Latest Odisha News

BREAKING NEWS

BKPPER: ବିକାଶର ନୂଆ ମଡେଲକୁ କ୍ୟାବିନେଟର ମଞ୍ଜୁରୀ, ରାଜ୍ୟର ପ୍ରଥମ ସିଟି ଇକୋନୋମିକ୍ ରିଜିଅନ୍ ହେବ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ…

ଭୁବନେଶ୍ୱର: ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ୪୫ତମ ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ ‘ଓଡ଼ିଶା ଡେଭେଲପମେଣ୍ଟ ଅଥରିଟି (ସଂଶୋଧନ) ବିଲ୍-୨୦୨୬’କୁ ମଞ୍ଜୁରୀ ଦେଇଛି। ଏହି ବିଲ୍ ପାସ୍ ହେଲେ ରାଜ୍ୟରେ ଇକୋନୋମିକ୍ ରିଜିଅନ୍ ଡେଭେଲପମେଣ୍ଟ ଅଥରିଟି (ERDA) ଗଠନର ବାଟ ଫିଟିବ।

ଏହି ସଂଶୋଧନ ମାଧ୍ୟମରେ ଓଡ଼ିଶା ଡେଭେଲପମେଣ୍ଟ ଅଥରିଟି ଆଇନ-୧୯୮୨ରେ “ଅର୍ଥନୈତିକ ଅଞ୍ଚଳ(Economic Region)” ଏବଂ “ଅର୍ଥନୈତିକ ଅଞ୍ଚଳ ବିକାଶ ପ୍ରାଧିକରଣ (Economic Region Development Authority)”ର ନୂଆ ସଂଜ୍ଞା ଯୋଡ଼ାଯିବ। ସେହିପରି ଆଇନରେ ନୂଆ ଅଧ୍ୟାୟ-IIA ସାମିଲ କରାଯିବ। ଏହା ଫଳରେ ଭବିଷ୍ୟତରେ ପ୍ରତ୍ୟେକ ଥର ନୂଆ ଆଇନ ଆଣିବାର ଆବଶ୍ୟକତା ପଡ଼ିବ ନାହିଁ। ରାଜ୍ୟ ସରକାର ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳ ପାଇଁ ERDA ଗଠନ କରିପାରିବେ।

ରାଜ୍ୟ ସରକାରଙ୍କ ଓଡ଼ିଶା ଭିଜନ୍-୨୦୩୬ ଓ ଭିଜନ୍-୨୦୪୭ରେ ସହରୀକରଣକୁ ଅର୍ଥନୈତିକ ବିକାଶର ପ୍ରମୁଖ ଇଞ୍ଜିନ୍ ଭାବେ ଚିହ୍ନଟ କରାଯାଇଛି। ଏହି ଯୋଜନା ଅନୁସାରେ ଏକାଧିକ ସହରକୁ ଯୋଡ଼ି ଆଧୁନିକ ଭିତ୍ତିଭୂମି, ଶିଳ୍ପ, ଚାକିରି, ଉନ୍ନତ ପରିବହନ ଏବଂ ସମନ୍ୱିତ ନଗର ସେବା ସହିତ ବଡ଼ ଅର୍ଥନୈତିକ କରିଡରରେ ପରିଣତ କରାଯିବ।

ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୪ଟି ପ୍ରମୁଖ ଅର୍ଥନୈତିକ ଅଞ୍ଚଳ ଚିହ୍ନଟ କରିଛନ୍ତି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ୍ ରିଜିଅନ୍ (BKPPER) , ବରଗଡ଼–ଝାରସୁଗୁଡ଼ା–ସମ୍ବଲପୁର ଇକୋନୋମିକ୍ ରିଜିଅନ୍, ବ୍ରହ୍ମପୁର–ଛତ୍ରପୁର–ଗୋପାଳପୁର ଇକୋନୋମିକ୍ ରିଜିଅନ୍, ଜୟପୁର–କୋରାପୁଟ–ସୁନାବେଡ଼ା ଇକୋନୋମିକ୍ ରିଜିଅନ୍ । ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ (BKPPER) ଅଞ୍ଚଳ ପାଇଁ ନୀତି ଆୟୋଗ (NITI Aayog) ସହଯୋଗରେ ପୂର୍ବରୁ ଏକ ବିସ୍ତୃତ ଅର୍ଥନୈତିକ ଯୋଜନା ପ୍ରସ୍ତୁତ ହୋଇସାରିଛି। ବିଧାନସଭାରେ ବିଲ୍ ପାସ୍ ହେବା ପରେ BKPPERକୁ ଓଡ଼ିଶାର ପ୍ରଥମ ସହର ଅର୍ଥନୈତିକ ଅଞ୍ଚଳ (CER) ଭାବେ ଗଠନ କରାଯିବ।

କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ସମଗ୍ର ଦେଶରେ କେବଳ ୪ଟି ସହର ଅର୍ଥନୈତିକ ଅଞ୍ଚଳକୁ ସ୍ୱୀକୃତି ଦିଆଯାଇଛି। ସେଗୁଡ଼ିକ ହେଲା, BKPPER (ଓଡ଼ିଶା), ବାରାଣସୀ (ଉତ୍ତର ପ୍ରଦେଶ), ସୁରତ (ଗୁଜରାଟ), ବିଶାଖାପାଟଣା (ଆନ୍ଧ୍ର ପ୍ରଦେଶ) । ଏଥିରୁ ସ୍ପଷ୍ଟ ହେଉଛି ଯେ, ଓଡ଼ିଶାର BKPPERକୁ ଜାତୀୟ ସ୍ତରରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ERDA ଗଠନରେ କ’ଣ ହେବ ଲାଭ?

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ପ୍ରତ୍ୟେକ ଇକୋନୋମିକ୍ ରିଜିଅନ୍ ପାଇଁ ସ୍ୱତନ୍ତ୍ର ‘ଅର୍ଥନୈତିକ ଯୋଜନା’ ଓ ‘ମହାଯୋଜନା’ ପ୍ରସ୍ତୁତ କରାଯିବ। ଏହା ଫଳରେ କେବଳ ଗୋଟିଏ ପୌର ସଂସ୍ଥା ନୁହେଁ, ବରଂ ସମଗ୍ର ଅଞ୍ଚଳକୁ ନେଇ ସମନ୍ୱିତ ଯୋଜନା କରାଯିବ। ଏହା ଦ୍ୱାରା ବୃହତ୍ ନିବେଶ ଆକର୍ଷିତ ହେବ, ନୂଆ ଶିଳ୍ପ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ, ସଡ଼କ, ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ହେବ, ସହରାଞ୍ଚଳରେ ଆବାସ, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଜନସେବା ଅଧିକ ସୁଦୃଢ଼ ହେବ, ଲୋକଙ୍କ ଜୀବନଯାପନର ମାନରେ ଉନ୍ନତି ଆସିବ ।

ERDA ଗୁଡ଼ିକ ପ୍ରତ୍ୟେକ ଇକୋନୋମିକ୍ ରିଜିଅନ୍‌ରେ ଥିବା ବର୍ତ୍ତମାନର ବିଭିନ୍ନ ଡେଭେଲପମେଣ୍ଟ ଅଥରିଟିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ବନ୍ଦର, ଶିଳ୍ପାଞ୍ଚଳ, ସହର, ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର, ଲଜିଷ୍ଟିକ୍ସ ନେଟୱର୍କ ଏବଂ ବହୁ ଜିଲ୍ଲାକୁ ଯୋଡ଼ିଥିବା ବିକାଶ ପ୍ରକଳ୍ପଗୁଡ଼ିକୁ ଏକ ସାଧାରଣ ଛତା ତଳେ ଆଣି ଯୋଜନାବଦ୍ଧ ଭାବେ ବିକଶିତ କରାଯିବ।

ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ, ଓଡ଼ିଶା ଦେଶରେ ସମନ୍ୱିତ ସହର ଓ ଅର୍ଥନୈତିକ ଅଞ୍ଚଳ ବିକାଶର ନୂଆ ମଡେଲ୍ ସୃଷ୍ଟି କରିବା ଦିଗରେ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ।

Leave A Reply

Your email address will not be published.