ଭୁବନେଶ୍ୱର: ମାତୃଭାଷା, ଲୋକସାହିତ୍ୟ ଓ ଲୋକସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡ଼. ମହେନ୍ଦ୍ର କୁମାର ମିଶ୍ରଙ୍କୁ ଓଡ଼ିଆ ଭରଚୁଆଲ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ସି୍ୱାଇଏସଡ଼ି ସଭାଗୃହରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରସିଦ୍ଧ ପୋଥିବିଜ୍ଞାନୀ ଡ଼. ପ୍ରଫୁଲ୍ଲ କୁମାର ମିଶ୍ର, ଶାନ୍ତିନିକେତନର ପ୍ର. ହରେକୃଷ୍ଣ ମିଶ୍ର ଓ ପୂର୍ବତନ ସୂଚନା କମିଶନର ସମାଜସେବୀ ଜଗଦାନନ୍ଦଙ୍କ ଗହଣରେ ଡ଼. ମିଶ୍ରଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଛି।
ଓଡ଼ିଆ ଭରଚୁଆଲ ଏକାଡେମୀର ସଚିବ ଡ଼. ପ୍ରଦୀପ କୁମାର ରାଉତ ଅଧ୍ୟକ୍ଷତା କରି ଏକାଡେମୀର କାର୍ଯ୍ୟକ୍ରମ ପ୍ରସାରଣରେ ଡ଼. ମିଶ୍ରଙ୍କୁ ଓଡ଼ିଆ ଭରଚୁଆଲ ଏକାଡେମୀର “ବ୍ରାଣ୍ଡ ଆମ୍ବାସାଡର” ଘୋଷଣା କରିଥିଲେ।
ସେହିପରି ଡ଼. ମିଶ୍ର ପ୍ରତ୍ୟେକ ଓଡ଼ିଆ ସ୍ୱାର୍ଥ, ପୁରୁଷାର୍ଥ ଓ ପରମାର୍ଥ ଲକ୍ଷ୍ୟରେ ଜାତି ତଥା ମାତୃଭାଷାର ସମୃଦ୍ଧି କ୍ଷେତ୍ରରେ ମନୋନିବେଶ କରିବା ଉଚିତ ବୋଲି ମତ ଦେଇ ଓଡ଼ିଆକୁ ଜ୍ଞାନ ଭଣ୍ଡାରର ଭାଷା ଭାବରେ ପ୍ରତିଷ୍ଠିତ କରିବା ଆମର ଜାତୀୟ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପୋଥିଵିଜ୍ଞାନୀ ଅଧ୍ୟାପକ ଡ଼. ବିଭୂତି ଭୂଷଣ ମହାପାତ୍ର, ବରିଷ୍ଠ ପ୍ରବନ୍ଧକ ସ୍ମୃତି ରଞ୍ଜନ ମିଶ୍ର, ବିଶେଷଜ୍ଞ ଦେବାନନ୍ଦ ଭଞ୍ଜ, ଡ଼. ଡି.ଏନ.ମହାନ୍ତି, ସଚ୍ଚିଦାନନ୍ଦ ପଣ୍ଡା ଓ ସ୍ୱତନ୍ତ୍ର ଅଧିକାରୀ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।