ଓଡିଶା ହେବ ଅଗ୍ରଣୀ ଜଳବାୟୁ ସହନଶୀଳ ରାଜ୍ଯ
ଓଡିଶା ବିକାଶ କନକ୍ଲେଭ ଉଦଘାଟିତ ସମାବେଶୀ, ସହନଶୀଳ ଓ ଲୋକ କୈନ୍ଦ୍ରିକ ବିକାଶକୁ ଗୁରୁତ୍ୱ
ଭୁବନେଶ୍ୱର: ବଢୁଥିବା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ପରିବର୍ତ୍ତିତ ଜୀବିକା ଧାରା ଓ ବଢୁଥିବା ସାମାଜିକ ଦୁର୍ବଳତା ମଧ୍ୟରେ ରାଜ୍ୟର ବିକାଶ ପଥ ସରକାର, ସିଭିଲ ସୋସାଇଟି, ବିଶ୍ୱବିଦ୍ୟାଳୟ, ବଜାର ଓ ସମାଜ ମଧ୍ୟରେ ସହଯୋଗ ଉପରେ ଆଧାରିତ ହେବା ଆବଶ୍ୟକ ବୋଲି ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି।
ବୁଧବାର ଆୟୋଜିତ ଓଡ଼ିଶା ବିକାଶ କନକ୍ଲେଭ (ଓଭିସି) ୨୦୨୫ର ଷଷ୍ଠ ସଂସ୍କରଣର ଉଦଘାଟନୀ ଅଧିବେଶନରେ ଯୋଗଦେଇ ସେ କହିଛନ୍ତି ଯେ, “ବିକେନ୍ଦ୍ରିକୃତ ଓ ଗୋଷ୍ଠିଗତ ବିଶେଷକରି ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ଓ ସ୍ଥାନୀୟ ସଂଗଠନ ମାଧ୍ୟମରେ ସେବା ପ୍ରଦାନ, ସ୍ଥାନୀୟ ଜୀବିକା ସୃଷ୍ଟି ଓ ସ୍ଥାନାନ୍ତରଣ ହ୍ରାସ କରାଯିବା ଆବଶ୍ୟକ।”

ଆସନ୍ତା ଦଶନ୍ଧି ପାଇଁ ଓଡ଼ିଶାର ଦୃଷ୍ଟିକୋଣକୁ ‘ସନ୍ତୁଳିତ ବିକାଶ ଓ ଜଳବାୟୁ ସ୍ଥାୟିତ୍ୱକୁ’ କେନ୍ଦ୍ରବିନ୍ଦୁ କରି ଓଡିଶା ବିକାଶ କନକ୍ଲେଭ ଆୟୋଜନ କରାଯାଇଛି ବୋଲି ସିଓ୍ବାଇଏସ୍ଡିର ସହ-ପ୍ରତିଷ୍ଠାତା ଡ଼ା. ଜଗଦାନନ୍ଦ କହିଛନ୍ତି। ଓଡ଼ିଶା ପାଇଁ ଯୁଏନ୍ଏଫ୍ପିଏର ରାଜ୍ୟ ପ୍ରମୁଖ ଡ଼ା. ମହମ୍ମଦ ନଦିମ ନୂର କହିଥିଲେ, ଓଡ଼ିଶାର ସମୁଦାୟ ଜନସଂଖ୍ୟା ହାର ୧.୬କୁ ଖସିଯାଇଛି। ୨୦୪୧ ସୁଦ୍ଧା ରାଜ୍ୟ “ନିଉ ମୃତ୍ୟୁ ଅଞ୍ଚଳ”ରେ ପ୍ରବେଶ କରିବ। ଜୀବନପ୍ରତ୍ୟାଶା ବୃଦ୍ଧି, ଜନ୍ମ ହାର ହ୍ରାସ ପାଇଁ ଭବିଷ୍ୟତମୁଖୀ ଶାସନ ଓ ସ୍ୱାସ୍ଥ୍ୟ କୌଶଳ ଆବଶ୍ୟକ ବୋଲି ସେ ସ୍ପଷ୍ଟ କରାଇଥିଲେ।
ଆଇଫରେଷ୍ଟର ନ୍ୟାୟସଙ୍ଗତ ପରିବର୍ତ୍ତନ ଓ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶିକା ଶ୍ରେଷ୍ଠା ବାନାର୍ଜୀ କହିଥିଲେ, ଚଳିତ କୋପ-୩୦ ନ୍ୟାୟସଙ୍ଗତ ପରିବର୍ତ୍ତନକୁ ବିଶ୍ୱ ଗୁରୁତ୍ୱ ଦେଇଛି। ଓଡ଼ିଶାରେ କୋଇଲା ଓ ସମ୍ବଳ ଉପରେ ନିର୍ଭରଶୀଳ ଅଞ୍ଚଳର ଲୋକଙ୍କ ଜୀବିକା ସୁରକ୍ଷା ପାଇଁ ଏହି ପରିବର୍ତ୍ତନ ଲୋକକେନ୍ଦ୍ରିକ ହେବା ଆବଶ୍ୟକ। “ନ୍ୟାୟସଙ୍ଗତ ପରିବର୍ତ୍ତନ ଓଡ଼ିଶା ପାଇଁ ଏକ ବିକାଶ ଏଜେଣ୍ଡା, ଯାହା ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଯୋଜନା ପ୍ରସ୍ତୁତ ହେବା ଦରକାର, ବୋଲି ସେ ଉଲ୍ଲେଖ କରିଥିଲ।
ଏହି କାର୍ଯ୍ୟକ୍ରମ ୫ଟି ଥିମ୍—ପରିବେଶ ସୁରକ୍ଷା, ନ୍ୟାୟସଙ୍ଗତ ପରିବର୍ତ୍ତନ, ସ୍ଥାୟୀ ଶାସନ, ଦୁର୍ବଳତା ହ୍ରାସ ଓ ସାମାଜିକ ନେତୃତ୍ୱ ଅଧୀନରେ ୧୫ଟି ବିଷୟକ ଅଧିବେଶନରେ ଆୟୋଜିତ। ଏଥିରୁ ଓଡ଼ିଶା ଜଳବାୟୁ ଓ ବିକାଶ ନୀତି ପ୍ରସ୍ତାବ ଓ ସ୍ଥାନୀୟ ସ୍ତରର ସ୍ଥାୟୀ ସମାଧାନ ପ୍ରଦାନକାରୀ ସଂସ୍ଥାଙ୍କ ତାଲିକା ପ୍ରକାଶ ପାଇବ।
ୟୁନେସ୍କୋ କମ୍ୟୁନିଟି- ବେସ୍ଡ ରିସର୍ଚ୍ଚ ଓ ସାମାଜିକ ଦାୟିତ୍ୱ କୋ-ଚେୟାର ଡ଼ା. ରାଜେଶ ତାଣ୍ଡନ, ଆଇସିସି ଓଡ଼ିଶା ଅଧ୍ୟକ୍ଷ ରାଜୀବ ଏସ୍ ସାହୁ, ବ୍ୟାକ୍ ଟୁ ଭିଲେଜ୍ର ଅଭିମୁକ୍ତେଶ ଭାରଦ୍ୱାଜ, ଏଫ୍ଇଏସ୍ର ସ୍ୱପ୍ନା ସାରଙ୍ଗୀ। ସିଓ୍ବାଇଏସ୍ଡି ଓଡ଼ିଶା ସରକାର ଓ ଆଇଫରେଷ୍ଟ, ଏଫ୍ଇଏସ୍, ବ୍ୟାକ୍ ଟୁ ଭିଲେଜ୍, ଗ୍ରାମ ବିକାଶ, ଏଡ୍ ଏତ୍ ଆକ୍ସନ୍ ଇଣ୍ଡିଆ, ଯୁଏନ୍ଏଫ୍ପିଏ ଭଳି ସଂଗଠନ ସହଯୋଗରେ ଏହି ସମାବେଶ ଆୟୋଜନ କରୁଛି।
Comments are closed.