Latest Odisha News

BREAKING NEWS

ଭାଙ୍ଗୁଛି ମାଓଗଡ; ଗତ ୨ ବର୍ଷରେ ଛତିଶଗଡ଼ରେ ମଲେଣି ୯୯୫ରୁ ଅଧିକ ନକ୍ସଲ

ମାଲକାନଗିରି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ସୁଦ୍ଧା ଛତିଶଗଡ଼ ସମେତ ଦେଶରୁ ନକ୍ସଲଙ୍କୁ ମୂଳପୋଛ କରିବା ପାଇଁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଥିଲା ଘନ ଘନ ଏନକାଉଣ୍ଟର୍‌ । ଯେଉଁଥିରେ ଗତ ଦୁଇ ବର୍ଷରେ ଛତିଶଗଡ଼ରେ ୯୯୫ରୁ ଊର୍ଦ୍ଧ୍ବ ନକ୍ସଲଙ୍କ ମୃତ୍ୟୁ ହୋଇଥିବାବେଳେ, ୧ ହଜାରରୁ ଊର୍ଦ୍ଧ୍ବ ଗିରଫ ହୋଇଛନ୍ତି । ସେହିପରି, ୧୩୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିବା ଖବର ରହିଛି ।

ଗତ କିଛି ମାସ ଧରି ପୋଲିସ ଏନକାଉଣ୍ଟରରେ କେନ୍ଦ୍ରୀୟ କମିଟି ମୁଖ୍ୟଙ୍କ ସମେତ ଟପ୍‌ କ୍ୟାଡର ମାଓବାଦୀ ନିହତ ହେବା ପରେ ନକ୍ସଲ ସଂଗଠନ ଦୁର୍ବଳ ହୋଇ ପଡ଼ିଛି । ଫଳରେ ଅନେକ କ୍ୟାଡର ନକ୍ସଲ ମାଓ ସଂଗଠନରୁ ମୁହଁ ଫେରାଇ ଆତ୍ମସର୍ମପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେଉଥିବା ଖବର ଅନେକ ସମୟରେ ସାମ୍ନାକୁ ଆସୁଛି ।

ତେବେ ମାଲକାନଗିରି ଜିଲ୍ଲାରେ ମାଓ ସଂଗଠନ ମୂଳପୋଛ ହେବା ପରେ କ୍ୟାଡର ନକ୍ସଲ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ମୁହାଁ ହୋଇଥିଲେ । ଛତିଶଗଡ଼ ଘଞ୍ଚ ଜଙ୍ଗଲ ନକ୍ସଲଙ୍କ ପାଇଁ ସୁରକ୍ଷିତ ସ୍ଥାନ ହୋଇଥିବାରୁ ସମସ୍ତ କ୍ୟାଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ ସେଠାରେ ଆଡ୍ଡା ଜମାଇଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲଙ୍କୁ ମୂଳପୋଛ ନିର୍ଦ୍ଦେଶ ପରେ ଏବେ ଛତିଶଗଡ଼ କ୍ୟାଡର ନକ୍ସଲ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ବେଳେ ତେଲେଙ୍ଗାନା ରାଜ୍ୟ କମିଟି କୌଣସି ଆଲୋଚନାକୁ ସମର୍ଥନ କରିବେ ନାହିଁ ବୋଲି ମନା କରି ଦେଇଛି ।

ଯାହାକୁ ନେଇ ମାଓ ସଂଗଠନ ଦୁଇ ଭାଗ ହୋଇଛି । ସଂଗଠନରେ ହାତଗଣତି ନକ୍ସଲ ରହିଥିବାରୁ ପୁଣି ସଂଗଠନକୁ ସୁଦୃଢ଼ କରିବା ପାଇଁ ଟପ୍ କ୍ୟାଡର ନକ୍ସଲ ଯୋଜନା ପ୍ରସ୍ତୁତ କରୁଛନ୍ତି। ଟାର୍ଗେଟରେ ରହିଛନ୍ତି ନାବାଳକ ଓ କମ ବୟସର ଯୁବକ । ନକ୍ସଲ ଗାଁ ମାନଙ୍କରେ ମିଲିସିଆଙ୍କୁ ସକ୍ରିୟ କରିବା ସହ କିପରି ନାବାଳକ ସଂଗଠନ ସହ ଯୋଡ଼ି ହେବେ ସେ ନେଇ ପ୍ରୟାସ ଆରମ୍ଭ କରିଛନ୍ତି । ନକ୍ସଲ ସଂଗଠନରେ କିପରି ନାବାଳକ ଓ ଯୁବବର୍ଗଙ୍କୁ ସାମିଲ କରାଯାଉଛି ତାହାର ଫଟୋ ମିଳିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 

Comments are closed.