Latest Odisha News

BREAKING NEWS

FIR against Kangana Ranaut: ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ମହଙ୍ଗା ପଡ଼ିଲା! ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ନାଁରେ ଏଫଆଇଆର୍

ଶିମଲା: ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ଏବେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ତାଙ୍କ ବିରୋଧରେ ହିମାଚଳ ପ୍ରଦେଶ ପୋଲିସ ଶିମଲାରେ ଏକ ଏଫଆଇଆର୍ ରୁଜୁ କରିଛି। ଗାନ୍ଧୀ ପରିବାରକୁ ଟାର୍ଗେଟ କରି କଙ୍ଗନା କରିଥିବା ସୋସିଆଲ ମିଡିଆ ପୋଷ୍ଟ ଉତ୍ତେଜନା ସୃଷ୍ଟି କରିବା ସହ ଜନଶାନ୍ତି ଭଙ୍ଗ କରିପାରେ ବୋଲି ଅଭିଯୋଗ ହୋଇଛି। ଶୁକ୍ରବାର, ନଭେମ୍ବର ୧୩ରେ ଶିମଲାର ବାସିନ୍ଦା ଅବସରପ୍ରାପ୍ତ କ୍ୟାପଟେନ୍ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। କଙ୍ଗନାଙ୍କ ଭେରିଫାଏଡ୍ ସୋସିଆଲ ମିଡିଆ ଆକାଉଣ୍ଟରୁ ନଭେମ୍ବର ୧୦ରେ ଏହି ପୋଷ୍ଟ କରାଯାଇଥିଲା।

ଅଭିଯୋଗକାରୀ ଅତୁଲ ଶର୍ମାଙ୍କ ଅନୁସାରେ, କଙ୍ଗନାଙ୍କ ପୋଷ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଅତ୍ୟନ୍ତ ଉତ୍ତେଜନାମୂଳକ ଇଙ୍ଗିତ ଦିଆଯାଇଥିଲା। ଏହା ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନେଇ ମଧ୍ୟ ପୋଷ୍ଟରେ ଆପତ୍ତିଜନକ ଉଲ୍ଲେଖ ଥିବା ଅଭିଯୋଗ ହୋଇଛି। ତାଙ୍କୁ ‘ରହସ୍ୟମୟ ବିଦେଶୀ ନାଗରିକ’ ବୋଲି ଚିତ୍ରଣ କରାଯାଇଥିବା ଅଭିଯୋଗ ରହିଛି।

ଅଭିଯୋଗ ଅନୁସାରେ, ପୋଷ୍ଟରେ ଏପରି ଏକ କାହାଣୀ ଉପସ୍ଥାପନ କରାଯାଇଥିଲା ଯେ, ଗାନ୍ଧୀ ପରିବାରର ସଦସ୍ୟମାନେ ଜଣକ ପରେ ଜଣେ ମୃତ୍ୟୁବରଣ କରିବା ପୂର୍ବରୁ ସୋନିଆ ଗାନ୍ଧୀ ବିଦେଶରେ ଏକ କାଫେକୁ ଆସିଥିଲେ ଏବଂ ଶେଷରେ ସେ ସରକାରଙ୍କ ମୁଖ୍ୟ ପଦରେ ପହଞ୍ଚିଥିଲେ। ଏହା ସହ ‘How convenient’ ଅର୍ଥାତ୍ ‘କେତେ ସୁବିଧାଜନକ’ ବୋଲି ଟିପ୍ପଣୀ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏହି ପୋଷ୍ଟରେ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀ ପରିବାରର ବାସଭବନ ଛାଡ଼ିବା ଘଟଣାକୁ ମଧ୍ୟ ଉଲ୍ଲେଖ କରାଯାଇଥିଲା ।ଅତୁଲ ଶର୍ମା ଅଭିଯୋଗ କରିଛନ୍ତି ଯେ, କଙ୍ଗନାଙ୍କ ଏହି ପୋଷ୍ଟ କେବଳ ରାଜନୈତିକ ସମାଲୋଚନା ମଧ୍ୟରେ ସୀମିତ ନଥିଲା। ଏହା ଲୋକଙ୍କ ମଧ୍ୟରେ ଶତ୍ରୁତା ବଢ଼ାଇବା, ସାମ୍ପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରିବା ଏବଂ ସାଧାରଣ ଶାନ୍ତି ଭଙ୍ଗ କରିବାର ଆଶଙ୍କା ସୃଷ୍ଟି କରୁଥିଲା। ଏହା ସହ ଭୟ କିମ୍ବା ଆତଙ୍କ ସୃଷ୍ଟି କରିପାରୁଥିବା ଭ୍ରମାତ୍ମକ ସୂଚନା ପ୍ରସାରଣ ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା ଭଳି ଅଭିଯୋଗ ମଧ୍ୟ ସେ ଆଣିଛନ୍ତି।

ଗୁରୁବାର ସନ୍ଧ୍ୟା ୭ଟା ୫୧ ମିନିଟ୍‌ରେ ଅତୁଲ ଶର୍ମା ଇମେଲ୍ ଯୋଗେ ହିମାଚଳ ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ (DGP)ଙ୍କୁ ଅଭିଯୋଗ ପଠାଇଥିଲେ। ଏଥିରେ ତୁରନ୍ତ ଏଫଆଇଆର୍ ରୁଜୁ କରିବା ସହ କଙ୍ଗନାଙ୍କ ପୋଷ୍ଟର ସମୟସୀମା ମଧ୍ୟରେ ସାଇବର-ଫୋରେନସିକ୍ ତଦନ୍ତ କରିବାକୁ ଦାବି କରିଥିଲେ। କଙ୍ଗନା ରଣାୱତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬(୧)(ବି), ୩୫୩(୨) ଏବଂ ୩୫୬(୨) ଅନୁସାରେ ଏଫଆଇଆର୍ ରୁଜୁ ହୋଇଛି। ଶିମଲା ଏସପି ଗୌରବ ସିଂହ ମାମଲା ରୁଜୁ ହୋଇଥିବା ନିଶ୍ଚିତ କରିଛନ୍ତି। ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପ୍ରାୟ ୧୯୮୧ ମସିହାର ଏକ ପୁରୁଣା ପାରିବାରିକ ଭିଡିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହେବା ପରେ କଙ୍ଗନାଙ୍କ ଏହି ମନ୍ତବ୍ୟ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀ, ମାନେକା ଗାନ୍ଧୀ ଏବଂ ଛୋଟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ପାରିବାରିକ ରାତ୍ରିଭୋଜନରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସୋନିଆ ଗାନ୍ଧୀଙ୍କ ସ୍ମୃତିଗ୍ରନ୍ଥ ‘Belonging: A Journey of Love’ ମଧ୍ୟ ପ୍ରକାଶ ପାଇଥିଲା। ନଭେମ୍ବର ୧୦ରେ ପୁସ୍ତକ ପ୍ରକାଶନ ହୋଇଥିବା ଦିନ ହିଁ କଙ୍ଗନାଙ୍କ ସୋସିଆଲ ମିଡିଆ ପୋଷ୍ଟ ଆସିଥିଲା।

Leave A Reply

Your email address will not be published.