Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୪୨: ନିଜ ମନକୁ ଚିନ୍ତା ମୁକ୍ତ କରି ଶିଶୁ ଭଳି ସରଳ ମନର ଅଧିକାରୀ ହେବା ଏତେ ସହଜ ନୁହେଁ, ଏଥିପାଇଁ ବର୍ଷ ବର୍ଷର ତପସ୍ୟା ଦରକାର

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅବଧୂତଙ୍କ ଚବିଶି ଗୁରୁ ଚୟନ ବିଷୟ ଆମେ ଆଲୋଚନା କରୁଛେ। ଏହି ଅବସରରେ ଗୋଟିଏ ବିଷୟ ନିତ୍ୟାନ୍ତ ଭାବେ ଆମର ଦୃଷ୍ଟି ଗୋଚର ହେଉଛି ଯେ ଅବଧୂତ ମହାରାଜ ଗୁଣ ଗୁଡିକ ଗ୍ରହଣ କରିବା ଠାରୁ ଅବଗୁଣକୁ ତ୍ୟାଗ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି, ଏହି ପରିପ୍ରେକ୍ଷୀରେ ଆଗାମୀ ଗୁରୁ ଭାବେ
18.କୁରର ବା ସଞ୍ଚାଣ :- ଏହା ଏକ ଶିକାରୀ ପକ୍ଷୀ ଅଟେ, ଜଙ୍ଗଲରେ ଯେପରି ବାଘ ଅନ୍ୟ ପଶୁ ମାରି ଉଦର ପରିପୋଷଣ କରେ ସେପରି ପକ୍ଷୀ ସମାଜ ମଧ୍ୟରେ କୁରର ଅବା ସଞ୍ଚାଣ ଅନ୍ୟ ନିରୀହ ପକ୍ଷୀଙ୍କୁ ଶିକାର କରି ଖାଇଥାଏ। କିନ୍ତୁ ତାର ଏହି ବିଶେଷ ଗୁଣ ପାଇଁ ବ୍ୟାଧମାନେ ସଞ୍ଚାଣ ପକ୍ଷୀକୁ ପାଳନ କରନ୍ତି ଓ ଏହାଙ୍କୁ ପକ୍ଷୀ ଶିକାର କରିବାରେ ନିୟୋଜିତ କରିଥାନ୍ତି। ଏହିଠାରେ ଅବଧୂତ ମହାରାଜ ଏକ ବିଶେଷ ଦୃଷ୍ଟିରେ ଘଟଣାକୁ ଲକ୍ଷ୍ୟ କରିଛନ୍ତି।

ସେ ଦେଖିଛନ୍ତି ସଞ୍ଚାଣ ପକ୍ଷୀଟି ଶିକାର କରୁଥିବା ପକ୍ଷୀ ମାନଙ୍କୁ ବ୍ୟାଧ ସଂଗ୍ରହ କରି ନିଜ ଖାଦ୍ୟ ପାଇଁ ନେଉଛି, କିନ୍ତୁ ସଞ୍ଚାଣ ପକ୍ଷୀ ନିଜର ପ୍ରାପ୍ୟ ମଧ୍ୟ ଠିକ ରୂପେ ପାଉ ନାହିଁ ତେଣୁ ଅବଧୂତ ମହାରାଜ ଅନୁଭବ କରିଛନ୍ତି ଯେ ଯଦି କ୍ରୁର ପକ୍ଷୀ ନିଜର ଏହି ଶିକାର କରିବା ପ୍ରବୃତିକୁ ତ୍ୟାଗ କରି ଦିଅନ୍ତା ତେବେ ବ୍ୟାଧ ତାକୁ ବନ୍ଦୀ କରି ରଖି ଏହି ନିଷ୍ଠୁର କାର୍ଯ୍ୟରେ ନିୟୋଜିତ କରନ୍ତା ନାହିଁ। ଏହାକୁ ସେ ଅପରିଗ୍ରହୀତା ନାମ ଦେଇଛନ୍ତି। ଶ୍ରୀଜଗନ୍ନାଥ ଦାସ କହନ୍ତି
ଏଣୁ ମୁଁ ତାର ଦୁଃଖ ଚାହିଁ।
ତା ତହୁଁ ଗୁରୁ ଶିକ୍ଷା ପାଇ।।
ନ କରି ଵସ୍ତୁ ପରିଗ୍ରହ।
ଏକା ଭ୍ରମଇ ଶୂନ୍ୟ ଦେହ।।
ଯୋଗୀ ପୁରୁଷ ଟିଏର କୌଣସି ବାହ୍ୟ ଵସ୍ତୁ ପ୍ରତି ଲୋଭ ନଥାଏ କି କୌଣସି ନିଷ୍ଠୁର ପ୍ରବୃତି ନଥାଏ ସେ ଶୂନ୍ୟ ହସ୍ତରେ ଶୂନ୍ୟ ଦେହରେ ଜଗତ କଲ୍ୟାଣ ପାଇଁ ଭ୍ରମଣ କରୁଥାଏ, ତେବେ ଏପରି ଚିନ୍ତା ମୁକ୍ତ ଗୁଣ ଅବଧୂତ ମହାରାଜ ଶିଖିଲେ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-141-among-all-the-senses-the-tongue-is-the-most-acute-of-all-the-senses/

19.ବାଳକ ବା ଶିଶୁ :- ସତରେ ସାରା ଜଗତ ଶିଶୁ ବାଳକ ମାନଙ୍କ ସରଳତାର ପ୍ରମାଣ ସର୍ବଦା ଦେଇଥାନ୍ତି, ଭାରତୀୟ ସଂସ୍କୃତିରେ ଶିଶୁର ସରଳତାକୁ ଭଗବାନଙ୍କ କରୁଣା ସହ ତୁଳନା କରାଯାଏ। କୌଣସି ସାଂସାରିକ ଆବିଳତା ଶିଶୁଙ୍କ ମନକୁ ସ୍ପର୍ଶ କରି ନଥିବାରୁ ସେମାନେ ସର୍ବଦା ଚିନ୍ତାମୁକ୍ତ ରହିଥାନ୍ତି। ସେଥିପାଇଁ ସାଂସାରିକ ମାନ ଅପମାନ ତାଙ୍କୁ ସ୍ପର୍ଶ କରେ ନାହିଁ । ସର୍ବଦା ଖୁସି ରହି ଶିଶୁଟି ନିଜେ ଆନନ୍ଦ ଉପଭୋଗ କରିବା ସହିତ ଜଗତକୁ ଆନନ୍ଦ ପ୍ରଦାନ କରିଥାନ୍ତି। ଯୋଗୀ ପୁରୁଷ ବା ଗୁଣାତିତ ବ୍ୟକ୍ତି ଠିକ ଶିଶୁ ଟିଏ ଭଳି ବ୍ୟବହାର କରେ। ସଂସାରର ମୋହ ମାୟା ସେ ଆକୃଷ୍ଟ ହୁଏନି କି ସାଂସାରିକ ଆବିଳତା ତାଙ୍କୁ ସ୍ପର୍ଶ କରେନି। ଭଗବାନ ପ୍ରତ୍ୟେକ ଶିଶୁ ଠାରେ ଏହି ଗୁଣ ଦେଇଥାନ୍ତି ଓ ଯୋଗୀ ପୁରୁଷ ଏହି ଗୁଣ ନିଜ ସାଧନା ବଳରେ ପ୍ରାପ୍ତ କରିଥାଏ। ତେଣୁ ଅବଧୂତଙ୍କ ମୁଖରେ ଶ୍ରୀଜଗନ୍ନାଥ ଦାସ ବର୍ଣନା କଲେ
କିଛି ହିଁ ଚିନ୍ତା ନାହିଁ ତାର।
ଏଣୁ ବାଳକ ଗୁରୁ ମୋର।।
ନିଜ ମନକୁ ଚିନ୍ତା ମୁକ୍ତ କରି ଶିଶୁ ଭଳି ସରଳ ମନର ଅଧିକାରୀ ହେବା ଏତେ ସହଜ ନୁହେଁ ଏଥିପାଇଁ ବର୍ଷ ବର୍ଷ ର ତପସ୍ୟା ଦରକାର ନଚେତ ସ୍ୱୟଂ ଶ୍ରୀକୃଷ୍ଣ (ଭଗବାନ)ଙ୍କ ଆଶୀଷ ଦରକାର, ଶ୍ରୀମଦ ଭାଗବତ କହେ
ସାଧୁ ଜନଙ୍କର ଏ ଗତି।
କେବେ ଧର୍ମ ନ ଛାଡ଼ନ୍ତି।।
କ୍ଷଣ ଭଙ୍ଗୁର ଏ ଶରୀର।
ସୁଦୃଢ ପର ଉପକାର।।
ଆସନ୍ତୁ ତେବେ ସାଧୁ ପୁରୁଷ ଟିଏ ବନିବାର ଶପଥ ନେବା ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.