ନୂଆଦିଲ୍ଲୀ: ଗୁରୁଗ୍ରାମଠାରେ ସପ୍ତମ ରଜ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ଉତ୍ସବର ସ୍ଥାନ ଚାରି ନମ୍ବର ସେକ୍ଟର ସ୍ଥିତ ହୁଡ଼ା କମ୍ୟୁନିଟି ସେଣ୍ଟରକୁ ଖୁବ ସୁନ୍ଦର ଭାବରେ ସଜାଯାଇ ଏକ ଛୋଟ ଓଡ଼ିଶାର ସ୍ଵରୂପ ପ୍ରଦାନ କରାଯାଇଥିଲା। ଦେଶର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଭାରତୀ ଫାଉଣ୍ଡେସନ ଆନୁକୁଲ୍ୟରେ ଆୟୋଜିତ ଏହି ଦିବ୍ୟ ଓ ଭବ୍ୟ ପାର୍ବଣ ଅବସରରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉତ୍ତୁଙ୍ଗ ଐତିହ୍ଯର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା ।
ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ପ୍ରାୟ ପାଞ୍ଚ ହଜାର ପ୍ରବାସୀ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ରଜ ମିଳନକୁ କେନ୍ଦ୍ର କରି ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍କଣ୍ଠା, ଅସୀମ ଉତ୍ସାହ ଏବଂ ଅଦମ୍ୟ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା।
ରଜ ଓଡ଼ିଶାର ସବୁଠୁ ଲୋକପ୍ରିୟ ଗଣପର୍ବ ଭାବରେ ପରିଚିତ। ମାତୃ ଉପାସନା ପାଇଁ ଉତ୍ସର୍ଗୀକୃତ ଏହି ମହାପର୍ବ ମାଟି ମା’ ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ।

ଏହି ସାଂସ୍କୃତିକ କୁମ୍ଭର ମୁଖ୍ୟ ଆକର୍ଷଣ ଜାତୀୟ ଲୋକନୃତ୍ୟ ଉତ୍ସବ ଥିଲା। ଏହି ଅବସରରେ ଓଡ଼ିଶା, ହରିୟାଣା,ରାଜସ୍ଥାନ, ପଞ୍ଜାବ, ପଶ୍ଚିମ ବଙ୍ଗ ଏବଂ ଉତ୍ତର ପ୍ରଦେଶରୁ ଆସିଥିବା ୨୫୦ ରୁ ଉର୍ଦ୍ଧ୍ଵ ପାରଦର୍ଶୀ କଳାକାର, ସେମାନଙ୍କର ସୃଜନଶୀଳ ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। କଳା ଉତ୍ସବର ଅନ୍ୟତମ ଆକର୍ଷଣ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ସୁଶାନ୍ତ କୁମାର ପଣ୍ଡାଙ୍କର ସୁମଧୁର ଗାୟନ ଏବଂ ସୁଦକ୍ଷ ଉପସ୍ଥାପକ ଶ୍ରୀ କମଳଙ୍କର ସୂଚାରୁ ରୂପେ ମଞ୍ଚ ସଞ୍ଚାଳନା ଥିଲା।
ରଜ ମହୋତ୍ସବର ବିଶେଷ ସମ୍ଭାର ମଧ୍ୟରେ ପଚିଶଟି ନାନା କିସମର ସାମଗ୍ରୀର ଷ୍ଟଲ୍, ଖାଣ୍ଟି ସ୍ଵାଦିଷ୍ଟ ଓଡ଼ିଆ ଖାଦ୍ୟର ମହଜୁଦି,ରଜ ଦୋଳିର ମଜା ଲୁଟିବାର ସୁଯୋଗ, ସ୍ଵତନ୍ତ୍ର ରଜ ପାନର ଉପଲବ୍ଧି, ବିଭିନ୍ନ ପ୍ରକାର ମନୋରଞ୍ଜକ ପ୍ରତିଯୋଗିତା ଯଥା:- ରଙ୍ଗୋଲି, ଝୋଟି, କୌତୁକ ପୋଷାକ, ଚିତ୍ରାଙ୍କନ ଏବଂ ଲକି ଡ୍ର ଆଦି ଅନ୍ୟତମ ଥିଲା।
ଏହି ଉତ୍ସବରେ ଈପସିତା ଚିନାରାଙ୍କୁ ରଜ ରାଣୀ ଉପାଧିରେ ଭୂଷିତ କରାଯାଇଥିଲା। ସୁଚିସ୍ମିତା ଦାସଙ୍କୁ ରଜ କୁମାରୀ ଭାବରେ ଚୟନ କରାଯାଇଥିଲା। ବରିଷ୍ଠ ପ୍ରଶାସକ ଡଃ.ସରୋଜ କୁମାର ଜେନାଙ୍କୁ ଶ୍ରେଷ୍ଠ ଓଡ଼ିଆ ପୁଅ ପୁରସ୍କାର ପ୍ରଦାନ କରାଯାଇଥିଲା।
କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କୁ ସମ୍ମାନନୀୟ କଳିଙ୍ଗ ଭାରତୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଦଶମ ଓ ଦ୍ଵାଦଶ ଶ୍ରେଣୀର ସିବିଏସଇ ପରୀକ୍ଷାରେ ନବେ ପ୍ରତିଶତରୁ ଉର୍ଦ୍ଧ୍ଵ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଓଡ଼ିଆ ବିଦ୍ୟାର୍ଥୀମାନଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉପସ୍ଥିତ ଅତିଥି ବରିଷ୍ଠ ପ୍ରଶାସକ ପ୍ରଶାନ୍ତ କୁମାର ମହାପାତ୍ର ଏବଂ ପ୍ରସିଦ୍ଧ ଚିକିତ୍ସାବିତ ଡଃ. ମୋହିତ ଗୁପ୍ତା ତାଙ୍କର ବକ୍ତବ୍ୟରେ କଳିଙ୍ଗ ଭାରତୀ ଫାଉଣ୍ଡେସନ ଓ ଏହାର ପ୍ରତିଷ୍ଠାତା ସଭାପତି ଇଞ୍ଜିନିୟର ଅକ୍ଷୟ କୁମାର ସାମଲ, ହରିୟାଣା ଏବଂ ଓଡ଼ିଶାର ମହାନ କଳା, ସଂସ୍କୃତି ଓ ଐତିହ୍ୟ ମଧ୍ୟରେ ଯେଭଳି ସମ୍ପର୍କ ଓ ସାମଞ୍ଜସ୍ୟର ସେତୁ ବାନ୍ଧିବାର ସାଧୁ ଉଦ୍ୟମ କରୁଛନ୍ତି, ତାହାର ଭୂୟସୀ ପ୍ରଶଂସା କରିଥିଲେ।
Comments are closed.