Latest Odisha News

BREAKING NEWS

ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଜେପି ଆନ୍ଦୋଳନ ଏବଂ ସମାବେଶକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, କକ୍‌ରୋଚ୍ ଜନତା ପାର୍ଟି ର ସମର୍ଥକମାନେ ଯେପରି ଦିଲ୍ଲୀ ମୁହାଁ ନ ହୁଅନ୍ତି ସେନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ।

କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକ ମାନଙ୍କୁ ପଠାଇଥିବା ଏକ ନିର୍ଦ୍ଦେଶନାମାରେ ଏହି ପ୍ରସ୍ତାବିତ ପ୍ରଦର୍ଶନର ଆଇନଗତ ଏବଂ ଶୃଙ୍ଖଳାଗତ ପରିସ୍ଥିତି ସମ୍ପର୍କରେ ସତର୍କ କରାଇ ଦେଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ସିଜେପି ର ଏହି ସମାବେଶ ପାଇଁ ଦିଆଯାଇଥିବା ଅନୁମତି ଆବେଦନକୁ ପୂର୍ବରୁ ଖାରଜ କରାଯାଇସାରିଛି। ଗୃହ ମନ୍ତ୍ରଣାଳୟର କହିବାନୁଯାୟୀ, ଗୁପ୍ତଚର ବିଭାଗର ରିପୋର୍ଟରୁ ଜଣାପଡିଛି ଯେ , ସିଜେପି ଏବଂ ଏହାର ସମର୍ଥକମାନେ ସମସ୍ତ ନିଷେଧାଦେଶକୁ ଖାତିର ନକରି ବିଭିନ୍ନ ରାଜ୍ୟରୁ ଦିଲ୍ଲୀରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି।

ପୂର୍ବରୁ ଏଭଳି ଆନ୍ଦୋଳନ ଓ ବିକ୍ଷୋଭ ସମୟରେ ବ୍ୟାପକ ସାର୍ବଜନୀନ ସମ୍ପତ୍ତି ନଷ୍ଟ ହୋଇଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା କରିବାକୁ ରାଜ୍ୟଗୁଡ଼ିକୁ ଦିଲ୍ଲୀ ପୋଲିସ ସହ ସମନ୍ୱୟ ରକ୍ଷା କରି ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଆଇନ ଶୃଙ୍ଖଳା ରକ୍ଷା କରିବା ଏକ ଅତି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ଦାୟିତ୍ୱ ଏବଂ ଏଥିରେ କୌଣସି ସାଲିସ୍ କରାଯିବ ନାହିଁ।ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇଛି। ଦିଲ୍ଲୀ ଅଭିମୁଖେ ଆସୁଥିବା ଏବଂ ଯାଉଥିବା କିଛି ଟ୍ରେନ ଗୁଡ଼ିକୁ ମଧ୍ୟ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ଗୁପ୍ତଚର ବିଭାଗ, ଯାତାୟାତ କର୍ତ୍ତୃପକ୍ଷ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ କ୍ରମାଗତ ଭାବେ ରିଅଲ-ଟାଇମ୍ ସୂଚନା ଆଦାନପ୍ରଦାନ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ସାଧାରଣ ଜନଜୀବନକୁ ସୁରକ୍ଷା ଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.