Latest Odisha News

BREAKING NEWS

ଅନଲାଇନ୍ ସପିଂ କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର: ଫେକ୍ ଡିସକାଉଣ୍ଟ୍ ଓ ଠକେଇ ଉପରେ ଲଗାମ କଷିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପାର୍ବଣ ଋତୁ ଆସିଲେ ଆମାଜନ୍, ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରେ ‘ମେଗା ସେଲ୍’ ଆରମ୍ଭ ହୋଇଯାଏ। ୭୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି (ଡିସକାଉଣ୍ଟ) ଦେଖି ଲୋକେ ଖୁସିରେ ସପିଂ କରିଥାନ୍ତି। କିନ୍ତୁ ଅଧିକାଂଶ ସମୟରେ ଏହା ଏକ ପ୍ରକାରର ଠକେଇ ହୋଇଥାଏ। ଜିନିଷର ପ୍ରକୃତ ଦାମ୍‌କୁ ହଠାତ୍ ବଢ଼ାଇ ଦେଇ ତା’ ଉପରେ ବଡ଼ ଡିସକାଉଣ୍ଟ ଦେଖାଇବା ଏବେ ଅନଲାଇନ୍ କମ୍ପାନୀଙ୍କ ଏକ ଅଭ୍ୟାସରେ ପରିଣତ ହେଲାଣି। ଗ୍ରାହକମାନଙ୍କୁ ଏହି ‘ଫେକ୍ ଡିସକାଉଣ୍ଟ’ ଏବଂ ଅନ୍ୟାନ୍ୟ ଅନଲାଇନ୍ ଠକେଇରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏବେ କଠୋର ପଦକ୍ଷେପ ନେଇଛନ୍ତି।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ‘ଗ୍ରାହକ ସୁରକ୍ଷା (ଇ-କମର୍ସ) (ସଂଶୋଧନ) ନିୟମ-୨୦୨୬’ ଜାରି କରାଯାଇଛି। ୨୦୨୦ ମସିହାରେ ଆସିଥିବା ପୁରୁଣା ଆଇନରେ ବ୍ୟାପକ ସଂଶୋଧନ କରାଯାଇ ଏହି ନୂଆ ନିୟମ ପ୍ରସ୍ତୁତ ହୋଇଛି, ଯାହା ଆଗାମୀ ୨୦୨୭ ମସିହା ଜାନୁଆରୀ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ। ଏହି ନୂଆ ନିୟମ ଲାଗୁ ହେବା ପରେ କମ୍ପାନୀମାନଙ୍କୁ ନିଜ ସେବାରେ ସ୍ୱଚ୍ଛତା ଆଣିବାକୁ ପଡ଼ିବ।

ନୂଆ ନିୟମ କ’ଣ ରହିଛି ବିଶେଷତ୍ୱ?

ମିଛ ଡିସକାଉଣ୍ଟ ଉପରେ ରୋକ୍: ନୂଆ ନିୟମ ଅନୁଯାୟୀ କୌଣସି ବି ଇ-କମର୍ସ କମ୍ପାନୀ ନିଜ ଇଚ୍ଛାରେ ଦାମ୍ ବଢ଼ାଇ ଡିସକାଉଣ୍ଟ ଦେଇପାରିବେ ନାହିଁ। ସେଲ୍ ସମୟରେ କମ୍ପାନୀକୁ ସେହି ପ୍ରଡକ୍ଟର ‘ପ୍ରାୟର୍ ପ୍ରାଇସ୍’ (ଗତ ୩୦ ଦିନ ମଧ୍ୟରେ ଥିବା ସର୍ବନିମ୍ନ ଦର) ମଧ୍ୟ ଗ୍ରାହକଙ୍କୁ ଦେଖାଇବାକୁ ପଡ଼ିବ । ଏହାଦ୍ୱାରା ଗ୍ରାହକମାନେ ଜାଣିପାରିବେ ଯେ ସେମାନଙ୍କୁ ପ୍ରକୃତରେ କେତେ ଟଙ୍କାର ରିହାତି ମିଳୁଛି ।

ଡାର୍କ ପ୍ୟାଟର୍ଣ୍ଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ: ଅନେକ ସମୟରେ ଅନଲାଇନ୍ କମ୍ପାନୀମାନେ ଗ୍ରାହକଙ୍କୁ ବିଭ୍ରାନ୍ତ କରି ବାଧ୍ୟତାମୂଳକ ଭାବେ ଅନ୍ୟ ଜିନିଷ କିଣିବାକୁ ପ୍ରବର୍ତ୍ତାନ୍ତି କିମ୍ବା ବିଲ୍ ଦେବା ବେଳେ ଲୁଚାଛପା ଚାର୍ଜ ଲଗାନ୍ତି। ଏହାକୁ ଇଣ୍ଟରନେଟ୍ ଭାଷାରେ ‘ଡାର୍କ ପ୍ୟାଟର୍ଣ୍ଣ’ କୁହାଯାଏ। ନୂଆ ନିୟମରେ ଏହି ବେଆଇନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କମ୍ପାନୀଗୁଡ଼ିକୁ ପ୍ରତିବର୍ଷ ଏକ ସେଲ୍ଫ ଅଡିଟ୍ କରି ସାର୍ଟିଫିକେଟ୍ ଦେବାକୁ ବାଧ୍ୟତାମୂଳକ କରାଯାଇଛି।

ସର୍ଚ୍ଚ ରିଜଲ୍ଟରେ ମନମାନି ଚାଲିବନି: କୌଣସି ଜିନିଷ ସର୍ଚ୍ଚ କଲେ ଇ-କମର୍ସ କମ୍ପାନୀମାନେ ନିଜ ସ୍ୱାର୍ଥ ପାଇଁ ସ୍ପୋନ୍‌ସର୍ଡ (ଟଙ୍କା ଦେଇ ପ୍ରମୋଟ୍ କରାଯାଇଥିବା) ପ୍ରଡକ୍ଟକୁ ଉପରେ ଦେଖାନ୍ତି। ଏଣିକି ସେଭଳି କଲେ ସେଥିରେ ‘ସ୍ପୋନ୍‌ସର୍ଡ’ (Sponsored) ବୋଲି ସ୍ପଷ୍ଟ ଲେଖିବାକୁ ପଡ଼ିବ, ଯାହାଦ୍ୱାରା ଗ୍ରାହକ ପ୍ରକୃତ ଓ ଉନ୍ନତମାନର ଜିନିଷ ବାଛିପାରିବେ।

ସମ୍ପୂର୍ଣ୍ଣ ତଥ୍ୟ ଦେବା ବାଧ୍ୟତାମୂଳକ: ବିଦେଶରୁ ଆସୁଥିବା ସାମଗ୍ରୀ ଉପରେ ତିଆରି ହୋଇଥିବା ଦେଶର ନାମ ଏବଂ ଇମ୍ପୋର୍ଟରଙ୍କ ତଥ୍ୟ ଦେବା ଜରୁରୀ। ଏହା ସହିତ ରିଟର୍ଣ୍ଣ, ରିଫଣ୍ଡ ପଲିସି ଏବଂ ୱାରେଣ୍ଟି ବିଷୟରେ ସ୍ପଷ୍ଟ ସୂଚନା ଦିଆଯିବ। ଅଭିଯୋଗ ଦାଖଲ ହେଲେ, ଗ୍ରାହକଙ୍କୁ ତା’ର ଲିଖିତ କପି (କମ୍ପ୍ଲେନ୍ କପି) ସଙ୍ଗେ ସଙ୍ଗେ ଯୋଗାଇ ଦିଆଯିବ।

Leave A Reply

Your email address will not be published.