Latest Odisha News

BREAKING NEWS

ଦୁଲୀପ ଟ୍ରଫି ୨୦୨୬: ଘୋଷଣା ହେଲା ସମସ୍ତ ଜୋନର ଦଳ, ଓହ୍ଲାଇବେ ଅନେକ ତାରକା ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟ୍‌ର ପ୍ରତିଷ୍ଠିତ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫି ୨୦୨୬ ପାଇଁ ସମସ୍ତ ୬ଟି ଜୋନ୍‌ର ଦଳ ଘୋଷଣା କରାଯାଇଛି । ଚଳିତ ସିଜନ୍‌ରେ ଦେଶର ବହୁ ନାମୀଦାମୀ ତଥା ତାରକା ଖେଳାଳି ମଇଦାନକୁ ଓହ୍ଲାଇବେ । ଚଳିତ ଦୁଲୀପ ଟ୍ରଫିରେ ତିଲକ ବର୍ମା, ଇଶାନ କିଶାନ, ରଜତ ପାଟିଦାର, ଅର୍ଶଦୀପ ସିଂହ, ମହମ୍ମଦ ଶାମି ଏବଂ ବୈଭବ ସୂର‌୍ୟ୍ୟବଂଶୀଙ୍କ ପରି ପ୍ରସିଦ୍ଧ ଖେଳାଳି ଭିନ୍ନ ଭିନ୍ନ ଜୋନ୍ ଦଳ ପକ୍ଷରୁ ଖେଳୁଥିବାର ନଜର ଆସିବେ । ଏହି ପ୍ରତିଯୋଗିତା ଅଗଷ୍ଟ ୨୩ ରୁ ବେଙ୍ଗାଲୁରୁଠାରେ ଆରମ୍ଭ ହେବାକୁ ଯାଉଛି । ଟୁର୍ନାମେଣ୍ଟରେ ସମସ୍ତ ୬ଟି ଜୋନ୍ (ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, ମଧ୍ୟ ଓ ଉତ୍ତର-ପୂର୍ବ ଜୋନ୍) ର ଦଳଗୁଡ଼ିକ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।  ଜାତୀୟ ଦଳକୁ ଫେରିବା ଏବଂ ନିଜର ଦାବି ମଜବୁତ କରିବା ପାଇଁ ଅନେକ ତାରକା ଓ ଯୁବ ଖେଳାଳିଙ୍କ ପାଇଁ ଏହି ଟୁର୍ନାମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।

ଏହି ଦୁଲୀପ ଟ୍ରଫି ୨୦୨୬  ଅନ୍ୟ ସିଜନ୍ ତୁଳନାରେ ବହୁତ ଅଧିକ ରୋମାଞ୍ଚକର ଏବଂ ଗୁରୁତ୍ୱପୂର୍ଣ୍ଣ ହେବାର ୫ଟି ମୁଖ୍ୟ କାରଣ ରହିଛି:

ତାରକା ଖେଳାଳି: ଚଳିତ ସିଜନରେ କେବଳ ଘରୋଇ କ୍ରିକେଟର ନୁହଁନ୍ତି, ବରଂ ମହମ୍ମଦ ଶାମି, ଇଶାନ କିଶାନ, ପ୍ରଥ୍ୱୀ ଶ, ଅର୍ଶଦୀପ ସିଂହ, ରୁତୁରାଜ ଗାଏକ୍ୱାଡ ଏବଂ ତିଲକ ବର୍ମାଙ୍କ ପରି ଅନ୍ତର୍ଜାତୀୟ ସ୍ତରର ତାରକାମାନେ ସାମିଲ ହୋଇଛନ୍ତି। ଫଳରେ ମ୍ୟାଚଗୁଡ଼ିକର ଗୁଣବତ୍ତା ବହୁତ ଉଚ୍ଚକୋଟୀର ହେବ ।

ୱଣ୍ଡର କିଡ : ଇଷ୍ଟ ଜୋନ୍ ଦଳରେ ମାତ୍ର ୧୫ ବର୍ଷୀୟ ବିହାରର ଯୁବ ବ୍ୟାଟର ବୈଭବ ସୂର‌୍ୟ୍ୟବଂଶୀଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ମହମ୍ମଦ ଶାମି ଓ ଇଶାନ କିଶାନଙ୍କ ପରି ସିନିୟର ଖେଳାଳି ଥିବା ଦଳରେ ଜଣେ ୧୫ ବର୍ଷର ଯୁବ ପ୍ରତିଭା କିପରି ପ୍ରଦର୍ଶନ ଓ ନେତୃତ୍ୱ ଦେଉଛନ୍ତି, ତାହା ଦେଖିବାକୁ ସମସ୍ତଙ୍କ ନଜର ରହିବ ।

ଇଶାନ  ଓ ଶାମିଙ୍କ ପାଇଁ  ସୁଯୋଗ: ଜାତୀୟ ଦଳରୁ ବାହାରେ ଥିବା ଇଶାନଙ୍କ ପାଇଁ ଇଷ୍ଟ ଜୋନ୍‌ର ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଏହା ସବୁଠାରୁ ବଡ଼ ମଞ୍ଚ। ଆହତ ସମସ୍ୟାରୁ ମୁକ୍ତ ହୋଇ ଦୀର୍ଘ ଦିନ ପରେ ଲାଲ-ବଲ କ୍ରିକେଟରେ ତାଙ୍କର ଫିଟନେସ୍ ଓ ବୋଲିଂ ଉପରେ ଚୟନକର୍ତ୍ତାଙ୍କ ନଜର ରହିବ ।

ଯୁବ ଅଧିନାୟକମାନଙ୍କ ମଧ୍ୟରେ କଡ଼ା ଟକ୍କର; ଏଥର ପ୍ରତ୍ୟେକ ଜୋନ୍‌ର କମାଣ୍ଡ ଯୁବ ଓ ଆକ୍ରାମକ ଖେଳାଳିଙ୍କ ହାତରେ ଅଛି। ୱେଷ୍ଟ ଜୋନ୍: ରୁତୁରାଜ ଗାଏକ୍ୱାଡ, ସାଉଥ୍ ଜୋନ୍: ତିଲକ ବର୍ମା, ସେଣ୍ଟ୍ରାଲ ଜୋନ୍: ରଜତ ପାଟିଦାର,ଇଷ୍ଟ ଜୋନ୍: ଇଶାନ କିଶାନଙ୍କ ମଧ୍ୟରେ କ୍ରିକେଟିଂ ମାଇଣ୍ଡ ଓ କ୍ୟାପ୍ଟେନ୍‌ସିର କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ ।

ଟିମ୍ ଇଣ୍ଡିଆରେ ସ୍ଥାନ ପାଇଁ ଟକ୍କର; ଆଗାମୀ ଟେଷ୍ଟ ସିଜନ୍ ପାଇଁ ଭାରତୀୟ ଦଳରେ ଖାଲି ଥିବା ସ୍ଥାନଗୁଡ଼ିକୁ ପୂରଣ କରିବା ପାଇଁ ଏହି ଟୁର୍ନାମେଣ୍ଟ ଏକ ମୁଖ୍ୟ ସିଲେକସନ୍ ଟ୍ରାଏଲ୍‌  ଭାବେ କାମ କରିବ । ସରଫରାଜ ଖାନ, କରୁଣ ନାୟାର, ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ପରି ଖେଳାଳିମାନେ ବଡ଼ ସ୍କୋର କରି ଜାତୀୟ ଦଳର ଦ୍ୱାର ଖୋଲିବାକୁ ଚେଷ୍ଟା କରିବେ ।

Leave A Reply

Your email address will not be published.