Latest Odisha News

BREAKING NEWS

ଆଇନଷ୍ଟାଇନ୍‌ଙ୍କ ସାପେକ୍ଷତା ସିଦ୍ଧାନ୍ତର ଚମତ୍କାର: ମହାକାଶରୁ ଦେଖାଗଲା ଦୁର୍ଲଭ ଦୃଶ୍ୟ

ଆଲବର୍ଟ ଆଇନଷ୍ଟାଇନ୍‌ଙ୍କୁ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ମଧ୍ୟରେ ଗଣାଯାଏ। ତାଙ୍କର ୨୦ଶ ଶତାବ୍ଦୀରେ ପ୍ରଦତ୍ତ ସାପେକ୍ଷତା ସିଦ୍ଧାନ୍ତ (General Theory of Relativity) ମହାକାଶବିଜ୍ଞାନରେ ଏକ ମାଇଲଖୁଣ୍ଟ। ଏହି ସିଦ୍ଧାନ୍ତର ସବୁଠାରୁ ବଡ଼ ପ୍ରମାଣ ହେଉଛି ‘ଗୁରୁତ୍ୱାକର୍ଷଣ ଲେନ୍ସିଂ’। ଏହି ଘଟଣାରେ ବଡ଼ ବଡ଼ ପିଣ୍ଡ ସ୍ପେସ୍ ଟାଇମକୁ ଏତେ ବଙ୍କା କରେ ଯେ ସେମାନେ ଆଲୋକକୁ ବିକୃତ କରନ୍ତି । ଏହାର ପ୍ରଥମ ପ୍ରମାଣ ୧୯୧୯ରେ ମିଳିଥିଲା, ଯେତେବେଳେ ଖଗୋଳବିଦ୍‌ମାନେ ସୂର୍ଯ୍ୟଗ୍ରହଣ ସମୟରେ ସୂର୍ଯ୍ୟ ନିକଟରେ ତାରାମାନଙ୍କୁ ସାମାନ୍ୟ ଖସିଯାଇଥିବା ଦେଖିଥିଲେ। ସୂର୍ଯ୍ୟର ଗୁରୁତ୍ୱାକର୍ଷଣ ଆଲୋକକୁ ମୋଡ଼ି ଦେଇଥିଲା।

କିନ୍ତୁ ଏହି ଘଟଣା କେବଳ ତାରାଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ। ଯେତେବେଳେ ଏକ ଦୂର ଆକାଶଗଙ୍ଗା କୌଣସି ବିଶାଳ ଆକାଶଗଙ୍ଗାର ଠିକ୍ ପଛରେ ଆସିଯାଏ, ତା’ର ଆଲୋକ ମୋଡ଼ି ହୋଇ ଏକ ବିକୃତ ପ୍ରତିବିମ୍ବ ସୃଷ୍ଟି କରିପାରେ। କୌଣସି ସମୟରେ ଯଦି ଏହା ଧାଡ଼ିରେ ରହିଥାଏ, ତେବେ ଏହି ଆଲୋକ ଏକ ପୂର୍ଣ୍ଣ ବୃତ୍ତ ସୃଷ୍ଟି କରେ, ଯାହାକୁ ‘ଆଇନଷ୍ଟାଇନ୍ ରିଙ୍ଗ୍’ କୁହାଯାଏ।

ଆଇନଷ୍ଟାଇନ୍‌ଙ୍କ ସନ୍ଦେହ, ଆଧୁନିକ ବିଜ୍ଞାନର ଚମତ୍କାର

୧୯୩୬ରେ ଆଇନଷ୍ଟାଇନ୍ ନିଜେ କହିଥିଲେ, “ଏହି ଘଟଣାକୁ ସିଧା ଦେଖିବା ସମ୍ଭବ ନୁହେଁ” କିନ୍ତୁ ସେ ଆଧୁନିକ ଦୂରବୀକ୍ଷଣ ଯନ୍ତ୍ରର ଶକ୍ତିକୁ କମ୍ ଆଙ୍କିଥିଲେ। ଆଜି ଆମେ ଅନେକ ‘ଆଇନଷ୍ଟାଇନ୍ ରିଙ୍ଗ୍’ ଆବିଷ୍କାର କରିସାରିଛୁ। ଏହାର ଏକ ଅଦ୍ଭୁତ ଉଦାହରଣ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ (JWST) ନିକଟରେ ଛବିରେ କଏଦ୍ କରିଛି।

JWSTର ଏହି ଛବିରେ ଫୋରଗ୍ରାଉଣ୍ଡରେ SMACS J0028.2-7537 ନାମକ ଏକ ବିଶାଳ ଅଣ୍ଡାକାର ଆକାଶଗଙ୍ଗା ସମୂହ ରହିଛି, ଯାହା ‘ଲେନ୍ସ’ ଭାବେ କାମ କରୁଛି। ବ୍ୟାକଗ୍ରାଉଣ୍ଡରେ ଆମ ମିଲ୍କି ୱେ ପରି ଏକ ଆକାଶଗଙ୍ଗା ରହିଛି, ଯାହା ଅରବ ଅରବ ପ୍ରକାଶ-ବର୍ଷ ଦୂରରେ ଅବସ୍ଥିତ। ଏହା ଏତେ ସଠିକ୍ ଭାବେ ଧାଡ଼ି ହୋଇ ରହିଛି ଯେ ତା’ର ଆଲୋକ ଏକ ପ୍ରାୟ ପୂର୍ଣ୍ଣ ବୃତ୍ତରେ ପରିଣତ ହୋଇଛି।

ଏହା କାହିଁକି ଏତେ ଦୁର୍ଲଭ?

ଏପରି ସଠିକ୍ ଧାଡ଼ି ହୋଇ ରହିବା ଅତ୍ୟନ୍ତ ବିରଳ। ଏହା କେବଳ ଦୂରତା କାରଣରୁ ନୁହେଁ, ବରଂ ପୃଥିବୀରୁ ଆମର ଦୃଷ୍ଟିକୋଣ ଉଭୟ ଆକାଶଗଙ୍ଗା ସହିତ ସଂପୂର୍ଣ୍ଣ ସିଧାରେ ରହିବା ଆବଶ୍ୟକ। ଯଦି ଆମେ ଅନ୍ୟ କୌଣସି ଆକାଶଗଙ୍ଗାରୁ ଏହାକୁ ଦେଖୁଥାନ୍ତୁ, ତେବେ ଏହି ଅଦ୍ଭୁତ ଦୃଶ୍ୟ ଆମେ ଦେଖି ପାରି ନଥାନ୍ତୁ।

ଆଇନଷ୍ଟାଇନ୍‌ଙ୍କ ଦୂରଦୃଷ୍ଟିର ପ୍ରମାଣ

ଏହି ଆବିଷ୍କାର ଆଇନଷ୍ଟାଇନ୍‌ଙ୍କ ସାପେକ୍ଷତା ସିଦ୍ଧାନ୍ତର ଶକ୍ତିକୁ ପୁଣି ଥରେ ପ୍ରମାଣ କରିଛି। ତାଙ୍କ ଭବିଷ୍ୟବାଣୀ ଯେ ଗୁରୁତ୍ୱାକର୍ଷଣ ଆଲୋକକୁ ମୋଡ଼ିପାରେ, ତାହା ଆଜି ଜେମ୍ସ ୱେବ୍ ପରି ଅତ୍ୟାଧୁନିକ ଟେଲିସ୍କୋପ ମାଧ୍ୟମରେ ସତ ପ୍ରମାଣିତ ହୋଇଛି। ଏହି ‘ଆଇନଷ୍ଟାଇନ୍ ରିଙ୍ଗ୍’ କେବଳ ଏକ ଖଗୋଳୀୟ ଦୃଶ୍ୟ ନୁହେଁ, ବରଂ ମାନବ ବିଜ୍ଞାନର ଅସୀମ ସମ୍ଭାବନାର ପ୍ରତୀକ।

 

Comments are closed.