ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
ଟେଣ୍ଟ ଓ କ୍ୟାଟରିଂ ସେବା କ୍ଷେତ୍ରରେ ମହିଳାଙ୍କ ପ୍ରବେଶ
ଭୁବନେଶ୍ୱର: ଭୁବନେଶ୍ୱରର ମିଶନ ଶକ୍ତି ଭବନଠାରେ ଆଜି ମିଶନ ଶକ୍ତି ବିଭାଗ ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମିଶନ ଶକ୍ତି ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦର ସିଇଓ ରାଜନ ବାହାଦୁର ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ।
ସୂଚନାଯୋଗ୍ୟ, ଏହି ବୁଝାମଣାପତ୍ର ଅନୁସାରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଟ ଭଡା ଓ କ୍ୟାଟରିଂ ପରିଚାଳନା ସେବା କ୍ଷେତ୍ରରେ ଉଦ୍ୟୋଗୀତା ପାଇଁ ପ୍ରଶିକ୍ଷିତ କରାଯିବ । ବ୍ୟବସାୟ ୟୁନିଟ୍ର ସ୍ଥାୟୀ ପରିଚାଳନା, ବୃତ୍ତିଗତ ଦକ୍ଷତା ବୃଦ୍ଧି, ଏଫ୍ଏସ୍ଏସ୍ଏଆଇ ପ୍ରମାଣପତ୍ର ପ୍ରଦାନ, ଡିପିଆର୍ ପ୍ରସ୍ତୁତି, ଉପକରଣ କ୍ରୟ, ବ୍ୟବସାୟରେ ଅଭିବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏକ ହଜାର ସ୍ୱୟଂସହାୟକ ଗୋଷ୍ଠୀର ୪,୦୦୦ ମହିଳା ସଦସ୍ୟା ଖାଦ୍ୟ ଯୋଗାଣ, ଇଭେଣ୍ଟ ପରିଚାଳନା, ଟେଣ୍ଟ ଓ କ୍ୟାଟରିଂ ସେବା ଉପରେ ପ୍ରଶିକ୍ଷିତ ହେବେ । ଏହି ଯୋଜନା ପାଇଁ ୯.୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ପ୍ରବେଶକୁ ପ୍ରଶଂସା କରିବା ସହ ଏହି ଅଭିଯାନ ରାଜ୍ୟରେ ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଆୟୁକ୍ତ ତଥା ଶାସନ ସଚିବ ଗିରିଶ ଏସ ଏନ ସ୍ୱାଗତ ଅଭିଭାଷଣ ରଖିଥିଲେ।