ନୂଆପଡା: ନୂଆପଡା ଜିଲ୍ଲାର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆଙ୍କ ଇଷ୍ଟଦେବୀ ହେଉଛନ୍ତି ମାଆ ସୁନାଦେଇ । ପୂର୍ଣ୍ଣମୀ ଦିନ ମାଆଙ୍କ ପୀଠରେ ହର୍ଷ ଉଲ୍ଲାସରେ ସମ୍ପନ୍ନ ହୋଇଛି ମାଆ ସୁନାଦେଇଙ୍କ ଛତର ଯାତ୍ରା । ପ୍ରତିବର୍ଷ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୀତିନୀତିରେ ସମ୍ପନ୍ନ ହୋଇଯାଇଛି ମାଆ ସୁନାଦେଇଙ୍କ ଛତର ଯାତ୍ରା । ଏହି ଅବସରରେ ମାଆଙ୍କ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହରୁ ଲକ୍ଷ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
ଛତର ଯାତ୍ରା ସମୟରେ ଏଠାରେ ବୋଦା ବଳି ପଡିବାର ପରମ୍ପରା ରହିଛି । ଫଳରେ ରକ୍ତ ରଂଜିତ ହୋଇପଡେ ସୁନାବେଡା ଅଭୟାରଣ୍ୟ । ବର୍ଷକରେ ଦୁଇ ଥର ମାଆଙ୍କ ପୂଜା ହେଉଥିଲେ ହେଁ ଭାଦ୍ରବ ମାସ ଅମାବାସ୍ୟା ଦିନ ମାଆଙ୍କ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ସ୍ୱରୂପ ପୂଜା ଆରମ୍ଭ ହୋଇଥାଏ । ଏହାର ଠିକ ୧୫ ଦିନ ପରେ ଅର୍ଥାତ ପୂର୍ଣ୍ଣମୀ ତିଥିରେ ମା’ଙ୍କ ଛତର ଯାତ୍ରା ଅନୁଷ୍ଠିତ ହେଉଥିବା ସେବାୟତ ମାନେ କହିଛନ୍ତି l
ସୁନାବେଡା ଅଭୟାରଣ୍ୟର ଚାରିଚୌରାଶି ଭିତରେ ଛୋଟ ବଡ ୫୩ ଗୋଟି ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ଗ୍ରାମ ରହିଛି । ବିଶ୍ବାସ ରହିଛି ମାଙ୍କ ପୀଠରେ ଛତର ଯାତ୍ରା ନ ହେବା ପର୍ଯ୍ୟନ୍ତ ବିବାହ ବ୍ରତ ଭଳି ଶୁଭ କାମ କରନ୍ତି ନାହିଁ ଏଠାକାର ଆଦିବାସୀ । ସେହିଭଳି କେନ୍ଦୁ, ଚାହାର, ତେନ୍ତୁଳି, ମହୁଲ ଆଦି ଜଙ୍ଗଲ ଜାତ ଦ୍ରବ୍ୟକୁ ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ଏଭଳି ପରମ୍ପରା ଥିବା ବେଳେ ଯିଏ ଏହାକୁ ଅମାନ୍ୟ କରେ ତାଙ୍କ ପରିବାରରେ ଅଘଟଣ ଘଟିଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି । ମାଆଙ୍କ ପାଖରେ ଗୁହାରି କଲେ ନିଶ୍ଚୟ ମନସ୍କାମନା ପୂରଣ ହୁଏ ବୋଲି ସେବାୟତମାନେ କହିଛନ୍ତି । ତେଣୁ ଦୁରଦୂରାନ୍ତରୁ ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।
ସୁନାବେଡାର ମାଆ ସୁନାଦେଇଙ୍କ ଯାତ୍ରା କେବଳ ନୂଆପଡା ନୁହେଁ ବରଂ ପଡୋଶୀ କଳାହାଣ୍ଡି, ବାଳାଙ୍ଗୀର, ବରଗଡ଼ ସହ ଛତିଶଗଡ ମଧ୍ୟପ୍ରଦେଶର ଶ୍ରଦ୍ଧାଳୁଙ୍କୁ ଟାଣି ଆଣିବାର କାରଣ କେବଳ ସୁନାଦେଇଙ୍କ ପ୍ରତ୍ୟେକ୍ଷତାକୁ ପ୍ରମାଣ କରେ ।
Comments are closed.