Latest Odisha News

BREAKING NEWS

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ; ଠିକାସଂସ୍ଥା ନାଁରେ ଥାନାରେ ଅଭିଯୋଗ

କେନ୍ଦୁଝର:ଆନନ୍ଦପୁର ଥାନା ବୁଢ଼ୀକୁଦ ଗାଁ ନିକଟରେ ଅଘଟଣ । ଶୁକ୍ରବାର ଦିନ ବୁଢ଼ୀକୁଦ ଗାଁ ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ ଘଟିଛି। ୧୫ ଫୁଟ୍‌ ଗାତରେ ପାଇପ୍‌ ଖଞ୍ଜା କାମ ସମୟରେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ବାପା ସୁଶାନ୍ତ ନାଏକ ଠିକାସଂସ୍ଥାକୁ ଦାୟୀକରି ଥାନାରେ ଅଭିଯୋଗ କରିଥିବା ସୂଚନା ରହିଛି ।

ମୃତକ ହେଲେ ସ୍ଥାନୀୟ ସନ୍ତୋଷପୁର ଗାଁର ସୁଦର୍ଶନ ନାଏକ। ଗୁରୁତର ଶ୍ରମିକ ହେଲେ କୁନା ନାଏକ।

ଖବର ମୁତାବକ, ଶୁକ୍ରବାର ୧୫ଫୁଟ୍‌ ଗଭୀର ଗାତରେ ପାଇପ୍‌ଲାଇନ ଖଞ୍ଜା କାମ ଚାଲିଥିଲା। ଏହି ସମୟରେ ମାଟି ଅତଡ଼ା ଖସି ସୁଦର୍ଶନ ଓ କୁନାଙ୍କ ଉପରେ ପଡ଼ିଥିଲା। ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ।

ବିନା ସୁରକ୍ଷାରେ ଶ୍ରମିକମାନେ ଗର୍ତ୍ତରେ ପଶି ନିଜ ଜୀବନକୁ ବିପଦରେ ପକାଇ ପାଇପ୍‌ଲାଇନ ଖଞ୍ଜୁଥିଲେ। ଶ୍ରମିକ କାମ କରିବା ସମୟରେ ସେଠାରେ ସାଇଡ୍‌ ସୁପରଭାଇଜର ଓ ସୁରକ୍ଷା ଅଧିକାରୀ ମଧ୍ୟ ଅନୁପସ୍ଥିତ ଥିଲେ। ଫଳରେ ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି।

Leave A Reply

Your email address will not be published.