Latest Odisha News

BREAKING NEWS

ଡିଗ୍ରୀ ଦେବାରେ ବିଫଳ କଲେଜ, ୨୯ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲେଖାଏଁ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଏକ ଘରୋଇ କଲେଜ ୨୯ ଜଣ ଇଞ୍ଜିନିୟରିଂ ସ୍ନାତକଙ୍କୁ ଗ୍ରେଡ୍ ସିଟ୍ ଏବଂ ଡିଗ୍ରୀ ପ୍ରମାଣପତ୍ର ଦେବାରେ ବିଫଳ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି) ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଭୁଲ୍ ଦ୍ଵାରା ଛାତ୍ରଛାତ୍ରୀ ମାନେ ମାନସିକ ଯନ୍ତ୍ରଣା ଓ କ୍ୟାରିୟରରେ କ୍ଷତି ସହିଥିବାରୁ ଦୁଇଟି ପ୍ରମୁଖ ଖବରକାଗଜରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପୂର୍ବରୁ କଲେଜର ୪୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ସମାନ କାରଣରୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ କମିଶନଙ୍କ ନିକଟକୁ ଯାଇ ନଥିଲେ। ତେବେ ପ୍ରତ୍ୟେକଙ୍କୁ ୨୦୦୦୦ଟଙ୍କା ଲେଖାଏଁ କ୍ଷତିପୂରଣ ବାବଦକୁ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଏଥିସହିତ ଯଦି ୬୦ ଦିନ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାନଯାଏ ତେବେ ପୂର୍ଣ୍ଣ ଦେୟ ନହେବା ପର୍ଯ୍ୟନ୍ତ ପ୍ରତିବର୍ଷ ୧୨% ହିସାବରେ ସୁଧ ମଧ୍ୟ ଆଦାୟ କରାଯିବ।

୨୦୨୨ ମସିହାରେ, ୨୦୧୮-୧୯ ବ୍ୟାଚର ଇଞ୍ଜିନିୟରିଂ ସ୍ନାତକମାନେ ଓଏଚଆରସିରେ ଏନେଇ ଅଭିଯୋଗ କରିଥିଲେ । ପରେ ୨୫ ଜୁଲାଇ ୨୦୨୨ରେ କଲେଜ ଅଧ୍ୟକ୍ଷ, କମିଶନର ସମ୍ମୁଖରେ ହାଜର ହୋଇଥିଲେ କିନ୍ତୁ ପ୍ରମାଣପତ୍ର ପ୍ରଦାନ ନକରିବାର କାରଣ ଜଣାଇ ପାରିନଥିଲେ। ନିୟମ ଅନୁଯାୟୀ ଫି ଜମା କରିବା ପରେ କଲେଜକୁ ବିଜୁ ପଟ୍ଟନାୟକ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (BPUT) ରୁ ପ୍ରମାଣପତ୍ର ପାଇବାର ଥିଲା କିନ୍ତୁ କଲେଜ ତାହା କରିନଥିଲା।

ତେବେ ଅଗଷ୍ଟ ୨୦୨୨ ରେ ଯେତେବେଳେ ମାମଲାର ଶୁଣାଣି ହୋଇଥିଲା ସେହି ସମୟରେ କଲେଜ BPUT ରେ ୨୧ ଲକ୍ଷ ଟଙ୍କା ଜମା କରି ୧୫୮ ଜଣ ଛାତ୍ରଙ୍କ ପ୍ରମାଣପତ୍ର ପାଇଥିଲା।ଯେଉଁମାନଙ୍କ ମଧ୍ୟରୁ ୧୨୮ ଜଣ ୨୦୧୮ ରେ ପାସ୍ କରିଥିଲେ ଏବଂ ୩୦ ଜଣ ୨୦୧୯ ରେ BTech/MTech ସମାପ୍ତ କରିଥିଲେ। ଅନ୍ୟ ଛାତ୍ରମାନେ ୨୦୨୩ ଏବଂ ୨୦୨୪ ରେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କର ପ୍ରମାଣପତ୍ର ପାଇଥିଲେ।

 

Comments are closed.