Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୮୮: କେଉଁ ତିଥିରେ ପଡେ ଭାଗବତ ଜନ୍ମ ଦିବସ?

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଜନ୍ମ ଓ ସଂସାରରେ ଏହାର ପ୍ରଚାର ଓ ପ୍ରସାରର ଗୋଟିଏ ମୂଳ ବିବରଣୀ ଆମେ ଜାଣିଲେ। ଆଉ ଏହା ମଧ୍ୟ ଜାଣିଲେ ଶୌନକାଦି ଋଷି ମାନେ ନୈମିଷ୍ୟାରଣ୍ୟରେ ସହସ୍ର ବର୍ଷ ଯଜ୍ଞ ସମ୍ପାଦନ କରୁଥିବା ସମୟରେ ଶୁକଦେବ ଶିଷ୍ୟ ସୂତ ଉଗ୍ରଶ୍ରବା ଯଜ୍ଞ ସ୍ଥଳରେ ପହଂଚି ସେହି ଋଷି ମାନଙ୍କ ଅନୁରୋଧ ରକ୍ଷା କରି ଜଗତ କଲ୍ୟାଣ ଉଦେଶ୍ୟରେ ଅମୃତତୁଲ୍ୟ ଶ୍ରୀମଦ ଭାଗବତ ବାଣୀ ସେମାନଙ୍କୁ ଶୁଣାଇଲେ।

ଶ୍ରୀମଦ ଭାଗବତ ଭଳି ଏକ ମହାନ ଗ୍ରନ୍ଥର ଅୟଂଆରମ୍ଭ କରିବା ପାଇଁ ସୂତ ଉଗ୍ରଶ୍ରବା ଏକ ଅତି ପାବନ ଦିବସକୁ ବାଛିଥିଲେ ଆଉ ସେହି ଦିବସଟି ଥିଲା ଭାଦ୍ରବ ମାସ ପୁର୍ଣ୍ଣିମା ବା ଇନ୍ଦୁ ପୁର୍ଣ୍ଣିମା। ସେହିପରି ପଦ୍ମ ପୁରାଣ ବର୍ଣ୍ଣନା ଅନୁସାରେ ମହାମୁନି ଶୁକଦେବ ରାଜା ପରୀକ୍ଷିତଙ୍କୁ ସେହି ଭାଦ୍ରବ ମାସ ଶୁକ୍ଳ ନବମୀ ତିଥିରେ ଶ୍ରୀମଦ ଭାଗବତ ବାଣୀ ଶୁଣାଇବା ଆରମ୍ଭ କରି ଭାଦ୍ରବ ପୁର୍ଣ୍ଣିମା ବା ଇନ୍ଦୁ ପୁର୍ଣ୍ଣିମାରେ ଶେଷ କରିଥିଲେ। କାରଣ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ମୃତ୍ୟୁ ପୂର୍ବରୁ ସାତ ଦିନ ହିଁ ସମୟ ମିଳିଥିଲା ନିଜର ମୁକ୍ତି ପଥ ବାଛିବା ପାଇଁ। ସେ ଯାହାବି ହେଉ ଭାଦ୍ରବ ପୁର୍ଣ୍ଣିମା ଦିନ ଶେଷ ହୋଇ ପୁନଃ ଭାଦ୍ରବ ପୁର୍ଣ୍ଣିମା ଦିନ ସୂତଙ୍କ ଦ୍ୱାରା ଆରମ୍ଭ ହୋଇ ଥିବାରୁ, ସେହି ତିଥିକୁ ଭାଗବତ ଜନ୍ମ ଦିବସ ରୂପେ ଗ୍ରହଣ କାରାଯାଏ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-87-he-is-the-self-created-and-the-all-pervading-form-of-the-entire-universe-and-brahma-is-the-essence/

କେହି କେହି ମତ ଦିଅନ୍ତି ଶୁକଦେବ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କ ଅନୁରୋଧ ରକ୍ଷା କରି ମରଣ ଉନ୍ମୁଖୀ ମନ୍ୟୁଷର ଉଦ୍ଧାର ପାଇଁ ଏହି ମରଣ ଭୟ ଦୂର କାରି ଅମୀୟ ରସ ଯୁକ୍ତ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଓ ମହିମା ସମ୍ବଳିତ ଜୀବ ଉଦ୍ଧାର କାରି ଶ୍ରୀମଦ ଭାଗବତ ଶୁଣାଇବ ଆରମ୍ଭ କରିଥିଲେ ଏବଂ ସପ୍ତାହ ସାରା ଏହାକୁ ବ୍ୟକ୍ତ କରିଥିଲେ। ତାହା ଥିଲା ଶ୍ରାବଣ ମାସ ଶୁକ୍ଳ ନବମୀ ଠାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ଏକ ସପ୍ତାହ। ପୁରାଣ ଇତିହାସ ହୋଇ ନଥିବାରୁ ଏଥିରେ ଏହି ଦ୍ଵନ୍ଦ ପରିଲିକ୍ଷିତ ହୋଇ ଥାଏ।

ଆଉ ଏକ ସୂତ୍ର କହେ ଶୁକଦେବ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱର୍ଗାରୋହଣର
ଠିକ ତିରିଶ ବର୍ଷ ପୂର୍ଣ୍ଣ ଦିନ ଶ୍ରୀମଦ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ। ପଦ୍ମ ପୁରାଣ ମତରେ “ଆକୃଷ୍ଟ ନିର୍ଗମାତ ତ୍ରିଶତ ବର୍ଷାଧିକ ଗତେ କଲୌ, ନବମୀତୋ ନଭସ୍ୟେ ଚ କଥାରମ୍ଭଂ ଶୁକୋ ଅକରୋତ।” ତେଣୁ ନବମୀ ତିଥି ଠିକ ଅଛି କେବଳ ମାସ ନିର୍ଣ୍ଣୟରେ ଦ୍ଵନ୍ଦ ରହୁଛି। ଏବେ ଜାଣିବା ଭାଗବତ ସପ୍ତାହ ପାଳନ ର ଉଦ୍ୟେଶ, ପ୍ରଥମ କଥାଟି ରାଜା ପରୀକ୍ଷିତଙ୍କ ଏକ ସପ୍ତାହ ବ୍ୟାପୀ ଭାଗବତ କଥା ଶ୍ରବଣକରି ମୋକ୍ଷ ଲାଭ ଓ ଦ୍ଵିତୀୟ ଉପାଖ୍ୟାନଟି ହେଉଛି ପ୍ରଥମ ଘଟଣାର ଠିକ ଦୁଇ ଶହ ବର୍ଷ ପରେ ଆତ୍ମ ଦେବଙ୍କ ପୁତ୍ର ଗୋକର୍ଣ୍ଣ ନିଜର ଭାଇ ଧୁନ୍ଦୁକାର ପ୍ରେତଙ୍କୁ ମୁକ୍ତି ଦେବା ପାଇଁ ସେହି ସପ୍ତାହ ବିଧିରେ ଆଷାଢ଼ ଶୁକ୍ଳ ନବମୀ ତିଥିରେ ଭାଗବତ କଥା ଶୁଣାଇଲେ।

ଆଉ ଏକ ପ୍ରସଙ୍ଗ ହେଲା ଗୋକର୍ଣ୍ଣଙ୍କ ପରେ ପ୍ରାୟ ତିରିଶି ବର୍ଷ ଉତ୍ତାରୁ କାର୍ତ୍ତିକ ମାସ ନବମୀ ତିଥିରେ ସନକ ଆଦି ମୁନି ମାନେ ଶ୍ରୀମଦ ଭାଗବତ କଥା ଆରମ୍ଭ କରିଥିଲେ ତାହା ମଧ୍ୟ ପୁର୍ଣ୍ଣିମା ତିଥିରେ ଶେଷ ହୋଇଥିଲା। ତେଣୁ ସେହି ପରମ୍ପରାକୁ ଆଧାର କରି ସଂସାରରେ ଭାଗବତ ସପ୍ତାହର ପ୍ରଚଳନ ହୋଇଛି। ଏଵେ ଏତିକି କହିବା “ଏଣୁ ଏ କୃଷ୍ଣ କଥା ସାର।
ସତ୍ୟ ପବିତ୍ର ସୁଧା ଧାର।
ଯେ ଜପେ ବାସୁଦେବ ନାମ।
କରେ କୀର୍ତ୍ତନ ସୁମରଣ।।
ଜଗତ ପବିତ୍ର କରଇ।
ପୁଣି ଆତ୍ମା କୁ ନିସ୍ତାରଇ।।
ଆପଣ ମାନେ ବି ଜଗତ ପବିତ୍ର କରନ୍ତୁ ନିଜ ଆତ୍ମାକୁ ମୁକ୍ତି ଦିଅନ୍ତୁ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.