Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୬୮: ଶ୍ରୀମଦ ଭାଗବତଙ୍କୁ ବେଦ ଓ ଉପନିଷଦର ସାର କଥା ଭାବେ ମାନ୍ୟତା ମିଳିଲା

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ମଧ୍ୟରେ ବ୍ରହ୍ମ ସୂତ୍ର ତଥା ବେଦାନ୍ତ ଦର୍ଶନର ଭାବ କିପରି ମିଶିଲା, ତାହାର ସାମାଜିକ ଆବଶ୍ୟକତା କଣ ଥିଲା ସେ ବିଷୟରେ ସାମାନ୍ୟ ଆଲୋକପାତ କରିବା। ଖ୍ରୀଷ୍ଟ ପୂର୍ବ ୨୫୦୦ରୁ ଖ୍ରୀଷ୍ଟ ପୂର୍ବ ୬୦୦ ମସିହା ଯାହାକୁ ଆର୍ଯ୍ୟ ସଭ୍ୟତାର ପ୍ରତିଷ୍ଠା ଓ ପ୍ରସାର କାଳ କୁହାଯାଏ ସେ ସମୟରେ ଜାତି ପ୍ରଥାର ଘୋର ପ୍ରଚଳନ ଥିଲା, ଆର୍ଯ୍ୟ ମାନଙ୍କ ସହ ମିଶି ରହିଥିବା ଶୁଦ୍ର ମାନଙ୍କୁ ବେଦ ପାଠ ଓ ଅନ୍ୟାନ୍ୟ ବେଦ କର୍ମ କରିବାର ଅଧିକାର ନଥିଲା।

କେତେକ ସ୍ଥଳରେ ନାରୀ ମାନଙ୍କୁ ମଧ୍ୟ ଏହି ଅଧିକାରରୁ ବଞ୍ଚିତ କରାଯାଇଥିଲା। ସମଗ୍ର ବେଦର ଭାଷା ସଂସ୍କୃତ ଭାଷାଠାରୁ ସାମାନ୍ୟ ଭିନ୍ନ ଥିଲା ତେଣୁ ସାଧାରଣ ଲୋକଟିଏ ଏହାକୁ ଆୟତ କରିବା କଷ୍ଟ ସାଧ୍ୟ୍ୟ ଥିଲା। ଏହି ବୈଦିକ ଭାଷାର ବିକାଶ ବେଳକୁ ଜୈନଧର୍ମ ଓ ବୌଦ୍ଧ ଧର୍ମର ପରିପ୍ରକାଶ ଘଟିଲା ଏହି ଦୁଇଟି ଧର୍ମ ବୈଦିକ ରୀତିନୀତି ଠାରୁ ସାମାନ୍ୟ ଭିନ୍ନ ଥିଲେ। ଏଥିରେ ନାରୀ ଓ ଶୁଦ୍ର ମାନଙ୍କୁ ଧର୍ମକୃତ୍ୟ ସମ୍ପନ୍ନ କରିବାକୁ ଅଧିକାର ଥିଲା ସବୁଠାରୁ ମହତ ପୂର୍ଣ୍ଣ ଥିଲା ଜୈନ ଧର୍ମ ପ୍ରାକୃତ ଭାଷା ଓ ବୌଦ୍ଧ ଧର୍ମ ପାଲି ଭାଷାକୁ ପ୍ରାଧାନ୍ୟ ଦେଇ ନିଜ ନିଜ ଧର୍ମ ଗ୍ରନ୍ଥ ରଚନା କରିବା ସହ ନିଜ ଧର୍ମର ପ୍ରଚାର ମାଧ୍ୟମ ମଧ୍ୟ କରିସାରିଥିଲେ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-67-the-supreme-being-from-whom-creation-and-destruction-come/

ଫଳରେ ବୈଦିକ ଧର୍ମ ଅପେକ୍ଷା ଏହି ଧର୍ମ ଗୁଡିକର ଆଦର ବଢି ଚାଲିଲା। ଧୀରେ ଧୀରେ ବେଦ-ବେଦାନ୍ତର ଚର୍ଚ୍ଚା ମଧ୍ୟ କମିବାରେ ଲାଗିଲା। ବେଦର ତତ୍ୱ ଆଲୋଚନା କେବଳ ମୁନି ଋଷି ମାନଙ୍କ ପାଖରେ ସୀମାବଦ୍ଧ ହୋଇ ରହିଲା। ସାଧାରଣ ଆର୍ଯ୍ୟମାନେ ମଧ୍ୟ ବେଦ ବେଦାନ୍ତର ଗୂଢ଼ ତତ୍ୱର ବାଣୀକୁ ବୁଝିବାରେ ସକ୍ଷମ ହେଲେ ନାହିଁ ଏହିପରି ସମୟରେ ବେଦ ବେଦାନ୍ତ ଗୁଡିକର ସାର ତତ୍ୱକୁ ନେଇ ସରଳ ଓ ସାବଲିଳ ଭାବରେ ପୁରାଣ ଓ ମହା ପୁରାଣ ମାନ ରଚନା ଆରମ୍ଭ ହେଲା। କୁହାଯାଏ ଅଷ୍ଟାଦଶ ପୁରାଣ ବ୍ୟାସଦେବ ରଚନା କଲେ, କିନ୍ତୁ କେତେକ ଗବେଷକ ମତ ଦିଅନ୍ତି ବିଭିନ୍ନ ଲେଖକ ବିଭିନ୍ନ ପୁରାଣ ରଚନା କରି ତାହା ଭଗବାନ ବ୍ୟାସଙ୍କ ନାମରେ ଭଣତି କରିଥିଲେ ବୋଲି ଏହି ପୁରାଣ ଗୁଡିକ ସଂସ୍କୃତ ଭାଷାରେ ମୂଳତଃ ରଚିତ ହୋଇ ମହାପୁରାଣ, ଓ ଉପପୁରାଣ ଏପରି ଦୁଇ ଭାଗରେ ବିବେଚିତ ହେଲେ।

ସେହିପରି ବିଷୟ ବସ୍ତୁ ଆଧାରରେ ଏହାକୁ ଶୈବ, ଶାକ୍ତ ଅବା ବୈଷ୍ଣବ ଭେଦରେ ଭାଗ କରାଗଲା। ପୁଣି ଗୁଣ ଅନୁସାରେ ସତ୍ୱ-ରଜ-ତମ ଅନୁସାରେ ଏହାର ବିବେଚନା ଆରମ୍ଭ ହେଲା। ଆଲୋଚିତ ଶ୍ରୀମଦ ଭାଗବତ ମହାପୁରାଣ ତେଣୁ ସତ୍ୱ ଗୁଣ ବିଶିଷ୍ଠ ବୈଷ୍ଣବ ପୁରାଣ ହିସାବରେ ମାନ୍ୟତା ପାଇଲେ, କେବଳ ସେତିକି ନୁହେଁ ଏହାକୁ ବେଦ ଓ ଉପନିଷଦର ସାର କଥା ବୋଲି ମଧ୍ୟ ମାନ୍ୟତା ମିଳିଲା। ଯାହା ଆମେ ପୂର୍ବରୁ ଆଲୋଚନା କରିସାରିଲେଣି “ବେଦୋପନିଷଦାଂ ସାରଜ୍ଞାତା ଭାଗବତୀ କଥା”। ଏଭଳି ମହାପୁରାଣର ଅଭ୍ୟୁଦୟ ପୂର୍ବରୁ ତତ୍କାଳୀନ ସାମାଜିକ ଅବସ୍ଥାକୁ ସଂସ୍କୃତ ଭାଗବତରେ ମଧ୍ୟ ସୂଚିତ ହୋଇଛି, ଯାହାକୁ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଲେ
କଳି ପ୍ରବେଶ କାଳ ବଳେ।
ପ୍ରାଣୀଏ ଚେତନା ଚଞ୍ଚଳେ।।
ଭାରତୀ ନପାରନ୍ତି ଧରି।
ଅଳ୍ପ ଆୟୁଷ ଦେଖି ହରି।।
ବେଦ ଦ୍ରୁମ କୁ ଶାଖା କଲେ।
ଏକୁ ଆରେକ ବୁଦ୍ଧି ବଳେ।।
ଯାହା ସେ ସମୟର ସାମାଜିଜ ସ୍ଥିତିର ପରିଚୟ ଦେଇଥାଏ। ଅର୍ଥାତ ବେଦ ବେଦାନ୍ତର ଅମୀୟ ବାଣୀକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହାର ସାର ତତ୍ୱ ଗୁଡିକୁ ଗ୍ରହଣ କରି ଶ୍ରୀମଦ ଭାବବତ ଗ୍ରନ୍ଥ ରଚିତ ହୋଇଛି। ଆସନ୍ତୁ ସେହି ଅମୂଲ୍ୟ ଜ୍ଞାନକୁ ଶ୍ରବଣ, ଚିନ୍ତନ ଓ ମନନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.