Latest Odisha News

BREAKING NEWS

୪ ଶିଶୁଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ଆସମତି;ଗାଁରେ ଶୋକ ସହ ପ୍ରଶଂସାର ସ୍ୱର

ପାପଡାହାଣ୍ଡି:ନିଜ ଜୀବନକୁ ବାଜି ଲଗାଇ ଚାରି ଚାରିଟି ନିରୀହ ଜୀବନକୁ ମୃତ୍ୟୁ ମୁଖରୁ ଟାଣି ଆଣିଲେ ଆସମତି ଯାନୀ କିନ୍ତୁ ନିଜେ ପାଣିରେ ବୁଡ଼ି ଆରପାରିକୁ ଚାଲିଗଲେ । ରବିବାର ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲ ପଞ୍ଚାୟତ ରୋଜାମାଟୁ ଗାାଁରେ ଏହି ଘଟଣା ଶୋକର ଛାୟା ଖେଳାଇ ଦେଇଛି । ଗାଁ ଠାକୁରାଣୀ ମନ୍ଦିର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ତିନି ନାବାଳିକା ଏବଂ ଜଣେ ନାବାଳକ ।ଅସାବଧାନତା ଯୋଗୁଁ ହଠାତ୍ ସମସ୍ତେ ଗଭୀର ପାଣିରେ ବୁଡ଼ିବାକୁ ଲାଗିଥିଲେ । ଏତିକିବେଳେ ଦେବଦୂତ ସାଜିଥିଲେ ଆସମତି ଯାନୀ । ଜୀବନକୁ ବାଜି ଲଗାଇ ଗୋଟିଏ ପରେ ଗୋଟିଏ ଚାରି ଜଣଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିଲେ ।

ସୂଚନାଥାଉକି,ରୋଜାମାଟୁ ଗାଁର ତିନି ଜଣ ନାବାଳିକା ଗେଲୁମଣି ଯାନୀ (୧୦), ଜ୍ୟୋତି ଯାନୀ (୧୦), ସୋନାଲି ଯାନୀ (୧୦) ଓ ନାବାଳକ ଗୁଡ଼ୁ ଯାନୀ (୭) ରବିବାର ସକାଳ ସମୟରେ ଗାଁ ଠାକୁରାଣୀ ମନ୍ଦିର ନିକଟରେ ପୋଖରୀକୁ ଗାଧେଇବାକୁ ଯାଇଥିଲେ ।

ଚାରି ଜୀବନ ବଞ୍ଚାଇଦେଲେ ସିନା, ନିଜେ କିନ୍ତୁ କୂଳକୁ ଫେରିପାରିନଥିଲେ । ପାଣିରେ ବୁଡ଼ି ଅଚେତ ହୋଇପଡ଼ିଥିଲେ ଆସମତି ।ଗ୍ରାମବାସୀ ଦେଖିବା ପରେ ତୁରନ୍ତ ଆସମତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଆସମତିଙ୍କୁ ମୃତ ଘୋଷଣା କରିଛନ୍ତି । ଏପଟେ ଆସମତିଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ପୂରା ରଜାମାଟୁ ଗାଁ ।

 

Leave A Reply

Your email address will not be published.