ଅହମ୍ମଦାବାଦ: ଟି୨୦ ବିଶ୍ୱକପର ସୁପର ଏଇଟ ମ୍ୟାଚ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହିଥିବା ଟିମ ଇଣ୍ଡିଆ ଏହି ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । କ୍ରମାଗତ ବିଫଳତା ପରେ ଅଭିଷେକ ଶର୍ମା ଏହି ମ୍ୟାଚରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଚୂଡାନ୍ତ ଏକାଦଶରେ ବଡ ଧରଣର ପରିବର୍ତନ କରାଯିବ ନାହିଁ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି । ଅଭିଷେକ ୩ଟି ମ୍ୟାଚରେ ଖାତା ଖୋଲି ପାରି ନାହାନ୍ତି । ଅଭ୍ୟାସ ସେଶନରେ ଅଭିଷେକ ୨୦ ମିନିଟରୁ ଊର୍ଦ୍ଧ୍ୱ ସମୟ ବ୍ୟାଟିଂ କରିଥିଲେ । ସେ ବଡ ଶଟ ମାରିଥିଲେ ମଧ୍ୟ ମନଦୁଃଖରେ ଡ୍ରେସିଂ ରୁମକୁ ଯାଇଥିଲି । ଏଥିରୁ ଅନୁମାନ କରାଯାଉଛି ଯେ, ଖରାପ ଫର୍ମ ନେଇ ଅଭିଷେକ ଚାପରେ ଅଛନ୍ତି ।
କୋଚ ଗୌତମ ଗମ୍ଭୀର ଓ ସୂର୍ଯ୍ୟକୁମାର ଅଭ୍ୟାସ ସେଶନରେ ଉପସ୍ଥିତ ଥିଲେ । ଅଭିଷେକ ଯଦି ଚୂଡାନ୍ତ ଏକାଦଶରେ ସାମିଲ ନ ହୁଅନ୍ତି ତେବେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବ । ସୂର୍ଯ୍ୟକୁମାର କିନ୍ତୁ ଅଭିଷେକଙ୍କ ଫର୍ମ ନେଇ ଚିନ୍ତା ବ୍ୟକ୍ତ କରି ନାହାନ୍ତି । ସେ ଅନେକଗୁଡିଏ ମ୍ୟାଚରେ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସମସ୍ତ ବ୍ୟାଟ୍ସମ୍ୟାନଙ୍କ ଫର୍ମ ସାମୟିକ ଭାବେ ଖରାପ ହୋଇଥାଏ । ଭଲ ଖେଳାଳି ପ୍ରଦର୍ଶନ ମାଧ୍ୟମରେ ଏହାର ସମାଧାନ ଖୋଜିଥାଏ । ଭାରତ ସୁପର ଏଇଟରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚାହିଁବ ।