ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଆଦମପୁର ଏୟାରବେସରେ ସେନା ଯବାନମାନଙ୍କୁ ଭେଟିଥିଲେ। ଏହାର ଏକ ଦିନ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ମଧ୍ୟ ତାଙ୍କ ସେନା ସହ ଦେଖା କରିବା ପାଇଁ ସିଆଲକୋଟର ପାସରୁର ଆର୍ମୀ କ୍ୟାଣ୍ଟନମେଣ୍ଟରେ ପହଞ୍ଚିଥିଲେ। ଶେହବାଜ ଏହି ସମୟରେ ଚ୍ୟାଙ୍କର ଉପରେ ଚଢ଼ି ସେନାକୁ ସମ୍ବୋଧିତ କରିଥିବାର ଦେଖିବାକୁ ମିଳିଥିଲା। ଏବି ସମୟପେ ଲେ କହିଥିଲେ, “ମୁଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆପଣମାନଙ୍କ ନେତୃତ୍ବ ଉପରେ ଗର୍ବ ଅନୁଭବ କରୁଛି। ଯେତେବେଳେ ଆମର ଶତ୍ରୁ ଆଗକୁ ବଢ଼ିବାର କଥା କହେ, ସେନା ମୁଖ୍ୟ ମୋତେ କହନ୍ତି ଯେ ମୁଁ ଏପରି ଜବାବ ଦେବି ଯେ ଅବସର ନେବା ପରେ ବହିରେ ବୀରତ୍ୱର କାହାଣୀ ଲେଖିବି।”
ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଉପସ୍ଥିତି
ଶେହବାଜଙ୍କ ସହ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ଏବଂ ଏୟାର ମାର୍ଶାଲ ଜହୀର ଅହମଦ ବାବର ମଧ୍ୟ ଉପସ୍ଥିତ ଥିଲେ। ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ଅନ୍ୟ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ସହ ମଧ୍ୟ ପାସରୁର ଆର୍ମୀ କ୍ୟାଣ୍ଟନମେଣ୍ଟରେ ପହଞ୍ଚିଥିଲେ। ଶେହବାଜ ଧମକପୂର୍ଣ୍ଣ ସ୍ବରରେ କହିଥିଲେ, “ଯଦି ଭାରତ ପାକିସ୍ତାନର ପାଣି ବନ୍ଦ କରେ, ତେବେ ରକ୍ତ ଓ ପାଣି ଏକାସାଙ୍ଗରେ ବହିବ ନାହିଁ। ପାଣି ଆମର ଅଧିକାର।”
ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଥିଲା। ଏହାର ଜବାବରେ ପାକିସ୍ତାନ ଭାରତର ଅନେକ ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା (ଏୟାର ଡିଫେନ୍ସ ସିଷ୍ଟମ) ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଦେଇଥିଲା। ଭାରତୀୟ ସେନା ପ୍ରତିଆକ୍ରମଣ କରି ପାକିସ୍ତାନକୁ ଗୁରୁତର କ୍ଷତି ପହଞ୍ଚାଇଥିଲା। ତେବେ, ଉଭୟ ଦେଶ ମଧ୍ୟରେ ଏକ ଯୁଦ୍ଧବିରାମ (ସିଜଫାୟାର) ଉପରେ ମଧ୍ୟ ସହମତି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦମପୁର ଏୟାରବେସ ଗସ୍ତ ପରେ ଶେହବାଜ ଶରୀଫଙ୍କ ପାସରୁର ଆର୍ମୀ କ୍ୟାଣ୍ଟନମେଣ୍ଟ ଗସ୍ତ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଛି। ଶେହବାଜ ମୋଦୀଙ୍କୁ ଅନୁକରଣ କରିବାକୁ ପୂରା ଚେଷ୍ଟା କରିଥିବା ଦେଖାଯାଇଛି। ସେ ଟ୍ୟାଙ୍କର ଉପରେ ଚଢ଼ି ସେନାକୁ ସମ୍ବୋଧିତ କରିଥିଲେ ଏବଂ କଥିତ ବୀରତ୍ୱର ଜୟଗାନ କରିଥିଲେ। ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ହୋଇଛି, ଯେଉଁଠାରେ ଅନେକେ ଏହାକୁ ମୋଦୀଙ୍କ ଅନୁକରଣ ଭାବେ ବର୍ଣ୍ଣନା କରିଛନ୍ତି।
Comments are closed.