Latest Odisha News

BREAKING NEWS

ଜଙ୍ଗଲ: ସରକାର ବନାମ ଆଦିବାସୀ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର...

ଦିଲ୍ଲୀ ବା ଭୁବନେଶ୍ୱେରରୁ ଲୋକମାନଙ୍କ ପାଇଁ ତିଆରି କରାଯାଉଥିବା ବିକାଶ ଯୋଜନା ଓ ଲୋକମାନେ ନିଜ ପାଇଁ ଭାବୁଥିବା ବିକାଶର ପରିକଳ୍ପନା ଭିତରେ ଆକାଶ ପାତାଳ ତଫାତ୍ ଅଛି ବୋଲି ପୁଣି ଥରେ ପ୍ରମାଣିତ ହୋଇଛି ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍ର ଟଭାପଦର ଗାଁ’ର ଗୋଟେ ଘଟଣାରୁ । ସରକାର ଭାବୁଥିବା ବିକାଶ ଓ ଲୋକମାନେ ଚାହୁଁଥିବା ବିକାଶ, ଏହି ଦୁଇଟି ସମାନ୍ତରାଳ ଭାବେ ଗତି କରୁଛନ୍ତି ଅନେକ ଦିନରୁ । କେହି କାହାକୁ ଭେଟୁନାହାଁନ୍ତି କେଉଁଠି ବି । ଅସଲରେ ସରକାର ତିଆରି କରୁଥିବା ବିକାଶ ଯୋଜନା ଲୋକମାନଙ୍କ ଜୀବନ ଜୀବିକାକୁ ସମୂଳେ ଉଜାଡ଼ି ଦେଉଛି । ବହୁତ କମ୍ ଲୋକ ଏହା ବିରୁଦ୍ଧରେ ସ୍ୱର ଉତୋଳନ କରୁଛନ୍ତି ଓ ଯେତିକି ବି ଲୋକ ସ୍ୱର ଉତୋଳନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ କମ୍ ଲୋକ ଏଥିରେ ସଫଳ ହେଉଛନ୍ତି । କିନ୍ତୁ ସରକାରଙ୍କ ଅଦୂରଦର୍ଶୀ ବିକାଶ ଯୋଜନା ବିରୁଦ୍ଧରେ ପ୍ରଶ୍ନ ଉଠାଇବା ହିଁ ଆଜିର ସମୟରେ ଅତ୍ୟନ୍ତ ଆବଶ୍ୟକୀୟ ହୋଇଉଠିଛି । ନଚେତ୍ ଜିଡିପି ଓ ଅର୍ଥନୈତିକ ଅଭିବୃଦ୍ଧି ଚକ୍କରରେ ସାଧାରଣ ଲୋକମାନେ କେବଳ ବଳି ପଡ଼ିଚାଲିଥିବେ ।

ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ୍ର ଛୋଟିଆ ଗାଁ’ ଟିଏ ଟଭାପଦର । ବତିଶ୍ଟି ଆଦିବାସୀ ପରିବାର ବସବାସ କରନ୍ତି ସେଠାରେ । ନିଜ ଜମି, ଗୁଡ଼ିଆ, ଡଙ୍ଗର ଓ ଜଙ୍ଗଲକୁ ନେଇ ଚାଲେ ସେମାନଙ୍କ ସଂସାର । ଅଧିକାଂଶ କାମରେ ସେମାନଙ୍କର ଲୋଡ଼ା ପଡ଼େନି ସରକାର । କେବଳ ଯାହା ଟଙ୍କିକିଆ ଚାଉଳ ଆଣିବା ବେଳକୁ ସେମାନେ ଯାଆନ୍ତି ସରକାରୀ ଦୋକାନକୁ । ବାକି ସରକାରୀ ଯୋଜନା ସବୁକୁ ହାତ ପାଏନି ସେମାନଙ୍କର । ବାକି ସବୁ ଆବଶ୍ୟକତା ସେମାନଙ୍କର ମେଂଟିଯାଏ ଗାଁ’ର ଜଙ୍ଗଲ ଓ ଡଙ୍ଗର ଜମିରୁ । କେମିତି କେଜାଣି ହଠାତ୍ ଦିନେ ସରକାରଙ୍କର ଟଭାପଦର ଗାଁ’ର ବିକାଶ କଥା ମନେ ପଡ଼ିଲା କି କ’ଣ, ଜଙ୍ଗଲ ବିଭାଗର ଫରେଷ୍ଟର ପହଂଚିଲେ ଟଭାପଦର ଗାଁ’ରେ । ଉଦ୍ଦେଶ୍ୟ ଥିଲା ଟଭାପଦର ଗାଁ’ର ପତଳା ହୋଇଆସୁଥିବା ଜଙ୍ଗଲରେ ବୃକ୍ଷରୋପଣ କରିବା । ଜଙ୍ଗଲକୁ ପୁନର୍ଜୀବିତ କରିବା ତଥା ନୁଆ ଜଙ୍ଗଲ ସୃଷ୍ଟି କରିବା । ଏହା କାନକୁ ଶୁଭୁଥିବା ଗୋଟେ ସୁନ୍ଦର କଥା । କିନ୍ତୁ ଅସଲରେ କଥାଟି ଏତେ ସରଳ ଓ ସିଧା ନୁହେଁ । ଏଇଠି ହିଁ ଲୁଚିରହିଛି ଲୋକମାନଙ୍କ ବୁଝାମଣା ଓ ସରକାରଙ୍କ ବୁଝାମଣା ଭିତରେ ଆକାଶ ପାତାଳ ଫରକ୍ ।

ଲୋକମାନଙ୍କ କାନରେ ପଡ଼ିଲା ଜଙ୍ଗଲରେ ବୃକ୍ଷରୋପଣ କଥା । କେତେଜଣ ଯାଇ କଥା ହେଲେ ଫରେଷ୍ଟରଙ୍କ ସହ । ଫରେଷ୍ଟରଙ୍କ ଲକ୍ଷ ଥିଲା ଜଙ୍ଗଲରେ ଇଉକାଲିପ୍ଟସ୍ ଓ ଶାଗୁଆନ୍ ବୃକ୍ଷ ରୋପଣ କରାଯାଇ ଟଭାପଦର ଜଙ୍ଗଲକୁ ପୁନରୁଦ୍ଧାର କରିବା । ଯାହା ଭବିଷ୍ୟତରେ ଲୋକମାନଙ୍କ କାମରେ ଆସିବ ବୋଲି ଫରେଷ୍ଟର ଯୁକ୍ତି ବାଢ଼ୁଥିଲେ । ବିଭିନ୍ନ ପ୍ରକାର ମିଠା କଥା କହି ଫରେଷ୍ଟର ଲୋକମାନଙ୍କୁ ବୁଝେଇବାକୁ ଚେଷ୍ଟା କଲେ । ହେଲେ ଫରେଷ୍ଟରଙ୍କ କଥା ଶୁଣି ଆଶଙ୍କା ଖେଳିଗଲା ଲୋକଙ୍କ ମନରେ । ଅଳ୍ପ କେଇକ୍ଷଣ ମଧ୍ୟରେ ଲୋକମାନେ କଥା ହୋଇଗଲେ ନିଜ ନିଜ ଭିତରେ ଓ ଶେଷରେ ଫରେଷ୍ଟରଙ୍କୁ ସିଧା ସିଧା ଶୁଣେଇ ଦେଲେ ସେମାନଙ୍କର ନିଷ୍ପତି । ଆମ ଜଙ୍ଗଲରେ କେବେ ବି ଲଗେଇବାକୁ ଦେବୁ ନାହିଁ ସେସବୁ ଗଛ । ଫରେଷ୍ଟର ଅନେକ ଯୁକ୍ତି କରି ବୁଝେଇବାକୁ ଚେଷ୍ଟା କଲେ ସେମାନଙ୍କୁ । ହେଲେ ଟଭାପଦର ଗାଁ’ର ଲୋକମାନେ ନଛୋଡ଼ନ୍ଧା ଥିଲେ । ସେମାନେ ବୁଝିଯାଇଥିଲେ ସରକାର ବୃକ୍ଷରୋପଣ ନାଁ’ରେ ଏହି ଯେଉଁ ବିକାଶ ଯୋଜନା ଆଣି ଆସିଛନ୍ତି, ଏହା ସେମାନଙ୍କ ଜୀବନ ଜୀବିକାକୁ ସମୂଳେ ଉଜାଡ଼ି ଦେବ । ଏଥିରେ ସରକାରଙ୍କର କ’ଣ ଲାଭ ହେବ କେଜାଣି, କିନ୍ତୁ ଟଭାପଦର ଗାଁ ଲୋକମାନଙ୍କର ଯେ କିଛି ବି ଲାଭ ହେବନି, ଏକଥା ସେମାନେ ବୁଝି ଯାଇଥିଲେ । ଇଉକାଲିପ୍ଟସ ଓ ଶାଗୁଆନ କେତେ ଦାମୀ ଗଛ ଓ ଏହା ଦ୍ୱାରା ସେମାନେ କିପରି ଲାଭବାନ ହେବେ, ଏକଥା ବୁଝାଇବାକୁ ଚେଷ୍ଟା କଲା ଫରେଷ୍ଟର । ପୁରୁଷମାନେ ଉତର ଦେବା ପୂର୍ବରୁ ପ୍ରଥମେ ଉତର ଫେରେଇଲେ ମହିଳା ମାନେ । ପଚାଶ ବର୍ଷର ଲାନ୍ଦି ସିକୋକା କହିଲା ଆମ ଜଙ୍ଗଲରେ ତୁମ ସେ ଇଉକାଲିପ୍ଟସ୍ ଓ ଶାଗୁଆନ ଲାଗିଲେ ସେଥିରୁ ଆମେ କ’ଣ ପାଇବୁ? ଏବେ ଆମ ଜଙ୍ଗଲରେ ଆମ୍ବ, ପଣସ, ଜାମ୍ବ, ମହୁଲ, କେନ୍ଦୁ ଆଦି ଗଛ ଅଛି । ଆମ ପିଲାମାନେ ସେଥିରୁ କେତେ ପ୍ରକାର ଫଳ ପାଉଛନ୍ତି । ଆମେ ସକାଳୁ ଉଠି ଜଙ୍ଗଲ ଯାଇ ବରଡା ଶାଗ, ଗନ୍ଦିରି ଶାଗ, ଚାକୁଣ୍ଡା ଶାଗ ଆଦି କେତେ ପ୍ରକାର ଶାଗ, ପିତା କନ୍ଦା, କାଠ କନ୍ଦା, ହେମି କନ୍ଦା ଆଦି କେତେ ପ୍ରକାର କନ୍ଦା ପାଉଛୁ । ଏସବୁ ଗଛ ଲାଗିଲେ ଏହି ସବୁ ଖାଦ୍ୟ ଆମେ ପାଇବୁ କେଉଁଠୁ? ଆମେ ଖାଇବୁ କ’ଣ? ଆମ ଗାଁ’ର ଯାହାର ଯେତେବେଳେ ମନ ହେଲେ ଜଙ୍ଗଲ ଯାଇ ବିଭିନ୍ନ ପ୍ରକାର ଖାଦ୍ୟ ଆଣୁଛୁ ଓ ସେଥିରେ ଆମ ପରିବାର ଚଳୁଛି । ଜଙ୍ଗଲରେ କେତେ ପ୍ରକାଣ ଓଷ ଗଛ ଅଛି, ସେଥିରେ ଆମ ପିଲାମାନଙ୍କ ଦେହ ଭଲ ରହୁଛି । ଏସବୁ ଗଛ ଯାଗାରେ ଯଦି ସେଠି ତୁମ ଅଖାଦ୍ୟ ଗଛ ସବୁ ଲଗେଇବ, ତାହେଲେ ଆମେ ଆଦିବାସୀମାନେ ବଂଚିବୁ କେମିତି? ଫରେଷ୍ଟର ପାଖରେ ଉତର ନଥିଲା ଏ ପ୍ରଶ୍ନର । ତଥାପି ସେ ଲୋକମାନଙ୍କୁ ସରକାର କଥା କହି ଡରେଇବାକୁ ଚେଷ୍ଟା କଲା । ପବନ ସିକୋକା କହିଲା ଆମେ ପାଖ ଗାଁ ହାତୀପୋକ୍ନାରେ ଜଙ୍ଗଲରେ ଶାଗୁଆନ ଗଛ ଲାଗିବା ଦେଖିଛୁ । ସେଠି ଆଉ ଶାଗ, କନ୍ଦା କି ଛତୁ କିଛି ବି ମିଳୁନାହିଁ । ଏମିତିକି ହାତୀପୋକ୍ନା ଗାଁ ଲୋକଙ୍କର ଜଙ୍ଗଲକୁ ଯିବା ବି କମିଗଲାଣି । ଜଙ୍ଗଲରେ ସିନା ଖାଦ୍ୟ ଥିଲା ବୋଲି ଯାଉଥିଲେ, ଏବେ ତ ସେଠି ଆଉ ଖାଦ୍ୟ ବି ନାହିଁ, ତେଣୁ କାହିଁକି ଯିବେ । ଆମ ଗାଁ’ରେ ଆମେ ଜମା ବି ସେ ଇଉକାଲିପ୍ଟସ୍ ଓ ଶାଗୁଆନ୍ ଗଛ ଲଗାଇବାକୁ ଆମେ ଦେବୁ ନାହିଁ । ଜଙ୍ଗଲ ଆମ ଆଦିବାସୀଙ୍କ ମା’ ଭଳି । ଜଙ୍ଗଲ ଅଛି ବୋଲି ଆମେ ବଂଚିଛୁ । ସିଏ ହିଁ ଆମକୁ ପାଳିଛି । ତାକୁ ଉଜାଡ଼ି ଦେଇ ଆମେ ସେଠି ଏପରି ଗଛ ସବୁ ଲଗାଇବାକୁ କେବେ ବି ଦେବୁ ନାହିଁ । ଫରେଷ୍ଟର ପାଖରେ ଆଉ କିଛି ବି ଉପାୟ ନଥିଲା । ଲୋକମାନେ ସିଧା ସିଧା ଶୁଣେଇ ଦେଲେ, ଯଦି ତୁମ ସରକାର ଆମ ଭଲ ଚାହୁଁଛନ୍ତି, ତେବେ ଆମ ଜଙ୍ଗଲରେ ଆମ୍ବ, ପଣସ, ତେନ୍ତୁଳି, ବରଡ଼ାଶାଗ, କେନ୍ଦୁ, ମହୁଲ ଆଦି ଗଛ ଲଗାଅ । ଯେଉଁଥିରୁ ଆମକୁ ଖାଦ୍ୟ ମିଳିବ, ଆମେ ବି ସାହାଯ୍ୟ କରିବୁ । ଟଭାପଦର ଗାଁ’ର ମା’ ମାନେ ଫରେଷ୍ଟରକୁ ଚାରିପଟୁ ଘେରିଗଲେ ଓ ସେସବୁ ଚାରାକୁ ଲଗେଇବାକୁ ଜମା ବି ଛାଡ଼ିଲେ ନାହିଁ । ବାଧ୍ୟ ହୋଇ ଫରେଷ୍ଟର ଫେରିଗଲା ।

ଆହୁରି ତିନି ଚାରିଥର ଆଉ କେତେଜଣ ଲୋକଙ୍କୁ ବି ଆଣି ଫରେଷ୍ଟର ଆସଥିଲା, ହେଲେ ମା’ ମାନଙ୍କର ପ୍ରଶ୍ନର ଉତର କାହା ପାଖରେ ନଥିଲା । ଟଭାପଦର ଗାଁ ଲୋକମାନଙ୍କର ସଂଗଠିତ ଶକ୍ତି ଓ ତାଙ୍କ ବିକାଶର ବୁଝାମଣା ପାଖରେ ସରକାରଙ୍କ ସବୁ ଫନ୍ଦି ଫିକର ହାର୍ ମାନିଲା । କେବଳ ଟଭାପଦର ନୁହେଁ ଆଖ ପାଖ ଅନ୍ୟ ଗାଁ ଲୋକମାନେ ବି ଜଙ୍ଗଲ ବିଭାଗକୁ ତାଙ୍କ ଜଙ୍ଗଲରେ ଏହି ସବୁ ଅର୍ଥକାରୀ ବୃକ୍ଷରୋପଣ କରିବାକୁ ଛାଡ଼ୁନାହାନ୍ତି । କାରଣ ଲୋକମାନଙ୍କ ପାଇଁ ଜଙ୍ଗଲର ଅର୍ଥ ତାହା ସେମାନଙ୍କ ପାଇଁ ଖାଦ୍ୟର ଉତ୍ସ । କିନ୍ତୁ ସରକାର ପାଇଁ ଜଙ୍ଗଲ କହିଲେ ଟଙ୍କା ରୋଜଗାର କରିବାର ସାଧନ । ଏହି ଦୁଇଟି ପରଷ୍ପର ବିରୋଧୀ ବୁଝାମଣା କେବେ ବି ଏକାଠି ଚାଲି ପାରିବ ନାହିଁ । ଜଙ୍ଗଲ ଅର୍ଥ ପ୍ରାକୃ୍ତିକ ଜଙ୍ଗଲ, ଯେଉଁଠି କେବଳ ମଣିଷ ନୁହେଁ, ସମସ୍ତ ଜୀବଜନ୍ତୁଙ୍କର ଜୀବନ ଧାରଣର ସାଧନ ଥାଏ ।

ଟଭାପଦର ଗାଁ’ ଲୋକମାନେ କେବଳ ଫରେଷ୍ଟରକୁ ଜଙ୍ଗଲରେ ଗଛ ଲଗାଇବାକୁ ବାରଣ କରିନାହାନ୍ତି, ଏ ବର୍ଷ ବର୍ଷା ମାସରେ ତଥା ଜୁଲାଇ ମାସରେ ଗାଁ ସାରା ଲୋକ ସମସ୍ତେ ବାହାରି ନିଜ ଆଖ ପାଖରେ ଥିବା ବିଭିନ୍ନ ପ୍ରକାର ଚାରା ଓ ମଞ୍ଜି ଆଦି ସଂଗ୍ରହ କରି ଜଙ୍ଗଲରେ ଖାଲି ପଡ଼ିଥିବା ଜାଗାରେ ଲଗାଇଛନ୍ତି । ଗା’ର ସମସ୍ତ ଲୋକ ଦିନେ ସକାଳୁ ବାହାରି ଆମ୍ବ, ମହୁଲ, ଲିମ୍ବ, ତେନ୍ତୁଳି, ଜାମୁ କୋଳି, ଜାମ୍ବ, ବରଡ଼ା ଶାଗ ଆଦି ଚାରା ସଂଗ୍ରହ କରିଥିଲେ ଓ ପଣସ ମଞ୍ଜି, ତେନ୍ତୁଳି ମଞ୍ଜି ଆଦି ସଂଗ୍ରହ କରି ଘର ପିଛା ପଚାଶଟି କରି ଚାରା ଲଗେଇ ଥିଲେ । ଟଭାପଦର ଗାଁ’ ଲୋକମାନଙ୍କୁ ଦେଖି ପାଖ ଗାଁ’ର ଲୋକମାନେ ବି ନିଜ ନିଜ ଜଙ୍ଗଲରେ ବହୁମୂଖୀ ବୃକ୍ଷରୋପଣ କରିଛନ୍ତି । ସେମାନଙ୍କୁ ପଚାରିଲେ, ସେମାନେ ସିଧା କହୁଛନ୍ତି, ଜଙ୍ଗଲ ଆମର ମା’ ଠାରୁ ବି ବଳି । ସେ ଯେମିତି ଆମ ପିଲା କବିଲାଙ୍କ କଥା ବୁଝୁଛି, ସେମିତି ଜଙ୍ଗଲ କଥା ଆମେ ନବୁଝିଲେ କିଏ ବୁଝିବ ।

ଭିରଙ୍ଗ, ତୀରଣ, ଜଗତ୍ସିଂହପୁର-୭୫୪୧୩୮

Comments are closed.