Latest Odisha News

BREAKING NEWS

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ୨୦୨୬-୨୭ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍ ) ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଫର୍ ହାୟର ଏଡ୍ୟୁକେସନ୍ (ପିଜିଡିଏସ) ର ୨୨ତମ ସଂସ୍କରଣ, ୨୦୨୬-୨୭ ପାଇଁ ଆବେଦନ ଆହ୍ୱାନ କରାଯାଇଛି।

ଏହି ସ୍କଲାରସିପ୍ ଇଞ୍ଜିନିୟରିଂ, ମେଡିସିନ୍, ଏସ ଟି ଇ ଏମ୍ ଏବଂ ଲିବରାଲ୍ ଆର୍ଟସ୍‌ରେ ବୃତ୍ତିଗତ ଡିଗ୍ରୀ ହାସଲ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିଥାଏ। ମନୋନୀତ ଛାତ୍ରଛାତ୍ରୀ ମାନେ ଚାରି ବର୍ଷର ପାଠ୍ୟକ୍ରମ ପାଇଁ ଶିକ୍ଷାଗତ ଫି’ ଓ ଯୋଗ୍ୟ ଖର୍ଚ୍ଚର ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥାତ୍ ସର୍ବାଧିକ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ୍ ଭାବେ ପାଇପାରିବେ।

ସ୍ୱର୍ଗତ ଇଲା ପଣ୍ଡାଙ୍କ ପିତା ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କନାମରେ ନାମିତ ଏହି ସ୍କଲାରସିପ୍ ୨୦୦୫ ମସିହାରେ ଇମ୍ଫା  ପକ୍ଷରୁ ପ୍ରତିଷ୍ଠିତ ହୋଇଥିଲା।ଶିକ୍ଷାକୁ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମରେ ପରିଣତ କରିବା ଏବଂ କୌଣସି ଯୁବପିଢ଼ି ଯେପରି ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ଏହି ସ୍କଲାରସିପ୍‌ର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୬ ମସିହାଠାରୁ ବିଆଇପିଏଫ୍ ଏହାକୁ ଆଗେଇ ନେଇଆସୁଛି। ତେବେ ପିଜିଡିଏସ ର ସ୍କଲାରମାନେ ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଛନ୍ତି। ଏଥିରେ AIIMS , IIT, IIIT, NIT, SCB ମେଡିକାଲ୍ କଲେଜ୍ ସମେତ ଅନ୍ୟାନ୍ୟ ଅଗ୍ରଣୀ ମେଡିକାଲ୍ ଓ ଇଞ୍ଜିନିୟରିଂ କଲେଜ୍ ଅନ୍ତର୍ଭୁକ୍ତ। ଆର୍ଥିକ ସହାୟତା ବ୍ୟତୀତ, ଫାଉଣ୍ଡେସନ୍ ପକ୍ଷରୁ ‘ଉତ୍ସାହ’ ନାମକ ଏକ ସୁସଂଗଠିତ ମେଣ୍ଟରଶିପ୍ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଏ।ଏହି କାର୍ଯ୍ୟକ୍ରମରେ ଶିକ୍ଷାଗତ ଉତ୍କର୍ଷ, କ୍ୟାରିୟର ମାର୍ଗଦର୍ଶନ, ସମୟ ପରିଚାଳନା, ମାନସିକ ସୁସ୍ଥତା, ଜୀବନ କୌଶଳ, ନେତୃତ୍ୱ ଏବଂ ଯୋଗାଯୋଗ ଦକ୍ଷତା ଆଦି ଉପରେ ଗୁରୁତ୍ୱ ଦିଆଯାଏ।

ଚଳିତ ବର୍ଷ NEET, JEE, JEE Advanced କିମ୍ବା CUET ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଯୋଗ୍ୟତାର ବିସ୍ତୃତ ମାନଦଣ୍ଡ ଏବଂ ଆବେଦନ କରିବା ପାଇଁ www.bipf.org.in ୱେବସାଇଟରୁ ସୂଚନା ପାଇପାରିବେ। ଅପରପକ୍ଷରେ ଆବେଦନର ଶେଷ ତାରିଖ ୩୦ ଅକ୍ଟୋବର ୨୦୨୬ ରହିଛି।

 

Leave A Reply

Your email address will not be published.