Latest Odisha News

BREAKING NEWS

ଫେରିଲେ ଦୂତି ଚାନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ପୁରସ୍କାର ଦେଲେ

ଭୁବନେଶ୍ୱର : ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ । ଓଡ଼ିଆ ଝିଅ ଦୂତି ଚାନ୍ଦ ଓଡ଼ିଶାର ଚାନ୍ଦ ହୋଇ ସବୁ ଓଡ଼ିଆଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ । ଶ୍ରୀଜଗନ୍ନାଥଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଭାରତ ଲାଗି ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ପରେ ଆଜି ଓଡ଼ିଶା ଫେରିଛନ୍ତି । ଓଡ଼ିଶାକୁ ଫେରିବା ପରେ ଦୂତି ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇ ଆଶୀର୍ବାଦ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତିଙ୍କ ଏହି ବିରଳ ସଫଳତା ଲାଗି ତାଙ୍କୁ ଫୁଲତୋଡ଼ା ଦେଇ ଉତ୍ସସିତ ସମ୍ବର୍ଦ୍ଦନା ଜଣାଇଥିଲେ ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜ୍ୟ ସଚିବାଳୟ କାର୍ଯ୍ୟାଳୟରେ ଦୂତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ପୂର୍ବରୁ ଘୋଷଣା କରିଥିବା ୩କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ଦୂତିଙ୍କୁ ୩କୋଟି ଟଙ୍କାର ଏକ ସୁଦୃଶ୍ୟ ଚେକ୍ ପ୍ରଦାନ କରିବା ସହିତ ଆଗାମୀ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଦୂତିଙ୍କ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଭାରତର ଦୌଡ଼ରାଣୀ ଦୂତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ତାଙ୍କୁ କିସ ଓ କିଟ୍ ଶିକ୍ଷାନୁଷ୍ଠାନର ଶହ ଶହ ଛାତ୍ରଛାତ୍ରୀ ଫୁଲଦେଇ ପାଛୋଟି ଆଣିଥିଲେ ।

ଦୂତି ଏସୀୟ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିବା ପରେ ସମଗ୍ର ଏସିଆର ୨ୟ ଦ୍ରୁତତମ ତଥା ଭାରତର ଦ୍ରୁତତମ ମହିଳା ଭାବେ ବିବେଚିତ ହୋଇଛନ୍ତି । ଯାଜପୁର ଚକଗୋପାଳପୁର ଗ୍ରାମର ଦୂତି ଚାନ୍ଦ ୨୦୦ ମିଟର ଦୌଡ଼ରେ ମଧ୍ୟ ରୌପ୍ୟ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ସଚିବାଳୟଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂକ୍ଷିପ୍ତ ସମ୍ବର୍ଦ୍ଦନା ଉତ୍ସବରେ ଦୂତି ଗଣମାଧ୍ୟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ସହଯୋଗ ଲାଗି ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଲେ, “ମୁଁ ସର୍ବଦା ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଭଲ ପାଇଥାଏ, ମୁଁ ଏବେ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେବି । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାର ମୋ ୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ସମସ୍ତ ପ୍ରକାର ଆର୍ôଥକ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଛନ୍ତି ।”

 

“ଦୂତି ଏବେ ୧୦୦ ମିଟର ଦୌଡ଼ରେ ଭଲ ପ୍ରଦର୍ଶନ ଲାଗି ପ୍ରସ୍ତୁତ ହେବେ, ସେ ୧୧ ସେକେଣ୍ଟରୁ କମ୍ ସମୟରେ କିପରି ଅତିକ୍ରମ କରିବେ ତାହା ଉପରେ ତାଲିମ ନେବେ । ଫଳରେ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମେଡ଼ାଲ ହାସଲ କରିବାକୁ ସକ୍ଷମ ହୋଇପାରିବେ,” ବୋଲି ଦୂତିଙ୍କ କୋଚ ଏନ. ରମେଶ ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.