ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଯାହାର ମୂଳ ଆଧାର ହେଲା ଶ୍ରୀକୃଷ୍ଣ ପ୍ରେମଭକ୍ତି କିନ୍ତୁ ଗୋପୀ ମାନଙ୍କ ପ୍ରେମ ଭକ୍ତିର ପରାକାଷ୍ଠା ସବୁଠାରୁ ଉତ୍କୃଷ୍ଟ ଓ ଦୁର୍ଲ୍ଲଭ ସେଥିପାଇଁ କବି ଦେବ ଦୁର୍ଲଭ ଦାସ ନିଜ ରଚନାରେ ଲେଖିଲେ
“ଚାରିଭକ୍ତି ମଧେ ପ୍ରେମଭକ୍ତି ଅଟେ ସାର, ସେ ଭକ୍ତି ଅଟଇ କୋଠ ଗୋପୀ ମାନଙ୍କର ଗୋ।
ଗୋପୀଙ୍କି ଭଜିଲା ଲୋକ ପ୍ରେମଭକ୍ତି ପାଇ, ବିନା ପ୍ରେମଭକ୍ତିରେ ଦର୍ଶନ ମୋତେ ନାହିଁ ଗୋ।
ପ୍ରେମଭକ୍ତି ପ୍ରାପତ ଗୋପୀଙ୍କ ପରସନେ, ପୁଲିଙ୍ଗ ପାଲଟି ସ୍ତିରୀ ହୁଅଇ ତକ୍ଷଣେ ଗୋ।
ଅର୍ଥାତ ସର୍ବ ଶ୍ରେଷ୍ଠ ଭକ୍ତି ପ୍ରେମ ଭକ୍ତି କେବଳ ଗୋପୀ ମାନଙ୍କ କୋଠ ସମ୍ପତ୍ତି, ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଏହି ପ୍ରେମ ଭକ୍ତି ନିତ୍ୟାନ୍ତ ଆବଶ୍ୟକ, ଆଉ ସେହି ପ୍ରେମ ଭକ୍ତି ଗୋପୀ ମାନଙ୍କ ପ୍ରସନ୍ନତା ବିନା ମିଳେନି, ସେଥିପାଇଁ ପୁରୁଷ ମଧ୍ୟ ସ୍ତ୍ରୀ ପାଲଟି ଯାଆନ୍ତି ଆଉ ଗୋପୀ ମାନଙ୍କ କୃପା ଭିକ୍ଷା କରନ୍ତି। କିନ୍ତୁ ଏହା କେବଳ ଆତ୍ମିକ ସ୍ତରରେ, ଶାରୀରିକ ପରିବର୍ତ୍ତନ ବିନା ହୋଇଥାଏ ଓ ସଂସାରରେ ଏହାକୁ ଗୋପୀ ଭାବ କୁହାଯାଏ।
ଗୋପୀ ମାନଙ୍କ ଏହି ଭାବ ଏତେ ସୁଦୃଢ ଯେ ପ୍ରେମମୟ ଶ୍ରୀକୃଷ୍ଣ ନିଜେ ଗୋପୀଙ୍କୁ କହିଥିଲେ
“ନପାରୟେଦହଂ ନିରବଦ୍ୟସଂ ଯୁଜା ସ୍ୱା ସାଧୁକୃତ୍ୟଂ ବିବୁଧାୟୁଷା ପିବଃ।
ଯା ମା ଭଜନ ଦୁର୍ଦ୍ଧରଗେହ ଶୃଙ୍ଖଳା ସଂବୃଶ୍ଚ ତଦ୍ଵଃ ପ୍ରତିଯାତୁ ସାଧୁନା।।
ଏହାର ଭାବାର୍ଥ ହେଲା “ହେ ଗୋପୀ ଗଣ, ତୁମର ନିର୍ଦୋଷ ପ୍ରେମମୟ ବ୍ୟବହାର ଓ ମୋ ସହିତ ମିଳନ ଅତ୍ୟନ୍ତ ଦୁର୍ଲ୍ଲଭ, ତୁମେମାନେ ଅଛେଦ୍ୟ ଗୃହଶୃଙ୍ଖଳ ଛିନ୍ନ କରି ମୋର ଯେପରି ଭଜନ କରୁଛ ତାର ଋଣ ପରିଶୋଧ କରିବାର ଶକ୍ତି ମୋ ପାଖରେ ନାହିଁ। କାରଣ ଏହା ତୁମ ମାନଙ୍କ ସରଳ ମନର ପରିପ୍ରକାଶ ସେଥିପାଇଁ ପୂଜ୍ୟ ବାୟାବାବା କହନ୍ତି
“ମନରେ ଅଛି ତ ମାଳରେ ଅଛି, ଭଜି ଭଜି କରି ପାଇବୁ କିଛି।
ମନରେ ନାହିଁ ତ ମାଳରେ ନାହିଁ, ଭଜି ଭଜି କରି ପାଇବୁ କାହିଁ।।
ଅର୍ଥାତ ଗୋପୀ ମାନଙ୍କ ଭଳି ସର୍ବଦା ଶ୍ରୀକୃଷ୍ଣଙ୍କୁ ହୃଦୟରେ ରଖିବ, ଯଦି ମନରେ ଶ୍ରୀକୃଷ୍ଣ ସର୍ବଦା ଥିବେ ତେବେ ଜପ (ମାଳା କରି ଜପିବା) ରେ ମଧ୍ୟ ରହିବେ। ନଚେତ ଶ୍ରୀକୃଷ୍ଣ ଙ୍କୁ ପାଇବା ସହଜ ନୁହେଁ। ପ୍ରେମମୟୀ ଗୋପୀ ମାନେ ଶ୍ରୀକୃଷ୍ଣ ଙ୍କୁ ଯେପରି ନିଜକୁ ଭୁଲି ଆପଣାର କରିଛନ୍ତି ଗୋପୀ ପ୍ରେମଦାସ ଶ୍ରୀକୃଷ୍ଣ ମଧ୍ୟ ସର୍ବଦା ଗୋପୀ ମାନଙ୍କ ପାଶେ ପାଶେ ରହିଛନ୍ତି, ଭଗବାନ ଶ୍ରୀକୃଷ୍ଣ (ପରମ ସ୍ୱରୂପ)ଓ ପ୍ରେମମୟୀ ଗୋପୀ ଗଣ ଜୀବ ସ୍ୱରୂପ କିନ୍ତୁ ଭାବ ଏମିତି ଯେ ସେଥିରେ ଭବ ମାୟା ପଶି ପାରେନି। ଏହା ମୁନିଜନଦୁର୍ଲଭ ପ୍ରେମଭକ୍ତି।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-129-the-devotion-of-the-gopis-described-in-the-srimad-bhagwat-is-pure-devotion-without-knowledge/
ଅର୍ଥାତ ଯେତିକି ପ୍ରେମ ପୂର୍ଣ୍ଣ, ସେତିକି ଭକ୍ତି ରସରେ ପ୍ଲାବିତ ସାଧାରଣ ଚିତ୍ତରେ ଏହାକୁ ଚିନ୍ତା କରିବା ସମ୍ଭବ ନୁହେଁ। ଆସନ୍ତୁ ସେହି ଅବ୍ୟକ୍ତ ପ୍ରେମଭକ୍ତି ଲାଭ କରିବା ପାଇଁ ଅହରହ ଚିନ୍ତା କରିବା ପ୍ରେମ ଦାସ ଶ୍ରୀକୃଷ୍ଣଙ୍କୁ ମନରେ ଓ ହୃଦୟରେ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.