Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୯୯: ପରମାତ୍ମାଙ୍କଠାରେ କୌଣସି କାମନା ନରଖି ଭକ୍ତି କଲେ, ତାହାହିଁ ସର୍ବଶ୍ରେଷ୍ଠ ଧର୍ମ ନାମରେ କଥିତ ହୋଇଥାଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭଗବତ ପରି ମହାପୁରାଣ ଆରମ୍ଭ ପୂର୍ବରୁ ଶ୍ରୀସୂତ ମହାମୁନି ଉପଦେଶ ଛଳରେ କହିଲେ ହେ ଶୌନକ ଆଦି ଋଷି ଗଣ ସଂସାରରେ ଅନେକ ମହାନ ଓ ଜ୍ଞାନୀ ବକ୍ତା ମିଳିବେ କିନ୍ତୁ ଆପଣ ମାନଙ୍କ ଭଳି ଶ୍ରଦ୍ଧାବାନ ନିଷ୍ଠାପର ଶ୍ରୋତା ମିଳିବା ଅତ୍ୟନ୍ତ କଷ୍ଟକର। ଆପଣ ମାନଙ୍କ ଜିଜ୍ଞାସାର ସ୍ତର ମଧ୍ୟ ବହୁତ ଉଚ୍ଚରେ ସେଥିପାଇଁ ଆପଣ ଯେଉଁ ଛଅ ଗୋଟି ପ୍ରଶ୍ନ ପଚାରିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ।

ଆପଣ କେବଳ ଲୋକ କଲ୍ୟାଣ ଉଦ୍ଦେଶ୍ୟ ରେ ଏଭଳି ପ୍ରଶ୍ନ କରିଛନ୍ତି, ଆପଣ ଭଲ ଭାବରେ ଜାଣିଛନ୍ତି ଯେ ଦୁନିଆରେ ଶ୍ରୀକୃଷ୍ଣଙ୍କ ଚରିତ ଏକମାତ୍ର ଉପାଦେୟ ବିଷୟ ସେଥିପାଇଁ ସବୁ ଜାଣି ମଧ୍ୟ ମୋ ମୁଖରେ ସେହି ଚରିତ ଆଉ ଥରେ ଶୁଣିବାକୁ ଚାହାନ୍ତି। ଅବଶ୍ୟ ଏହି ଶ୍ରୀକୃଷ୍ଣ ଚରିତ ଉଭୟ ବକ୍ତା ଓ ଶ୍ରୋତାଙ୍କୁ ଆନନ୍ଦ ଦେବ। ମୋ ଗୁରୁଦେବ ଶ୍ରୀଶୁକଦେବଙ୍କ ଆଶୀଷରୁ ମୁଁ ଏହା ପ୍ରାପ୍ତ ହୋଇଛି। ତେବେ ଆମ ସମସ୍ତଙ୍କ ପରମ ଧର୍ମ କଣ ତାହା ଉପଲକ୍ଷ୍ୟ କରି ଶ୍ଳୋକଟି
“ସର୍ବେ ପୁଂସାଂ ପରୋଧର୍ମୋ ଯତୋ ଭକ୍ତିରଧୋକ୍ଷକେ ଅହେତୁକ୍ୟ ପ୍ରତିହତା ଯତାତ୍ମା ସଂପ୍ରସୀଦତି।

ଅର୍ଥାତ ପରମାତ୍ମାଙ୍କ ଠାରେ କୌଣସି କାମନା ନରଖି ଭକ୍ତି କରିଗଲେ, ତାହାହିଁ ସର୍ବଶ୍ରେଷ୍ଠ ଧର୍ମ ନାମରେ କଥିତ ହୋଇଥାଏ, ସେ ଭଳି ଭକ୍ତି ଫଳରେ ମନ୍ୟୁଷର ଅନ୍ତରଆତ୍ମା ପ୍ରସନ୍ନ ହୋଇ ଥାଏ ଶ୍ରୀଭଗବାନଙ୍କ ଶ୍ରୀଚରଣେ ନିଷ୍କାମ ଭକ୍ତି ଜାତ ହେଲେ ଇହଲୋକ ଓ ପରଲୋକର ସମସ୍ତ ଇଷ୍ଠ ସାଧିତ ହୋଇଥାଏ। ଜୀବର ହୃଦୟପଦ୍ମରେ ପରମାତ୍ମାଙ୍କ ଆସନ ସ୍ଥିର ହୋଇ ରହିପାରିଲେ କାମ, କ୍ରୋଧ ରୂପକ ଷଢ଼ ରିପୁ ସେଠାରେ ପଶି ପାରିନଥାନ୍ତି।

ଶାସ୍ତ୍ର ପୁରାଣ କହିଛି ମଣିଷର ସମସ୍ତ ଦୁଃଖର କାରଣ ତାମନରେ ସଂସାରର ବିଷୟ ବାସନା ପ୍ରତି ଥିବା ଅହେତୁକ କାମନା, ଯଦି ହୃଦୟ ମଧ୍ୟରେ କେବଳ ଈଶ୍ୱର ଭକ୍ତିକୁ ସ୍ଥାନ ଦେବା ତେବେ କାମନାର ଅଭିଳାଷ ରହିବକି? ସେଥିପାଇଁ ଭକ୍ତଟିଏ ସର୍ବଦା ପ୍ରସନ୍ନ ଚିତ୍ତରେ ରହେ, ସେ ଭଗବତ ପ୍ରେମରେ କ୍ରନ୍ଦନ କଲେ ମଧ୍ୟ ତା ଶରୀରର କାନ୍ତି ବିବର୍ଣ ହୁଏନାହିଁ। ଅତଏବ ଭଗବତ ଭକ୍ତି ରୂପକ କାର୍ଯ୍ୟକ୍ରମ ଆୟୋଜନ ମନ୍ୟୁଷଙ୍କୁ ମହାଦୁଃଖରୁ ନିସ୍ତାର ପାଏ, ଆମେ ମାନେ ବର୍ତ୍ତମାନ ସେହି କର୍ମ କରିବାକୁ ଯାଉଛେ ଶ୍ରୀକୃଷ୍ଣ ଚରିତ ସହିତ ଆମେ ତ୍ରିବର୍ଗ ଅର୍ଥାତ ଧର୍ମ, ଅର୍ଥ ଓ କାମ ବିଷୟରେ ଆଲୋଚନା କରିବା।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-98-why-does-god-or-the-supreme-being-take-incarnation/

ଏହି କଥା ଶୁଣି ଶୌନକ ଆଦି ଋଷି ଗଣ ଅତ୍ୟନ୍ତ ଆନନ୍ଦିତ ହେଲେ ଓ ଶ୍ରୀସୂତଙ୍କ ଅମୂଲ୍ୟ ବାଣୀ ଶୁଣିବା ପାଇଁ ସଜାଗ ହୋଇ ଗଲେ ଆମେ ଏଵେ ସଜାଗ ହୋଇ ଭାଗବତଙ୍କ ଅମୀୟ ବାଣୀ ମନନ କରିବା ଯଥା
କୃଷ୍ଣ ଚରିତ ଅମୃତ ବାରିଧି।
କଳି କଳୁଷ ରୋଗକୁ ଔଷଧି।।
ପୁନଶ୍ଚ
ପରମ ଧର୍ମ ଏ ଜଗତେ।
କୃଷ୍ଣ ଭକତି ଯେଉଁ ମତେ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.