ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ କ୍ଲିନ ସୁଇପ ହେବା ପରେ ଏବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ବିଶେଷ ଭାବେ ସମାଲୋଚିତ ହୋଇଛନ୍ତି । ସେମାନଙ୍କ କେତେକ ନିଷ୍ପତିକୁ ପୂରୁଣା ଖେଳାଳି ଏବଂ ସମୀକ୍ଷକ ପସନ୍ଦ କରି ନାହାନ୍ତି । ଏପରିକି ଉଭୟ ସେମାନଙ୍କ ପଦ ହରାଇବେ ବୋଲି ମଧ୍ୟ ଆଲୋଚନା ଜୋର ଧରିଥିଲା । ତେବେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟଙ୍କ ପଦବୀ ସୁରକ୍ଷିତ ରହିଛି । ବିସିସିଆଇ ତରବରିଆ ଭାବେ କୌଣସି ନିଷ୍ପତି ନେବାକୁ ଚାହୁଁନି । ଦଳରେ ଅନେକ ଯୁବ ଖେଳାଳି ଅଛନ୍ତି । ଧୀରେ ଧୀରେ ସେମାନେ ଦାୟିତ୍ୱ ନେବେ, ଏଥିପାଇଁ କିଛି ସମୟର ଆବଶ୍ୟକତା ଅଛି ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ।
ବିଶ୍ୱକପ ୨୦୨୭ ପର୍ଯ୍ୟନ୍ତ ଗମ୍ଭୀର ତାଙ୍କ ଦାୟିତ୍ୱ ବଜାୟ ରଖିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଜୁଲାଇ ୨୦୨୪ରେ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରାଯାଇଥିଲା । ଏବେ ପରବର୍ତୀ ଟେଷ୍ଟ ସିରିଜ ପାଇଁ ହାତରେ ସମୟ ଅଛି । ଅଗଷ୍ଟ ୨୦୨୬ରେ ଶ୍ରୀଲଙ୍କା ଗସ୍ତରେ ଭାରତ ଯିବ । ସେହିପରି ୨୦୨୭ରେ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ । ଗମ୍ଭୀର ଏହା ମଧ୍ୟରେ ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
Comments are closed.