ଭୁବନେଶ୍ୱର: ଆଳୁ ପ୍ରତ୍ୟେକ ପରିବାରର ଏକ ପରିଚିତ ପରିବା । ସାରା ବିଶ୍ୱରେ ଏହା ଏ ଭଳି ଏତେ ଲୋକପ୍ରିୟ ହୋଇଯିବ ତାହା କେହି କେବେ ଭାବି ନ ଥିଲେ । ଅବଶ୍ୟ ଆଳୁ ଏକ ଭଲ ଏବଂ ସ୍ୱାସ୍ଥ୍ୟକର ପରିବା ଭାବେ ଏବେ ବି ଗଣତି ହେଉ ନାହିଁ । ଆଳୁର ସୃଷ୍ଟି ନେଇ ପୂର୍ବରୁ ଅନେକ ପ୍ରକାରର ତଥ୍ୟ ଉପସ୍ଥାପନ କରାଯାଇଛି । ଏବେ ବୈଜ୍ଞାନିକମାନେ ଆଳୁ କିପରି ସୃଷ୍ଟି ହେଲା ଆଉ ଏକ ରୋଚକ ତଥ୍ୟ ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ଟମାଟୋ ଏବଂ ଜଙ୍ଗଲୀ ଆଳୁର ସମ୍ମିଶ୍ରଣରେ ଏହାର ସୃଷ୍ଟି । ୮୦ରୁ ୯୦ ଲକ୍ଷ ବର୍ଷ ତଳେ ପୃଥିବୀରେ ଏପରି ଏକ ପ୍ରଜାତି ଥିଲା ଯାହା ସମ୍ପୂର୍ଣ୍ଣ ଭାବେ ଟମାଟୋ କିମ୍ବା ଆଳୁ ନ ଥିଲା । ଏଟ୍ୟୁବ୍ୟୁରୋସିସ ସହ ଟମାଟୋର ମିଶ୍ରଣରେ ଆମ ପ୍ରିୟ ଆଳୁର ସୃଷ୍ଟି ହୋଇଥିଲା ।
ଏହି ଏଟ୍ୟୁବ୍ୟୁରୋସିସ ଚିଲିରେ ଦେଖିବାକୁ ମିଳେ । ବାଇଗଣ ଓ ତମ୍ବାଖୁ ଶ୍ରେଣୀରେ ଏହା ଯାଏ । ଆଳୁ ସୃଷ୍ଟି ହେବା ପରେ ସେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଟମାଟୋ ଏବଂ ଏଟ୍ୟୁବ୍ୟୁରୋସିସଠାରୁ ଭିନ୍ନ ହେଲା । କଷ୍ଟକର ପରିବେଶରେ ଆଳୁ ବଂଚି ରହିପାରିଲା । ସବୁ ସ୍ଥାନରେ ଏହାକୁ ଚାଷ କରାଯାଇ ପାରିଲା । ଏହା ମଧ୍ୟରେ ପାଣି ଓ ପୋଷକ ତତ୍ୱ ଜମା ହୋଇ ରହିଲା । କାଳକ୍ରମେ ଏହା ସାରା ବିଶ୍ୱର ପ୍ରିୟ ପରିବା ହୋଇଗଲା । ଏବେ ଏହି ନୂଆ ଆଳୁ କିନ୍ତୁ ଟମାଟୋ ସହ ଆଉ ପ୍ରଜନନ କରିପାରିବ ନାହିଁ ।
Comments are closed.