Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୦୨: ତାଙ୍କରି ସୃଷ୍ଟିରେ ପ୍ରତ୍ୟେକ ଜୀବ ତାଙ୍କ ପାଇଁ ସମାନ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ କିଛି ଚରିତ୍ର ଆମମାନଙ୍କୁ ଅତ୍ୟନ୍ତ ଦୁଷ୍ଟ ବୋଲି ପ୍ରତୀତ ହୁଅନ୍ତି, କିନ୍ତୁ ବିଶେଷ ଭାବରେ ତର୍ଜମା କଲେ ଜଣାଯାଏ ଯେ ହିରଣ୍ୟ, ହିରଣ୍ୟାକ୍ଷ, ଶିଶୁପାଳ, ଦନ୍ତବତ୍ର ପ୍ରଭୁତି ଭାଗବତ ବର୍ଣିତ ଚରିତ୍ର ମାନେ ଭଗବାନଙ୍କ ଅନନ୍ୟ ଭକ୍ତ ଅଟନ୍ତି। ଏବଂ ବୈକୁଣ୍ଠରେ ପ୍ରଭୁ ପରମେଶ୍ୱରଙ୍କର ପାରିଷଦ ଅଟନ୍ତି। ପ୍ରଭୁଙ୍କର ଗୋଲକଧାମ ଛାଡି ମର୍ତ୍ୟରେ ଲୀଳା ରଚିବାକୁ ଇଚ୍ଛା ହେଲେ ପ୍ରଥମେ ସେହିମାନେ ଜନ୍ମ ନେଇଥାନ୍ତି।

ସେମାନେ ପ୍ରଚଣ୍ଡ ଈଶ୍ୱରୀୟ ଶକ୍ତିରେ ଶକ୍ତିମାନ ହୋଇ ପ୍ରଭୁଙ୍କର ଲୀଳା ବିସ୍ତାରିତ କରିବା ପାଇଁ ଏହିପରି ବିରୋଧି କାର୍ଯ୍ୟ କରିଥାନ୍ତି, ଭାଗବତଙ୍କର ମୂଳ ତତ୍ତ୍ୱ ହେଉଛି ପରମେଶ୍ୱରଙ୍କ ଅବତାର ଗ୍ରହଣ ଓ ଭକ୍ତ ମାନଙ୍କ ଉଦ୍ଧାର ନିମନ୍ତେ ଦୁଷ୍ଟ ନିବାରଣ। ଆମେ ମାନେ ଯଦି ପ୍ରଭୁଙ୍କର ଅବତାର ତତ୍ୱକୁ ବିସ୍ଲେସଣ କରିବା ତେବେ ଜାଣିବା ଯେ ପରମେଶ୍ୱର କେବଳ ମନୁଷ୍ୟ ରୂପରେ ଅବତାର ନିଅନ୍ତି ନାହିଁ, ତାଙ୍କର ଅବତାର ଉଚ୍ଚ ବର୍ଗରେ ତଥା ନୀଚ ବର୍ଗରେ ମଧ୍ୟ ହୋଇଥାଏ। ମତ୍ସ୍ୟ, କୁରୁମ, ବରାହ ଆଦି ପଶୁ ଯୋନିରେ ମଧ୍ୟ ଅବତାର ହୋଇଛି। ତାଙ୍କରି ସୃଷ୍ଟିରେ ପ୍ରତ୍ୟେକ ଜୀବ ତାଙ୍କ ପାଇଁ ସମାନ। ସେ ନିଜ ଇଚ୍ଛା ମୁତାବକ ତଥା ଆବଶ୍ୟକତା ମୁତାବକ ଅବତାର ଗ୍ରହଣ କରିଥାନ୍ତି।

ତାଙ୍କ ମହିମା ବର୍ଣିତ ଗୁଣ କୀର୍ତନ ହିଁ ପ୍ରକୃତ ଭଗବତ ସେଵା ରୂପେ ପରିଗଣିତ ହୋଇଥାଏ। ସେହି ଦୃଷ୍ଟିରୁ ଦେଖିଲେ କିଛି ଦୁଷ୍ଟ ଚରିତ୍ରର ବର୍ଣନା ପରମେଶ୍ୱରଙ୍କ ଲୀଳା ବା ମହିମା ବର୍ଣନା ସହିତ ସଂଯୁକ୍ତ ହୋଇ ଥାନ୍ତି। ସେମାନେ ମହିମା ବର୍ଣନାର ଅଭିନ୍ନ ଅଙ୍ଗ ହୋଇ ଭାଗବତ ଗ୍ରନ୍ଥରେ ସ୍ଥାନ ପାଇଛନ୍ତି। ସେହିପରି ତିନି ଗୁଣ ସତ୍ୱ, ରଜ, ଓ ତମ ଆଧାରରେ ଭାଗବତରେ ବର୍ଣିତ ଚରିତ୍ର ମାନେ ପ୍ରକଟିତ ହୁଅନ୍ତି। ଯଥା ସତ୍ୱ ଗୁଣର ଅଧିକାରୀ ହେଲେ ମୁନି ଋଷି ଗଣ ରଜ ଓ ତମ ଗୁଣର ଅଧକାରୀ ହେଲେ ଏହି ଦୁଷ୍ଟ ଚରିତ୍ର ଗଣ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-101-the-one-who-has-a-relationship-with-god-is-the-one-who-is-blessed/

ସେମାନଙ୍କ ଉପସ୍ଥିତି ବିନା ପ୍ରମେଶ୍ୱରଙ୍କ ଲୀଳା ପ୍ରକଟ ହୋଇ ପାରେନି, ଏହା ଛଡା ଜୀବ ଜଗତରେ ଷଢ଼ ରିପୁ ବିରାଜମାନ କରିଥାଏ ଯଥା କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏହି ଗୁଡିକର ପୂର୍ଣ୍ଣ ପ୍ରକାଶ କରିବା ପାଇଁ ଏହି ଦୁଷ୍ଟ ଚରିତ୍ର ମାନଙ୍କୁ ସଂସାରକୁ ପରମେଶ୍ୱରଙ୍କ ଇଚ୍ଛାରେ ପ୍ରେରଣ କରାଯାଇଥାଏ। ସଂସାର କଲ୍ୟାଣ ପାଇଁ ସମସ୍ତ ଗୁଣ ଓ ଅଗୁଣ ମାନଙ୍କୁ ପ୍ରକାଷିତ କରାଇ ତାର ବିନାଶର କାରଣ ନିଜେ ପରମେଶ୍ୱର ହିଁ ହୋଇଥାନ୍ତି। ତେଣୁ ଏଵେ ମନୁଷ୍ୟ ମାନଙ୍କ ମୂଖ୍ୟ କର୍ତ୍ତବ୍ୟ ଏପରି ହେବା ଉଚିତ ଯେ ନିଜ ଭିତରେ ଥିବା ଷଢ଼ ରିପୁର ବିନାଶ ପାଇଁ ସର୍ବଦା ଭାଗବତ ପଠନ, ଶ୍ରବଣ ଓ ମନନ କରିବା ଉଚିତ। କାରଣ ଶ୍ରୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ କହେ
ପରମ ମଙ୍ଗଳ ଏ ବାଣୀ।
ଜୀବ ନିସ୍ତରେ ଯାହା ଶୁଣି।।
ପୁନଃ
ଯେ ସତ୍ୱ ରଜ ତମ ଗୁଣ।
ସୃଷ୍ଟି ପାଳନ ସଂହାରଣ।।
ସ୍ଵଭାବେ ନିର୍ଗୁଣ ମୁରାରୀ।
ଖେଳଇ ତ୍ରିଗୁଣ ଆବୋରି।।
ତେଣୁ ହେ ଭକ୍ତ ଗଣ ସବୁ ସେହି ପରମପୁରୁଷ, ପରମେଶ୍ୱରଙ୍କ ଲୀଳା ଖେଳା, ଏଥିରେ ବିଶେଷ ଭାବନା ନକରି କେବଳ ପରମାତ୍ମା ଶ୍ରୀକୃଷ୍ଣଙ୍କ ପାଦରେ ମତି ଲଗାଇଲେ ନିଶ୍ଚିତ ଈଶ୍ୱରୀୟ କୃପା ଲାଭ ହେବ। ମନରେ ଦ୍ଵନ୍ଦ ହେଲେ ତାର ସମାଧାନ ନିଶ୍ଚୟ ସେହି ଶାସ୍ତ୍ରରେ ହିଁ ମିଳିବ। କିନ୍ତୁ ଖୋଜିବା ଆବଶ୍ୟକ, ଖୋଜନ୍ତୁ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.