ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏଆଇ -୧୭୧ ବିମାନ ଦୁର୍ଘଟଣାରେ କେବଳ ପାଇଲଟଙ୍କ ତ୍ରୁଟି ଥିଲା ଏହା କହିବା ଦୁର୍ଭାଗ୍ୟଜନକ। ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରି ଏଭଳୀ କହିଛନ୍ତି। ଏହି ଘଟଣାରେ କୋର୍ଟ କେନ୍ଦ୍ର ସରକାର, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଏବଂ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଠାରୁ ଜବାବ ମାଗିଛନ୍ତି।
ଏଥିସହିତ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପାଇଲଟ୍ ମାନେ ଜାଣିଶୁଣି ଇନ୍ଧନ ଯୋଗାଣ ବନ୍ଦ କରିଦେଇଥିବା ଅଭିଯୋଗକୁ ମଧ୍ୟ ସୁପ୍ରିମକୋର୍ଟ କଡା ନିନ୍ଦା କରିଛନ୍ତି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦୁର୍ଘଟଣା ପାଇଁ ପାଇଲଟ ମାନଙ୍କୁ ଦାୟୀ କରାଯିବା ବିଷୟରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ ଅବଗତ କରାଇଥିଲେ। ଏହି ସମସ୍ତ ରିପୋର୍ଟ ସରକାରୀ ଭାବରେ ସରକାରଙ୍କୁ ପ୍ରଦାନ କରାଯିବା ପୂର୍ବରୁ ହିଁ ପ୍ରକାଶିତ ହୋଇଥିବା ସେ କହିଥିଲେ। ତେବେ ରିପୋର୍ଟରେ କ୍ୟାପ୍ଟେନ୍ ସୁମିତ ସବରୱାଲ ଏବଂ ଫାର୍ଷ୍ଟ ଅଫିସର କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ହିଁ ଦର୍ଶାଯାଇଥିଲା।
ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଏନ.କେ. ସିଂହଙ୍କ ଖଣ୍ଡପୀଠ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ଦୁର୍ଘଟଣାର ଏକ ପିଆଇଏଲ ଶୁଣାଣି କରିଥିଲେ। ଏହି ଦୁର୍ଘଟଣାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ସମୟରେ ଆଖପାଖରେ ଥିବା ୧୯ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଏହାକୁ ନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଗୋପନୀୟତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି।
ଏହି ମାମଲାରେ ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରଶାନ୍ତ ଭୂଷଣ ଦର୍ଶାଇଥିଲେ ଯେ ଅହମ୍ମଦାବାଦ ଏୟାର ଇଣ୍ଡିଆ ଦୁର୍ଘଟଣା ପରେ ୧୦୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହାର କେବଳ ଏକ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ହିଁ ପ୍ରକାଶ ପାଇଛି। ଯାହାପରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଏଥିପାଇଁ ଏକ ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତ ଜରୁରୀ କିନ୍ତୁ ଆପଣ ବିବରଣୀ ପ୍ରକାଶ କରିବାକୁ କାହିଁକି ଦାବି କରୁଛନ୍ତି? ସେ ଏହା ମଧ୍ୟ କହିଥିଲେ ଯେ ଯଦି ତଥ୍ୟ ରେକର୍ଡ ସାର୍ବଜନୀନ କରାଯାଏ ତେବେ ଲୋକମାନେ ନିଜର ପଡକାଷ୍ଟ ରୁମରେ ବସି ବିଭିନ୍ନ ପ୍ରକାର ମନଗଢା କାହାଣୀ ଆରମ୍ଭ କରିବେ ଓ ଯଦି ଏଥିପାଇଁ କେହି ଦାୟିତ୍ୱହୀନ ଭାବରେ ପାଇଲଟଙ୍କୁ ଦୋଷୀ ବୋଲି କୁହନ୍ତି ଏବଂ ପର ମୁହୂର୍ତ୍ତରେ ସେମାନଙ୍କୁ କ୍ଲିନ୍ ଚିଟ୍ ମିଳିଯାଏ ତାହେଲେ ସେମାନଙ୍କ ପରିବାର ଉପରେ ଏହାର ଖରାପ ପ୍ରଭାବ ପଡିପାରେ ବୋଲି ମଧ୍ୟ ସେ କହିଥିଲେ।
Comments are closed.