ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ ।
ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା କରାଯାଇଥାଏ ।
ଓଡିଆ ପରମ୍ପରାରେ ପ୍ରଚଳିତ ବାର ମାସରେ ତେର ପର୍ବ ମଧ୍ୟରେ ଶାମ୍ବଦଶମୀ ଅନ୍ୟତମ ।
ଏହି ପର୍ବରେ ମା’ ମାନେ ସନ୍ତାନଙ୍କ ନାମରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଦେବତାଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଇଥାନ୍ତି । ସଂଧ୍ୟାରେ ଘଡଘଡିଆ ତରକାରୀ ଓ ଯମରାଜାଙ୍କ ଉଦ୍ଦେଶ୍ୟରେ ବୁଢା ଚକୁଳି ପ୍ରସ୍ତୁତ କରାଯାଇ ଛଡାଯିବାର ବିଧି ରହିଛି ।
ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ପକାଇଥିବା ନେଇ ଜଣାପଡିଛି ।
କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ କୃଷ୍ଠ ରୋଗାକ୍ରାନ୍ତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ । ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି।
Comments are closed.