Latest Odisha News

BREAKING NEWS

ବିକ୍ରମ ଭଟ୍ଟଙ୍କ ବିରୋଧରେ ମାମଲା, ଅଭିଯୋଗକୁ ଖଣ୍ଡନ କଲେ…

ମୁମ୍ବାଇ: ଇନ୍ଦିରା ଆଇଭିଏଫର ପ୍ରତିଷ୍ଠାତା ଡକ୍ଟର ଅଜୟ ମୁର୍ଡିଆ ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କ ସମେତ ଆଠ ଜଣଙ୍କ ନାମରେ ରାଜସ୍ଥାନର ଉଦୟପୁରର ଭୂପାଳପୁରା ଥାନାରେ ଏକ ମାମଲା ରୁଜୁ କରିଛନ୍ତି।

ଏହି ମାମଲାରେ ୩୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ କରାଯାଇଛି। ତାଙ୍କ ସ୍ୱର୍ଗତ ପତ୍ନୀଙ୍କ ଉପରେ ଏକ ବାୟୋପିକ୍ ତିଆରି କରିବା ବାହାନାରେ ତାଙ୍କୁ ନିବେଶ କରିବାକୁ ପ୍ରବର୍ତ୍ତାଇଥିବା ନେଇ ଡକ୍ଟର ଅଜୟ ମୁର୍ଡିଆ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତେବେ ବିକ୍ରମ ଭଟ୍ଟ ଏବଂ ଅନ୍ୟ ଅଭିଯୁକ୍ତମାନେ ଏହି ଫିଲ୍ମ ପ୍ରୋଜେକ୍ଟରୁ ପ୍ରାୟ ୧୦୦ କୋଟିରୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିପାରେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯାହାଫଳରେ ଡକ୍ଟର ମୁର୍ଡିଆ ମୋଟ ୪୭ କୋଟି ଟଙ୍କାରେ ଚାରୋଟି ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ।

ତେବେ ଭଟ୍ଟ କେବଳ ଦୁଇଟି ଚଳଚ୍ଚିତ୍ର ସମାପ୍ତ କରିଥିବା ସହ ତୃତୀୟ ଚଳଚ୍ଚିତ୍ର, “ବିଶ୍ୱ ବିରାଟ” ର କେବଳ ୨୫% ସମ୍ପୂର୍ଣ୍ଣ ହୋଇଥିବା ବେଳେ ଚତୁର୍ଥ ଫିଲ୍ମ “ମହାରାଣା-ରଣ” ଆଦୌ ସୁଟିଂ ଆରମ୍ଭ ହୋଇନଥିବା ସେ ଅଭିଯୋଗ କରିଛନ୍ତି।ଏଥିସହିତ ବିକ୍ରମ ଭଟ୍ଟ ଏବଂ ତାଙ୍କ ଦଳ ନକଲି ବିଲ୍ ଓ ଓଭର୍ ଭାଲ୍ୟୁ ଭାଉଚର ବ୍ୟବହାର କରି ପ୍ରାୟ ୨୫ କୋଟି ଟଙ୍କା ଆତ୍ମସାତ କରିଥିବା କହିଛନ୍ତି।

ତେବେ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଏହି ସମସ୍ତ ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି ଯେ ସେ ସୋମବାର ଦିନ ଏହି ଏଫଆଇଆର ବିଷୟରେ ଜାଣିବାକୁ ପାଇଛନ୍ତି ଓ ଏହି ସମସ୍ତ ଅଭିଯୋଗ ମିଥ୍ୟା। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଭିଯୋଗକାରୀ ନକଲି କାଗଜପତ୍ର ବ୍ୟବହାର କରି ଏଫଆଇଆର ଦାଖଲ କରିଛନ୍ତି।

ଅପରପକ୍ଷରେ”ବିରାଟ” ଚଳଚ୍ଚିତ୍ର ବନ୍ଦ ହେବା ପାଇଁ ଡକ୍ଟର ମୁର୍ଡିଆ ନିଜେ ଦାୟୀ ବୋଲି ବିକ୍ରମ ଭଟ୍ଟ କହିଛନ୍ତି। ଡକ୍ଟର ମୁର୍ଡିଆ ଏପର୍ଯ୍ୟନ୍ତ ଫିଲ୍ମରେ କାମ କରିଥିବା ଟେକ୍ନିସିଆନ ମାନଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ଦେଇନାହାଁନ୍ତି ଓ ଏହି ଫିସରୁ ବଞ୍ଚିବା ପାଇଁ ସେ ଏହି ଏଫଆଇଆର ଦାଖଲ କରି ଥିବା ନେଇ ମଧ୍ୟ ଭଟ୍ଟ ପାଲଟା ଅଭିଯୋଗ କରିଛନ୍ତି। ବିକ୍ରମ ଭଟ୍ଟ ପୋଲିସ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବା ସହ ସତ୍ୟ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ ଦୃଢ଼ ପ୍ରମାଣ ଅଛି ବୋଲି କହିଛନ୍ତି।

ବର୍ତ୍ତମାନ୍ ଏହି ହାଇ-ପ୍ରୋଫାଇଲ୍ ଠକେଇ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଉଦୟପୁର ପୋଲିସ ଏକ ମାମଲା ରୁଜୁ କରିଛି।

 

Comments are closed.