ୍ଗାଫିଙ୍ଗି କରିଥିଲେ ।

ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଲାଠି ଚାର୍ଚ୍ଚ ଆରମ୍ଭ କରିଥିଲା ପୋଲିସ୍ । ଗୋଡେଇ ଗୋଡେଇ ଉତ୍ୟକ୍ତ କଂଗ୍ରେସ କର୍ମୀଙ୍କୁ ପିଟିଛି । ସେପଟେ ବିଧାନସଭା ଅଭିମୁଖେ ଅଗ୍ରେସର ହେଉଥିବା କଂଗ୍ରେସ କର୍ମୀଙ୍କୁ ରୋକିବାକୁ ପ୍ରଥମେ ପାଣିମାଡ ଏବଂ ପରେ ଟିୟର ଗ୍ୟାସ ପ୍ରୟୋଗ କରିଛି ପୋଲିସ୍ । ସିଧାସଳଖ ବିରୋଧର ନେତୃତ୍ବ ନେଉଥିବା କିଛି ତୁଙ୍ଗ ନେତାମାଡ଼ଙ୍କୁ ଗିରଫ କରିଛି ପୋଲିସ । ପିସିସି ସଭାପତି ଭକ୍ତ ଚରଣ ଦାସ , ତାରା ବାହିନୀ ପତି, ବିଧାୟକ ପବିତ୍ର ସାଉଣ୍ଟା ଏବଂ ମହମ୍ମଦ ମୋକିମ୍ ସମେତ ଅନେକ ନେତାଙ୍କୁ ଉଠାଇ ନେଇଛି ପୋଲିସ୍ ।

 

 

Comments are closed.