ନୂଆଦିଲ୍ଲୀ: ଇରାନରେ ଗତ ୧୫ ଦିନ ଧରି ଚାଲିଥିବା ହିଂସା ପ୍ରତିବାଦରେ ସେଠାକାର ପରିସ୍ଥିତି ଉତ୍ତେଜନାପୁର୍ଣ୍ଣ ହୋଇଯାଇଛି। ଯାହାପରେ ସେଠାରେ ରହୁଥିବା ବିଦେଶୀ ନାଗରିକ ଖାସ କରି ଭାରତୀୟ ମାନଙ୍କ ସୁରକ୍ଷାକୁ ନେଇ ବର୍ତ୍ତମାନ ଚିନ୍ତା ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତୀୟ ମାନଙ୍କୁ ସେଠାରୁ ଭାରତ ଫେରାଇ ଆଣିବା ପାଇଁ ଶୁକ୍ରବାରଠାରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ ବୋଲି ଜଣାପଡିଛି। ବୈଦେଶିକ ମନ୍ତ୍ରଣାଳୟ ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଭାରତ ଫେରିବାକୁ ଚାହୁଁଥିବା ନାଗରିକଙ୍କ ତଥ୍ୟ ଏବଂ ବିବରଣୀ ସଂଗ୍ରହ କରିବା ପ୍ରକ୍ରିୟା ଚାଲୁ ରଖିଥିବା କୁହାଯାଉଛି।
ତେବେ ଇରାନର ମୁଦ୍ରା, ରିଆଲର ମୂଲ୍ୟରେ ତୀବ୍ର ହ୍ରାସ ପରେ ଇରାନରେ ଏହି ଅସ୍ଥିରତା ସୃଷ୍ଟି ହୋଇଥିଲା। ଆର୍ଥିକ ସଙ୍କଟରୁ ସୃଷ୍ଟି ହୋଇଥିବା ଏହି ଅସନ୍ତୋଷ ଏକ ବ୍ୟାପକ ରାଜନୈତିକ ଆନ୍ଦୋଳନରେ ପରିଣତ ହୋଇଛି ଯାହା ଇରାନର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପି ସାରିଥିବା ଜଣାପଡ଼ିଛି। ତେବେ ପ୍ରଦର୍ଶନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ଅତି କମରେ ୩୪୨୮ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଅଧିକାରୀ ମାନେ କହିଛନ୍ତି।
ବର୍ତ୍ତମାନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେଠାକାର ଇଣ୍ଟରନେଟ୍ ସେବା ବନ୍ଦ ରହିଥିବା ବେଳେ ଟେଲିଫୋନ୍ ଲାଇନଗୁଡ଼ିକୁ କେବଳ ମଝିରେ ମଝିରେ କନେକ୍ଟ କରାଯାଉଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ଯୋଗାଯୋଗ ବିଚ୍ଛିନ୍ନ ଥିବା ଯୋଗୁଁ ତେହେରାନରେ ଥିବା ଭାରତୀୟ ଦୂତାବାସର ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ଭାରତୀୟ ଛାତ୍ର ଏବଂ ଅନ୍ୟ ନାଗରିକଙ୍କ ସହିତ ଯୋଗାଯୋଗ କରିବା ପାଇଁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଏଥିସହିତ ଇରାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଯଥାଶୀଘ୍ର ଦେଶ ଛାଡିବାକୁ ବୁଧବାର ଦିନ ପରାମର୍ଶ ଦିଆଯାଇଛି। ଏଥିସହିତ ସମସ୍ତ ଭାରତୀୟ ନାଗରିକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଦୂତାବାସ ତରଫରୁ ପରାମର୍ଶ ଦିଆଯାଇଛି। ଏପରିକି ଅଶାନ୍ତ ଅଞ୍ଚଳରୁ ଦୂରେଇ ରହିବାକୁ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ସେମାନଙ୍କୁ ପାସପୋର୍ଟ, ପରିଚୟପତ୍ର ଏବଂ ଅନ୍ୟାନ୍ୟ ଯାତ୍ରା ସମ୍ପର୍କୀତ ଡକ୍ୟୁମେଣ୍ଟଗୁଡ଼ିକ ସହିତ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି। ତେବେ ଦୂତାବାସ ତରଫରୁ ଜରୁରୀକାଳୀନ ହେଲ୍ପଲାଇନ୍ ମଧ୍ୟ ଜାରି କରାଯାଇଛି। +୯୮୯୧୨୮୧୦୯୧୧୫,+୯୮୯୧୨୮୧୦୯୧୦୯,+୯୮୯୧୨୮୧୦୯୧୦୨,+୯୮୯୯୩୨୧୭୯୩୫୯ ଏବଂ ଇମେଲ୍: cons.tehran@mea.gov.in।
ଏଥିସହିତ ଇରାନରେ ଥିବା ଭାରତୀୟ ନାଗରିକ ଯେଉଁମାନେ ଏପର୍ଯ୍ୟନ୍ତ ଭାରତୀୟ ଦୂତାବାସରେ ପଞ୍ଜୀକରଣ କରିନାହାଁନ୍ତି ସେମାନଙ୍କୁ https://www.meaers.com/request/home ରେ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ଏହି ଲିଙ୍କ୍ ଦୂତାବାସର ୱେବସାଇଟରେ ମଧ୍ୟ ଉପଲବ୍ଧ ରହିଥିବା ସୂଚନା ଦିଆଯାଇଛି।