Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୯୫: ଜନ ସମାଜର କଲ୍ୟାଣ ପାଇଁ ସର୍ବୋତମ ତଥା ଅମୋଘ ସାଧନ କଣ?

ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯେଉଁ ଭିତ୍ତି ଭୂମି ଉପରେ ରଚିତ ହୋଇଛି ତାହା ଥିଲା ଶୌନକ ଆଦି ଋଷି ମାନଙ୍କ ପ୍ରଶ୍ନ ଉପରେ ପର୍ଯ୍ୟବେଷିତ। ଭାଗବତ ସାର ଆଲୋଚନା ପ୍ରସଙ୍ଗରେ ସେହି କିଛି ସର୍ବୋତ୍କୃଷ୍ଟ ପ୍ରଶ୍ନର ଆଲୋଚନା ନିଶ୍ଚୟ ଆମର ଜ୍ଞାନ ବୃଦ୍ଧି କରିବା ସହିତ ଆମ ମନର ଅନେକ ସଂଶୟ ଦୂର କରିବ। ପ୍ରଥମେ ଆଲୋଚନା କରିଥିଲେ ନୈମିଷାରଣ୍ୟରେ ଶ୍ରୀସୂତ ମହାମୁନିଙ୍କୁ ଶୌନକ ଆଦି ଋଷି ମାନେ କରିଥିବା ଷଢ଼ ପ୍ରଶ୍ନ ବିଷୟରେ ସଂକ୍ଷେପ ଭାବରେ ଆଜି ସେଥିମଧ୍ୟରେ ଥିବା ସର୍ବୋତ୍କୃଷ୍ଟ ପ୍ରଶ୍ନ
“ତତ୍ର ତତ୍ରାଞ୍ଜସାୟୁଷ୍ମାନ ଭବତା ଯତ ବିନିଶ୍ଚିତମ୍ ।
ପୁଂସମେକାନ୍ତତଃ ଶ୍ରେୟଃ ତନ୍ନଃ ଶଂସିତୁମହର୍ଷି।।”
ଅର୍ଥାତ ହେ ଆୟୁଷ୍ମାନ ସୂତ, ତୁମେ ଅନନ୍ତ ଜ୍ଞାନର ଅଧିକାରୀ, ନିଜର ଜ୍ଞାନ ଦ୍ୱାରା ଜୀବର ଏକମାତ୍ର ଶ୍ରେୟ ବା ଯଥାର୍ଥ କଲ୍ୟାଣ କେଉଁଠି ହୁଏ।

ଏହାକୁ ଅତି ସରଳ ଭାବରେ କହିଲେ ଶୌନକ ଆଦି ଋଷି ମାନଙ୍କର ପ୍ରଶ୍ନ ଥିଲା ଜନ ସମାଜର କଲ୍ୟାଣ ପାଇଁ ସର୍ବୋତମ ତଥା ଅମୋଘ ସାଧନ କଣ ତାହା ବ୍ୟକ୍ତ କରନ୍ତୁ। କାରଣ ମଣିଷ ଯେତେବେଳେ ଅନେକ ବିଷୟ ଶୁଣିସାରେ ସେତେବେଳେ ତାର ସ୍ୱଳ୍ପ ଜ୍ଞାନରେ ସେସବୁର ସାର ନିର୍ଣ୍ଣୟ କରିପାରେନି। ଆମ୍ଭେମାନେ ମଧ୍ୟ ଆପଣଙ୍କ ପିତା ପରମ ଜ୍ଞାନୀ ଲୋମହର୍ଷଣଙ୍କ ଠାରୁ ବହୁ ବିଚିତ୍ର ଶାସ୍ତ୍ର ଆଲୋଚନା ଶୁଣିଛୁ ସେଥିରେ ଆମ୍ଭମାନଙ୍କ ମନୋରଞ୍ଜନ ହେବା ସହିତ ଜ୍ଞାନ ବି ବୃଦ୍ଧି ହୋଇଛି ତଥାପି ଏହି ପ୍ରଶ୍ନ ଉତ୍ଥାପନ କରିବାର କାରଣ କିଛି ତତ୍ତ୍ୱର ସମାଧାନ ସୂତ୍ର ପରସ୍ପର ବିରୋଧି ଅଟନ୍ତି।

ଆପଣ ଭଗବାନ ବଳରାମଙ୍କ କୃପା ଲାଭ କରିଛନ୍ତି ତେଣୁ ଆପଣକୁ ସକଳ ଶାସ୍ତ୍ର ଓ ତତ୍ୱ ଜ୍ଞାତ ହୋଇଛି, ସେହି ଆଧାରରେ ଆପଣ ଆମର ସଂଶୟ ଦୂର କରନ୍ତୁ।
ଶ୍ରୀସୂତ ମୌନତା ଅଵଲମ୍ବନ କରି ଚିନ୍ତାରେ ପଡିଗଲେ। ଭାବିଲେ କହିବେ କି ସାରତତ୍ୱ ଏହିକିଯେ ପରମାତ୍ମାଙ୍କ ନିର୍ଗୁଣ ସ୍ୱରୂପ ଚିନ୍ତନରେ ଜ୍ଞାନ ଉଦିତ ହୋଇଥାଏ ଓ ତାଙ୍କର ସଗୁଣ ସ୍ୱରୂପ ଚିନ୍ତନରେ ଭକ୍ତି ଜାଗ୍ରତ ହୁଏ ଓ ଉଭୟ ଜ୍ଞାନ ଓ ଭକ୍ତି ମଣିଷର କଲ୍ୟାଣ ରେ ବିନିଯୋଗ ହୁଅନ୍ତି। କିନ୍ତୁ ମନ ତାଙ୍କର ଏହି ଉତ୍ତର ଦେବାକୁ ଉଚିତ ମନେ କଲାନି, ସେ ପୁନଃ ଚିନ୍ତା କଲେ ଶ୍ରୀକୃଷ୍ଣଙ୍କ ଲୀଳାରେ ପୂର୍ଣ୍ଣ ଭାଗବତ ହିଁ ସାର ଅଟେ।

କିନ୍ତୁ ଏହା ବ୍ୟାପକ ତେଣୁ ଏକ ସଂକ୍ଷିପ୍ତ ଉତ୍ତର ଦରକାର ପୁଣି ଚିନ୍ତା କଲେ ଏ କଳି କାଳରେ ବିଷୟ ବାସନା ପ୍ରତି ମଣିଷଙ୍କ ଆକର୍ଷଣ ଅଧିକ ହେଉଛି ଏପରି ସ୍ଥଳେ ମଣିଷର କଲ୍ୟାଣ କାରି ତତ୍ୱ କଣ ବା କହିବେ, କହିବେ କି ସେହି ପରମପୁରୁଷଙ୍କ ନାମ ହିଁ ଆଶ୍ରା କରନ୍ତୁ। ସାଂସାରିକ ପ୍ରାଣୀ ମାନେ ନାନା ପ୍ରକାର ଜଞ୍ଜାଳରେ ଆବଦ୍ଧ ଅଟନ୍ତି ସେମାନେ ଭଗବାନଙ୍କ ନାମ କୀର୍ତ୍ତନ ଅବା କଥା ଶ୍ରବଣ ପାଇଁ କେତେଦୂର ଆଗ୍ରହୀ ହେବେ ତାହା ଜଣା ପଡୁନାହିଁ।

ଏଭଳି ଅନେକ ପ୍ରଶ୍ନ ଭିତରେ ବୁଡ଼ି ରହି ଶ୍ରୀ ସୂତ ମହାରାଜ ନିରବ ରହିବା ଶ୍ରେୟ ମଣିଲେ। କିନ୍ତୁ ଶୌନକ ଋଷି ଆଦି ଛାଡିବା ପାତ୍ର ନୁହଁନ୍ତି ସେମାନେ ପୁଣି ଅନୁନୟ ହୋଇ ପ୍ରାର୍ଥନା କଲେ ହେ ସୂତ ମହାମୁନି ଦୟାକରି ଆମ ପ୍ରଶ୍ନର ଉତ୍ତର ଦିଅନ୍ତୁ। କଳିଯୁଗ ପ୍ରଭାବରୁ ମୂକ୍ତ ରହିବା ପାଇଁ ଆମେ ମାନେ ଏହି ପରମ ବୈଷ୍ଣବ କ୍ଷେତ୍ରରେ ରହି ଦୀର୍ଘ ଦିନ ଯଜ୍ଞ ଅନୁଷ୍ଠାନ କରି ଭଗବତ କଥା ଶ୍ରବଣ ପାଇଁ ସଂକଳ୍ପ ନେଇଛୁ ଆପଣ ଆମକୁ ସେହି ସାର ତତ୍ତ୍ୱର ଜ୍ଞାନ ଦିଅନ୍ତୁ ଯାହା ଜଗତ କଲ୍ୟାଣ କରିବ।

ଏହମଧ୍ୟ ପଢନ୍ତୁhttps://odishasambad.in/shrimad-bhagwat-katha-94-the-unique-speaker-of-the-srimad-bhagwata-is-sri-suta-or-ugrasrava/

ଆମ ମନରେ ଉଠିଥିବା ଜିଜ୍ଞାସାକୁ ଆପଣ ନିଜ ଜ୍ଞାନର ଗଙ୍ଗାରେ ପବିତ୍ର କରନ୍ତୁ ଓ ଆମ ମନର ଉଦବେଗକୁ ଶାନ୍ତି କରନ୍ତୁ। ଏହାର ଉତ୍ତରରେ ସୂତ ମହାମୁନି କଣ କହିଲେ ତାହା ଜାଣିବା ଆଗାମୀ ଅଧ୍ୟାୟରେ ଏଵେ ସେହି ଭାଗବତର ଅମୀୟ ବାଣୀଙ୍କୁ ମନନ କରିବା
ସେ କୃଷ୍ଣ ଚରଣ କମଳେ।
ସୁଜନେ ଚିନ୍ତ ସୁନିଶ୍ଚଳେ।।
ମାୟା ସଂସାରେ ନୁହେଁ ରତ।
ଛାଡି ଅମୃତ ଭାଗବତ।।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Comments are closed.