Latest Odisha News

BREAKING NEWS

ବାବା ସିଦ୍ଦିକି ହତ୍ୟା ମାମଲା: ଆମେରିକାରୁ ଭାରତ ଆସିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ 

ନୂଆଦିଲ୍ଲୀ: ବାବା ସିଦ୍ଦିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇଙ୍କୁ ଆମେରିକାରୁ ଭାରତ ଅଣାଯିବା ନେଇ ସୂଚନା ମିଳିଛି। ତେବେ ସେ ବୁଧବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀରେ ପହଞ୍ଚିବ।

ଯେଉଁଥିପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ସ୍ପେଶିଆଲ୍ ଟିମ୍ ସମେତ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟ ନିୟୋଜିତ ହୋଇଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲ ବିରୁଦ୍ଧରେ ବିଭିନ୍ନ ରାଜ୍ୟରେ ଅନେକ ସଙ୍ଗୀନ ଅପରାଧିକ ଅଭିଯୋଗ ରହିଛି। ତେବେ କୋର୍ଟରେ ହାଜର ହେବା ପରେ କେଉଁ ଏଜେନ୍ସି ତାଙ୍କୁ ହେପାଜତକୁ ହସ୍ତାନ୍ତର କରିବ ସେ ବିଷୟରେ ବର୍ତ୍ତମାନ ଆଲୋଚନା ଚାଲିଛି।

ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କୁ ମଧ୍ୟ ଆମେରିକୀୟ କର୍ତ୍ତୃପକ୍ଷଙ୍କଠାରୁ ଏନେଇ ଏକ ଇମେଲ୍ ଆସିଥିବା ସେ କହିଛନ୍ତି। ପୀଡିତ ପରିବାର ଭାବରେ ତାଙ୍କର ଇମେଲ୍ ଆମେରିକୀୟ କର୍ତ୍ତୃପକ୍ଷଙ୍କ ପାଖରେ ପଞ୍ଜୀକୃତ ହୋଇଛି ଏବଂ ଏହାଦ୍ଵାରା ତାଙ୍କୁ ପ୍ରତ୍ୟେକ ଅପଡେଟ ମିଳିପାରୁଥିବା ନେଇ ସେ ସ୍ପଷ୍ଟ କରିଛନ୍ତି।

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକିଙ୍କୁ ୧୨ ଅକ୍ଟୋବର ୨୦୨୪ରେ ମୁମ୍ବାଇର ବାନ୍ଦ୍ରାରେ ତାଙ୍କ କାର୍ଯ୍ୟାଳୟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ କରି ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ୨୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଚାର୍ଜସିଟରେ ଅନମୋଲଙ୍କୁ ‘ମୁଖ୍ୟ ଷଡ଼ଯନ୍ତ୍ରକାରୀ’ ଭାବରେ ଓ ୱାଣ୍ଟେଡ୍ ଅଭିଯୁକ୍ତଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଗିରଫ ହୋଇଥିବା ଅନେକ ଅଭିଯୁକ୍ତଙ୍କ ଫୋନରୁ ମିଳିଥିବା ଭଏସ୍ କ୍ଲିପ୍ ଯାଞ୍ଚ କରିବା ପରେ ସେହି ସ୍ୱର ଅନମୋଲଙ୍କ ରେକର୍ଡିଂ ସହିତ ମେଳ ଖାଉଥିବା ନେଇ ପୋଲିସ କହିଛି।

 

Comments are closed.