ନୂଆଦିଲ୍ଲୀ: ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅହମ୍ମଦ ବଟ୍ ନିକଟରେ FIH ପ୍ରୋ ଲିଗ୍ ପାଇଁ ଅଷ୍ଟ୍ରେଲିଆ ଯାଇଥିଲେ। କିନ୍ତୁ ଲାହୋର ଫେରିବା ପରେ ସେ ନିଜର ଅସନ୍ତୋଷ ପ୍ରକାଶ କରି ପାକିସ୍ତାନ ହକି ଫେଡେରେସନ (PHF) ବିରୋଧରେ ଅଭିଯୋଗ ଆଣିଛନ୍ତି।
ତେବେ ଖେଳାଳିମାନଙ୍କୁ ରୋଷେଇ ଘର ସଫା କରିବା ସହ ବାସନ ମାଜିବାକୁ ବାଧ୍ୟ କରାଯାଇଥିବା ନେଇ ଲାହୋର ଫେରିବା ପରେ ସେ କହିଛନ୍ତି। ଏଥିସହିତ ପାକିସ୍ତାନୀ ଖେଳାଳିମାନଙ୍କୁ କାନବେରା ଯିବା ପାଇଁ ବିମାନରେ ଚଢ଼ିବା ପୂର୍ବରୁ ୧୩-୧୪ ଘଣ୍ଟା ସିଡନୀ ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡିଥିଲା।
FIH ପ୍ରୋ ଲିଗ୍ ର ଅଷ୍ଟ୍ରେଲିଆ ପର୍ଯ୍ୟାୟରେ ପାକିସ୍ତାନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ୨-୩ରେ ହାରିବା ପରେ ସେମାନେ ଅଷ୍ଟ୍ରେଲିଆରେ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍ ହାରିଥିଲେ।
ଅଧିନାୟକ ଶକିଲ ଆହୁରି କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ସମୟରେ ଖେଳାଳିମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାବ୍ୟତୀତ ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ସେମାନଙ୍କର ହୋଟେଲ ବିଲ୍ ଦିଆଯାଇନଥିବା ଜଣାପଡିଥିଲା। ଏପରିକି ହୋଟେଲ ବୁକିଂ ହେବା ପୂର୍ବରୁ ସେମାନେ ରାସ୍ତାରେ ଅନେକ ଘଣ୍ଟା ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହି ହୋଟେଲ ବୁକିଂ ୧୦ ଦିନ ପାଇଁ କରାଯାଇଥିବା ବେଳେ ଗସ୍ତ ୧୩ ଦିନ ପର୍ଯ୍ୟନ୍ତ ଚାଲିଥିଲା ବୋଲି ସେମାନେ କହିଥିଲେ। ଯାହାଫଳରେ ଖେଳାଳିମାନଙ୍କୁ ଏକ ଶସ୍ତା ସ୍ଥାନରେ ରହିବାକୁ ପଡିଥିବା ନେଇ ସେ ଅଭିଯୋଗ କରିଛନ୍ତି।
ତେବେ ହୋଟେଲ ବ୍ୟବସ୍ଥା ପାଇଁ ପାକିସ୍ତାନ ହକି ଫେଡେରେସନକୁ ୧୦ ନିୟୁତ ଟଙ୍କା ବରାଦ କରାଯାଇଥିବା କୁହାଯାଇଛି ଓ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ କୁହାଯାଇଛି।