ମୁମ୍ବାଇ ଇଣ୍ଡିଆନ୍ସ ଛାଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ନୂଆ ଅଧିନାୟକ ବାଛିବାରେ ଗୁରୁତ୍ୱପୂର୍ଣ୍ଣ ରହିବ ରୋହିତଙ୍କ ମତାମତ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆଗାମୀ ଆଇପିଏଲ ସିଜିନ ପୂର୍ବରୁ ଦଳର ବର୍ତ୍ତମାନର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାର୍ଦ୍ଦିକ ଅନ୍ୟ ଦଳକୁ ଯିବା ନେଇ ଏକପ୍ରକାର ପ୍ରସ୍ତୁତି ଶେଷ ହୋଇଛି।
ହାର୍ଦ୍ଦିକ ଦଳ ଛାଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଅଧିନାୟକ କିଏ ହେବେ ତାହାକୁ ନେଇ ଏମଆଇପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ତେବେ ନୂଆ କ୍ୟାପଟେନ ବାଛିବା ପ୍ରକ୍ରିୟାରେ ପୂର୍ବତନ ଅଧିନାୟକ ତଥା ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମାଙ୍କ ମତାମତ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବିଶେଷ ସୂତ୍ର ଅନୁଯାୟୀ ରୋହିତ ଯାହାକୁ ସମର୍ଥନ କରିବେ ସେ ହିଁ ମୁମ୍ବାଇ ଦଳର ମଙ୍ଗ ଧରିବେ।
ଗତ ସିଜିନରେ ରୋହିତ ଶର୍ମାଙ୍କୁ ହଟାଇ ଫ୍ରାଞ୍ଚାଇଜି ପକ୍ଷରୁ ହାର୍ଦ୍ଦିକଙ୍କୁ ନେତୃତ୍ୱ ଭାର ଦିଆଯାଇଥିଲା। ଏହାକୁ ନେଇ ଦଳର ପ୍ରଶଂସକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ପଡିଆ ଭିତରେ ଓ ବାହାରେ ହାର୍ଦ୍ଦିକଙ୍କୁ ଲଗାତାର ବିରୋଧର ସାମ୍ନା କରିବାକୁ ପଡିଥିଲା। ଏହା ସହିତ ଦଳର ପ୍ରଦର୍ଶନ ମଧ୍ୟ ଆଶାନୁରୂପ ରହିନଥିଲା।
ଏସବୁ କାରଣରୁ ଏବେ ଫ୍ରାଞ୍ଚାଇଜି ପରିଚାଳନା କମିଟି ନିଜ ରଣନୀତିରେ ପରିବର୍ତ୍ତନ କରିବାକୁ ବିଚାର କରୁଛି। ତେଣୁ ଦଳର ପରିବେଶକୁ ପୁଣିଥରେ ସ୍ୱାଭାବିକ କରିବା ଏବଂ ପ୍ରଶଂସକଙ୍କ ବିଶ୍ୱାସ ଜିତିବା ପାଇଁ ରୋହିତ ଶର୍ମାଙ୍କ ପରାମର୍ଶ କ୍ରମେ ନୂଆ ଅଧିନାୟକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଦଳକୁ ଯିବେ ତାହା ଏଯାଏଁ ସୂଚନା ମିଳିନାହିଁ ।