Latest Odisha News

ନବୀନ ନିବାସରେ ରୋଚକ ଦୃଶ୍ୟ, ଭିତିରି ଖେଳ ବୁଝି ପାରିଲେନି ନେତା?

ଭୁବନେଶ୍ୱର: ପ୍ରଥମେ ଲୋକସଭା ଏବଂ ପରେ ରାଜ୍ୟସଭାରେ ପାରିତ ହୋଇଯାଇଛି ୱାକଫ (ସଂଶୋଧନ) ବିଲ୍ ୨୦୨୫ । ବିଜେପି ପାଖରେ ସଂଖ୍ୟା ବଳ ଥିବାରୁ ଏହି ବିଲକୁ ସହଜରେ ପାରିତ କରାଇବାରେ ସକ୍ଷମ ହୋଇଛନ୍ତି ମୋଦି ସରକାର। ହେଲେ ଏବେ ୱାକଫ ବଲିକୁ ନେଇ ଯେତିକି ଚର୍ଚ୍ଚା ହେଉନି, ଏହି ବିଲ ବିରୋଧରେ କିଏ ଭୋଟ ଦେଲା ଏବଂ ଏହା ସପକ୍ଷରେ କିଏ ଭୋଟ ଦେଲା ଏହାକୁ ନେଇ ପୂରା ଭାରତରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥିତି ଏମିତି ହେଲାଣି ଯେ ବିହାରରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ମଧ୍ୟ ଏବେ ଅକଳରେ ପଡ଼ିଛି। ଏହିକ୍ରମରେ ଓଡ଼ିଶା ରାଜନୀତିରେ ବି ହଟଚମଟ ଦେଖାଯାଇଛି। ଅନେକ ଏହି ୱାକଫ ବିଲ କ’ଣ ହୁଏତ ଜାଣିନଥିବେ। ହେଲେ ଏହାକୁ ନେଇ ବିଜେଡି ଭିତରେ ଯେଉଁଭଳିଭାବେ ହଲଚଲ ଦେଖା ଦେଇଛି, ତାହା ଓଡ଼ିଶା ବାସିଙ୍କୁ ଖୁବ୍ ରୋଚକ କରାଇଛି।

ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ପ୍ରମୁଖ ଗଣମାଧ୍ୟରେ ଗୋଟିଏ ଚର୍ଚ୍ଚା  ବିଜେଡିର କେଉଁ ସାଂସଦ ଏହି ବିଲ ବିପକ୍ଷରେ ଭୋଟ ଦେଇଛନ୍ତି ଆଉ କେଉଁ ସାଂସଦ ଏହା ସପକ୍ଷରେ ଭୋଟ ଦେଇଛନ୍ତି। ବିଭିନ୍ନ ସୁତ୍ରରୁ ଖବର ପାଇ ସବୁ ଗଣମାଧ୍ୟମ ଏହି ଚର୍ଚ୍ଚାକୁ ବ୍ୟାପକ କରାଉଛନ୍ତି। ଖାଲି ଏତିକି ନୁହେଁ ବିଜେଡି ଭିତରେ ଏପ୍ରକାର ଦ୍ୱନ୍ଦ୍ୱକୁ ନେଇ ଦଳର ଅନେକ ବିରଷ୍ଠ ନେତାମାନେ ଗଣମାଧ୍ୟମରେ ଅସୋନ୍ତଷ ପ୍ରକାଶ କରିଛନ୍ତି। ଏସବୁ ପରେ ଶୁକ୍ରବାର ସନ୍ଧ୍ୟାରେ ନବୀନ ନିବାସରେ ଯେଉଁ ଭାବେ ବିଜେଡିର ତୁଙ୍ଗ ନେତା ନବୀନଙ୍କୁ ଭେଟିବାକୁ ଗଲେ ହୁଏତ ବିଜେଡି ଇତିହାସରେ ଏମିତି କେବେ ହୋଇନଥିବ। ନେତାଙ୍କ ଠାଣି ବି କହୁଥିଲା ଅନେକ କଥା । ଲାଗୁଥିଲା ଯେମିତି ସେମାନେ ଆଜି ନବୀନଙ୍କୁ ସିଧା ସିଧା ପ୍ରଶ୍ନ କରିଦେବେ। ଆଉ ବୈଠକ ସରିବା ପରେ ନେତାମାନେ କଣ କହିବେ, ସେନେଇ ବେଶ୍ ଉତ୍ସୁକତାର ସହ ନବୀନ ନିବାସ ଗେଟ୍ ଆଗରେ ଅନେକ ସାମ୍ୱାଦିକ ଜଗି ବଶିଥିଲେ। ହେଲେ ନେତାଙ୍କ ପ୍ରତିକ୍ରିୟା ଶୁଣିବା ପରେ ସାମ୍ୱାଦିକମାନେ ବି ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ବୈଠକ ପରେ ବିରଷ୍ଠ ନେତାମାନଙ୍କ ଏତେ ନରମ ପ୍ରତିକ୍ରିୟା ତାହା ପୁଣି ବୁଲେଇ ବଙ୍କେଇ କହିବା, କିଛି ବୁଝା ପଡୁନଥିଲା।

ବିଜେଡି ପ୍ରଥମେ ପ୍ରଥମେ ୱାକଫ ବିଲକୁ ଦୃଢ଼ ଭାବେ ବିରୋଧ କରିଥିଲା। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସେପ୍ଟେମ୍ବର ୨୦୨୪ରେ ଘୋଷଣା କରିଥିଲେ ଯେ, ଏହି ବିଲ୍ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ “ଅସୁରକ୍ଷାର ଭାବନା” ସୃଷ୍ଟି କରୁଛି। ନଭେମ୍ବର ୨୦୨୪ରେ ବିଜେଡି ଏହି ବିଲ୍ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲା ଏବଂ ଅଭିଯୋଗ କରିଥିଲା ଯେ ମୁସଲିମ ସମ୍ପ୍ରଦାୟକୁ ଏହି ବିଲ୍ ପ୍ରସ୍ତୁତ କରିବା ପୂର୍ବରୁ ପରାମର୍ଶ କରାଯାଇ ନଥିଲା। ଏପ୍ରିଲ୍ ୨, ୨୦୨୫ରେ ମଧ୍ୟ ଦଳ ଘୋଷଣା କରିଥିଲା ଯେ ଦଳର ସାତ ଜଣ ରାଜ୍ୟସଭା ସାଂସଦ ଏହି ବିଲକୁ ବିରୋଧ କରିବେ। କିନ୍ତୁ ଏପ୍ରିଲ୍ ୩ରେ, ରାଜ୍ୟସଭାରେ ଭୋଟ ଗ୍ରହଣର ମାତ୍ର କିଛି ଘଣ୍ଟା ପୂର୍ବରୁ, ବିଜେଡିର ଆଭିମୁଖ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ବିଜେଡିର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଥିଲେ। ସେ କହିଥିଲେ ଯେ ଦଳ କୌଣସି ପାର୍ଟି ହ୍ୱିପ୍ ଜାରି କରିନାହିଁ ଏବଂ ସାଂସଦମାନଙ୍କୁ “ନିଜ ବିବେକ ଅନୁସାରେ” ଭୋଟ ଦେବାକୁ ଅନୁମତି ଦିଆଯାଇଛି। ଯାହା ଦଳର ନୀତିଗତ ଏକତା ଉପରେ ପ୍ରଶ୍ନ ଉଠାଇଥିଲା।

ରାଜ୍ୟସଭାରେ ଭୋଟ ଗ୍ରହଣ ସମୟରେ ବିଜେଡିର ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇପଡ଼ିଥିଲା। ସାଂସଦ ମୁଜିବୁଲ୍ଲା ଖାଁ ବିଲକୁ ତୀବ୍ର ବିରୋଧ କରିଥିଲେ ଏବଂ ମୁସଲିମ ସମ୍ପ୍ରଦାୟର ଅସନ୍ତୋଷ ଓ ଅଣ-ମୁସଲିମଙ୍କୁ ୱାକଫ ବୋର୍ଡରେ ସାମିଲ କରିବା ସମ୍ପର୍କିତ କଥା କହିଥିଲେ। କିନ୍ତୁ ସସ୍ମିତ ପାତ୍ର ବିଲର ସପକ୍ଷରେ ଭୋଟ ଦେଇଥିବା କଥା ଗଣମାଧ୍ୟମ ସାମ୍ନାରେ ରଖିଥିଲେ। ସେ କହିଥିଲେ ଯେ ଏହା ତାଙ୍କ ବ୍ୟକ୍ତିଗତ ବିବେକ ଅନୁସାରେ ହୋଇଛି। ଅନ୍ୟ ସାଂସଦମାନଙ୍କ ମଧ୍ୟରୁ ନିରଞ୍ଜନ ବିଶି ଓ ମାନସ ମଙ୍ଗରାଜ ସପକ୍ଷରେ ଭେଟ ଦେଇଥିବା କଥା କୁହାଯାଉଛି। ସେହିଭଳି ଶୁଭାଷିସ ଖୁଣ୍ଟିଆ ଓ ସୁଲତା ଦେଓ ବିପକ୍ଷରେ ଭୋଟ ଦେଇଛନ୍ତି ବୋଲି ବିଭିନ୍ନ ସୁତ୍ରରୁ ଜଣାପଡ଼ିଥିଲା। ଏହାସହ ଦେବାଶିଷ ସାମନ୍ତରାୟ ଭୋଟ ଦେଇ ନଥିଲେ। ଏପ୍ରକାର ବିଜେଡି ସାଂସଦଙ୍କ ଭିତରେ ବିଭାଜନ ଜାତୀୟ ଗଣମାଧ୍ୟମରେ ମଧ୍ୟ ଆଲୋଚନାର ଖୋରାକ ଯୋଗାଇଥିଲା।

ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ଘଟଣାକୁ “ଆଶ୍ଚର୍ଯ୍ୟଜନକ” ବୋଲି କହିଛନ୍ତି। ସେ କହିଛନ୍ତି ଯେ ସଂସଦୀୟ ଦଳର ବୈଠକରେ ବିଲକୁ ବିରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା, ଏବଂ ଏହା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମଧ୍ୟ ଥିଲା । ତେଣୁ “ବିବେକ ଅନୁସାରେ ଭୋଟ” ଦେବାର ନିଷ୍ପତ୍ତି କିଏ ଓ କେଉଁ ଆଧାରରେ ନେଲେ, ତାହା ଜଣାପଡୁନାହିଁ। ଏହା ଦଳ ଭିତରେ ନୀତି ନିର୍ଦ୍ଧାରଣରେ ଅସ୍ପଷ୍ଟତା ଓ ନେତୃତ୍ୱର ନିୟନ୍ତ୍ରଣ ଉପରେ ପ୍ରଶ୍ନ ଉଠାଇଛି। ଏହି ଘଟଣା ପରେ ରାଜ୍ୟ କଂଗ୍ରେସ ବିଜେଡି ଉପରେ ଖୁବ ବର୍ଷିଛି। କଂଗ୍ରେସ ଅଭିଯୋଗ କରିଛି ଯେ ବିଜେଡି ଓ ବିଜେପି ମଧ୍ୟରେ ଏକ “ଗୁପ୍ତ ମେଣ୍ଟ” ରହିଛି, ଏବଂ ଏହି ପରିବର୍ତ୍ତନ ତାହାର ପ୍ରମାଣ। କଂଗ୍ରେସ କହିଛି ଯେ ବିଜେଡି ଜନସାଧାରଣଙ୍କୁ ଭ୍ରମିତ କରି ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଅଭିନୟ କରୁଛି, କିନ୍ତୁ ପ୍ରକୃତରେ ବିଜେପି ସହ ମିଳିମିଶି କାମ କରୁଛି। ସେପଟେ ବିଜେପି ସାଂସଦ ବାବୁ ସିଂହ ଏହାକୁ “ବିଜେଡି ଭିତରେ ଅନ୍ତଃକଳହ” ବୋଲି କରିଛନ୍ତି। ବିଜେଡିର ଏପ୍ରକାର ଦ୍ୱନ୍ଦ୍ୱ ଅନେକଙ୍କୁ ଆଶ୍ଚର୍ଯ୍ୟ କରାଇଛି। ଅନେକ ରାଜନୈତିକ ବିଶେଷଜ୍ଞ କହିଛନ୍ତି ଏହା ଦଳ ପାଇଁ ଶୁଭଙ୍କର ନୁହେଁ। ଏହା  ଦଳର  ନୀତିଗତ ଅସ୍ପଷ୍ଟତା ଓ ନେତୃତ୍ୱଗତ ସଙ୍କଟକୁ ପ୍ରତିଫଳିତ କରୁଛି।

Comments are closed.