Latest Odisha News

ଶ୍ରୀ ଭାଗବତ ସାର ୭୯: କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝିବିଚାରି ସେ କାର୍ଯ୍ୟଟି କରିବା ଉଚିତ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଏହି ଗିରିଗୋବର୍ଦ୍ଧନ ପୂଜା ବିଷୟଟିର ଗଭୀର ଅନୁଶୀଳନ କଲେ ଜଣାଯାଏ
କୌଣସି କର୍ମ କରିବା ପୂର୍ବରୁ ତାର ସମସ୍ତ ତତ୍ୱ ବୁଝି, ଭଲମନ୍ଦ ଆକଳନ କରି ଓ ତାର ପରିଣାମକୁ ଚିନ୍ତା କରି ସେ କାର୍ଯ୍ୟଟି କରିବା ଉଚିତ। ଯଦି ଏହା ନକରି କେବଳ ପରମ୍ପରା ରକ୍ଷା ବା ସମସ୍ତେ ଯାହା କରୁଛନ୍ତି ଆମେ ମଧ୍ୟ ସେଇଆ କରିବା ଏହି ନ୍ୟାୟରେ କରିବା ତେବେ କିଛି ନୂତନତ୍ବ ରହିବ ନାହିଁ। ତେଣୁ ଗୋପରେ ଇନ୍ଦ୍ର ଉତ୍ସବ ଆୟୋଜନ ଦେଖି ଶ୍ରୀକୃଷ୍ଣ ନିଜ ପିତାଙ୍କୁ ଇନ୍ଦ୍ର ପୂଜା କାହିଁକି କରିବା ସେ ପ୍ରଶ୍ନ ପଚାରିଥିଲେ।

ଯାହାର ଉତ୍ତର ଦେଇ ନନ୍ଦ କହିଥିଲେ “ବତ୍ସ ଇନ୍ଦ୍ର ଆମର ଦେବତା, ତାଙ୍କର ଉତ୍ସବ ପାଳିଲେ ସେ ପ୍ରୀତ ହୋଇ ବର୍ଷା କରାଇବେ, ପୃଥିବୀ ଶସ୍ୟଶାଳିନୀ ହେବ, ସେ କ୍ରୋଧ କଲେ ଅପାଳକ ହେବ, ତେଣୁ ପରମ୍ପରା କ୍ରମେ ଚାଲି ଆସୁଥିବା ଏହି ଉତ୍ସବର ଆୟୋଜନ ହୋଇଛି। ଏକଥା ଶୁଣି କୃଷ୍ଣ କହିଲେ
କୃଷ୍ଣ ବୋଲନ୍ତି ଶୁଣ ତାତ।
ଜଗତ କର୍ମେ ଆତଯାତ।।
ଏ ଜୀବ ଆତ୍ମା କର୍ମ ଘେନି।
ଗତ ଆଗତ ପଥଶ୍ରମୀ।।
କର୍ମର ମତେ ଦୁଃଖ ସୁଖ।
ଜନ୍ମ ମରଣ ହୋଏ ଦେଖ।।
କର୍ମଟି ଦୁଃଖ ସୁଖ ଦାତା।
ବିଶ୍ୱ ସଂସାରେ ବଳବନ୍ତା।।
ଭୋ ତାତ କର୍ମପାଦେ ସେବ।
କର୍ମହୁଁ ନାହିଁ ଅନ୍ୟ ଦେବ।।
ଏଠାରେ ଶ୍ରୀଜଗନ୍ନାଥ ଦାସ କୃଷ୍ଣ ଙ୍କ ମୁଖରେ କର୍ମର ଯେଉଁ ମହାନତା ପ୍ରକାଶ କରିଛନ୍ତି ତାହା ବାସ୍ତବିକ ଭାବେ ମଣିଷ ସମାଜ ପାଇଁ ଏକ ମହାନ ଶିକ୍ଷା, କେବଳ ସେତିକି ନୁହେଁ ସେ ନିଜ ପ୍ରକୃତି ପ୍ରତି ସଚେତନ କରାଇ କହିଛନ୍ତି
ବନ ଗହନେ ଆମ୍ଭ ଘର।
ଗୋରୁ ଚରାଉ ନଦୀ ତୀର।।
ନିର୍ଝର ଜଳ ପାନ କରି।
ଆମ୍ଭ ଦେବତା ବନ ଗିରି।।
ତୁମ୍ଭର ଯଜ୍ଞ ଯେବେ ସତ୍ୟ।
କହଇ ଶୁଣ ଏକ ଚିତ୍ତ।।
ଗୋରୁ ବ୍ରlହ୍ମଣ ପ୍ରୀତି ଫଳେ।
ଯଜ୍ଞ କରିବା ଗିରି ତଳେ।।
ପୂଜିବା ଗୋବର୍ଧନ ଶିରେ।
ଯେ ଇନ୍ଦ୍ର ଯଜ୍ଞ ର ସମ୍ଭାରେ।।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-78-shri-krishna-became-the-main-protagonist-of-the-shrimad-bhagwat/
କୃଷ୍ଣ କହିଲେ ହେ ତାତ ଯେଉଁ ଭୂମି, ଯେଉଁ ନଦୀ, ଯେଉଁ ଗିରି ଆମର କର୍ମ କ୍ଷେତ୍ର, ସେହିଁ ଆମ ଦେବତା ତେଣୁ ଯଦି ଆପଣ ନିଜ ସମ୍ମାନ ରକ୍ଷା ପାଇଁ ଯଜ୍ଞ କରିବାକୁ ନିହାତି ଚାହୁଁଛନ୍ତି ତେବେ ଆମେ ଗିରିଗୋବର୍ଦ୍ଧନ ପୂଜା ହିଁ କରିବା କାରଣ ପ୍ରକୃତି ପୂଜା ଆମର ଧର୍ମ ଓ ଶ୍ରେଷ୍ଠ କର୍ମ। ତାହାହିଁ ହେଲା ଇନ୍ଦ୍ର ଉତ୍ସବ ଛାଡି ସମସ୍ତେ ନିଜ ପ୍ରକୃତି ରୂପୀ ଗିରିଗୋବର୍ଦ୍ଧନଙ୍କ ପୂଜା କରିଲେ। ଇନ୍ଦ୍ର ମଧ୍ୟ ଏଥିରେ କୋପ କରି ସପତ ଦିନ ବୃଷ୍ଟି କଲେ ଏହିଠାରେ ଶ୍ରୀକୃଷ୍ଣ ନିଜ ଶକ୍ତି ଓ ସ୍ୱରୂପ ପଦର୍ଶନ କରିଲେ, କଣ ସେ ଲୀଳା ଜାଣିବା ଆଉ ଏକ ଅଧ୍ୟାୟରେ ଏବେ ନେବା ସେହି ଭଗବାନ କୃଷ୍ଣଙ୍କ ଶରଣ ଓ କରିବା ଶ୍ରୀମଦ ଭାଗବତର ଚିନ୍ତନ ଓ ମନନ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.