ଭୁବନେଶ୍ବର: ସୌର ଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଦିଗରେ ଓଡ଼ିଶା ସାରା ଦେଶ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଛି। ମେ’ ୨୦୨୬ ମାସରେ ଆୟୋଜିତ ‘Month of Solar’ ଅଭିଯାନରେ ରାଜ୍ୟର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଥିବା ନେଇ ସୂଚନା ମିଳିଛି।
ଓଡ଼ିଶାକୁ ‘PM Surya Ghar Excellence Awards’ ପାଇଁ ଚୟନ କରାଯାଇଛି। ଯେଉଁଥିରେ ଆମେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସର୍ବାଧିକ ସୌର ସ୍ଥାପନ ଏବଂ ସର୍ବାଧିକ DISCOM ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛୁ। ଏତଦ୍ବ୍ୟତୀତ, ‘Maximum Vendor Registrations’ ବର୍ଗରେ ରାଜ୍ୟ ତୃତୀୟ ସ୍ଥାନ ହାସଲ କରିଛି। ଏହି ଅଭିଯାନ ସହ ସମ୍ପୃକ୍ତ ସମସ୍ତ ବିଭାଗ, ଅଧିକାରୀ ଓ ଅଂଶୀଦାରମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଓଡ଼ିଶା ନବୀନ ଶକ୍ତି କ୍ଷେତ୍ରରେ ପରିବେଶ ଅନୁକୂଳ ବିକାଶ ପାଇଁ ସଂକଳ୍ପବଦ୍ଧ ଏବଂ ଏହି ସଫଳତା ଆଗାମୀ ଦିନରେ ରାଜ୍ୟର ଶକ୍ତି କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା ସହ ଏକ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନରେ ମୂଳଦୁଆ ପକାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।