ନୂଆଦିଲ୍ଲୀ:ଆଜିର ଡିଜିଟାଲ ଯୁଗରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଆମ ଜୀବନକୁ ବେଶ୍ ସହଜ କରିଛି। ଏହାର ଅଟୋପେ ଫିଚର୍ ମାଧ୍ୟମରେ ପ୍ରତି ମାସରେ OTT ପ୍ଲାଟଫର୍ମ, ବିଦ୍ୟୁତ୍ ବିଲ୍, ପାଣି ବିଲ୍ କିମ୍ବା DTH ରିଚାର୍ଜ ଭଳି ସେବାଗୁଡ଼ିକର ଦେୟ ସ୍ୱୟଂଚାଳିତ ଭାବେ କଟିଯାଏ, ଯାହା ଆମକୁ ବାରମ୍ବାର ପେମେଣ୍ଟ ପ୍ରକ୍ରିୟାରୁ ମୁକ୍ତି ଦିଏ। କିନ୍ତୁ ଏହି ସୁବିଧା କେତେବେଳେ ଅସୁବିଧାରେ ପରିଣତ ହୋଇପାରେ, ଯେତେବେଳେ ଆମ ଅଜାଣତରେ କିଛି ସେବା ପାଇଁ ଅଟୋପେ ଚାଲୁ ରଖିଥାଉ ଏବଂ ଆମ ଆକାଉଣ୍ଟରୁ ଅଯଥା ଟଙ୍କା କଟିଯାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ କ’ଣ କରକାର?
କିଛି ଲୋକଙ୍କୁ ପ୍ରତି ମାସ ଶେଷକୁ ଜଣାପଡ଼େ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା କାଟି ନିଆଯାଉଛି, କିନ୍ତୁ କାହିଁକି ତାହା ସେମାନେ ଜାଣି ନଥାନ୍ତି। ଯାଞ୍ଚ କରିବା ପରେ ଜଣାପଡ଼େ ଯେ ସେମାନେ Netflix, Amazon Prime, SonyLiv କିମ୍ବା YouTube ଭଳି କୌଣସି OTT ପ୍ଲାଟଫର୍ମରେ ସବସ୍କ୍ରାଇବ କରିଥିଲେ ଏବଂ UPI ଅଟୋପେ ଚାଲୁ ଥିବା କାରଣରୁ ପ୍ରତି ମାସେ ଟଙ୍କା ସ୍ୱୟଂଚାଳିତ ଭାବେ କଟିଯାଉଛି। ଏହା ସେତେବେଳେ ଆହୁରି ବିରକ୍ତିକର ହୁଏ ଯେତେବେଳେ ଆମେ ସେହି ସେବାକୁ ବ୍ୟବହାର କରୁ ନଥାଉ।
କିପରି ବନ୍ଦ କରିବେ ଅନାବଶ୍ୟକ ଅଟୋପେ?
ଅନାବଶ୍ୟକ ସେବା ପାଇଁ UPI ଅଟୋପେ ବନ୍ଦ କରିବା ବେଶ୍ ସହଜ ଏବଂ ଏହା କେବଳ କିଛି ମିନିଟ୍ର କାମ। ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ:
୧. ଆପଣଙ୍କ UPI ଆପ୍ (ଯେମିତି PhonePe, Google Pay, Paytm) ଖୋଲନ୍ତୁ।
୨. ‘ସେଟିଂସ୍’ କିମ୍ବା ‘ପ୍ରୋଫାଇଲ୍’ ବିକଳ୍ପକୁ ଯାଆନ୍ତୁ।
୩. ‘ଅଟୋପେ’ କିମ୍ବା ‘Mandap’ ବିକଳ୍ପ ଖୋଜି ତା’ ଉପରେ କ୍ଲିକ୍ କରନ୍ତୁ।
୪. ଏଠାରେ ଆପଣ ସମସ୍ତ ଚାଲୁ ଥିବା ଅଟୋପେ ସେବାର ତାଲିକା ଦେଖିପାରିବେ।
୫. ଯେଉଁ ସେବା ବନ୍ଦ କରିବାକୁ ଚାହୁଁଛନ୍ତି, ତା’ ଉପରେ କ୍ଲିକ୍ କରି ‘ବାତିଲ୍’ କିମ୍ବା ‘ନିର୍ଦ୍ଦେଶ ପ୍ରତ୍ୟାହାର’ ଚୟନ କରିପାରିବେ ।
Comments are closed.