Latest Odisha News

BREAKING NEWS

SCO Meet in Pakistan: ଆସିଥିଲେ ପାକିସ୍ତାନ ମନ୍ତ୍ରୀ, ପାକିସ୍ତାନ ଯିବେ କି ପ୍ରଧାନମନ୍ତ୍ରୀ ମୋଦୀ?

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ତିକ୍ତ ହୋଇଥିବାବେଳେ ଏବେ ପାକିସ୍ତାନ ପକ୍ଷରୁ ଆସିଛି ଏକ ବଡ ଖବର। ଆସନ୍ତା ୨୦୨୭ ମସିହାରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି ପାକିସ୍ତାନ। ଏଥିପାଇଁ ଭାରତକୁ ମଧ୍ୟ ନିମନ୍ତ୍ରଣ ପଠାଇବାକୁ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନ, ପାକିସ୍ତାନର ନିମନ୍ତ୍ରଣ ଗ୍ରହଣ କରି କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମାବାଦ ଯିବେ?

ସୂଚନା ଅନୁସାରେ, ୨୦୨୭ରେ ପାକିସ୍ତାନ SCO ସଂସ୍କୃତି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ସହ ରାଷ୍ଟ୍ରମୁଖ୍ୟଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବ। ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ହୋଇପାରେ ବୋଲି ଆଲୋଚନା ହେଉଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ ସାଧାରଣତଃ ପ୍ରଧାନମନ୍ତ୍ରୀ କରିଥାନ୍ତି। ତେଣୁ ମୋଦୀଙ୍କ ପାକିସ୍ତାନ ଗସ୍ତକୁ ନେଇ କୂଟନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ତେବେ ନିକଟରେ ଭାରତରେ ଆୟୋଜିତ ସଭ୍ୟତାଗତ ସଂଳାପ ସମ୍ମିଳନୀକୁ ଭାରତର ନିମନ୍ତ୍ରଣ ରକ୍ଷା କରି ପାକିସ୍ତାନର ମନ୍ତ୍ରୀ ଡକ୍ଟର ମୁସାଦିକ ମଲିକ ନିଜ ପତ୍ନୀଙ୍କ ସହ ଯୋଗ ଦେଇଥିଲେ। ଏହାପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଆସନ୍ତା ବର୍ଷ ପାକିସ୍ତାନ SCO ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ଆୟୋଜନ କରିବାକୁ ଯାଉଛି। ଏହା ସହ ଅଗଷ୍ଟରେ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ତେବେ ଅପରେସନ ସିନ୍ଦୂର ପରେ ଦୁଇ ଦେଶର ସମ୍ପର୍କରେ ଆହୁରି ତିକ୍ତତା ଆସିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପାକିସ୍ତାନ ପ୍ରତି ଆଭିମୁଖ୍ୟ କଠୋର ହୋଇଛି। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟରେ ପରିବର୍ତ୍ତନ ନଆସିବା ପର୍ଯ୍ୟନ୍ତ ସମ୍ପର୍କ ସ୍ୱାଭାବିକ ହେବା ସହଜ ନୁହେଁ।

ଭାରତୀୟ ଅଧିକାରୀଙ୍କ ମତ ଅନୁସାରେ, ମୋଦୀଙ୍କ ପାକିସ୍ତାନ ଗସ୍ତର ସମ୍ଭାବନା ବହୁତ କମ୍। ପାକିସ୍ତାନ ପକ୍ଷରୁ ନିମନ୍ତ୍ରଣ ଆସିଲେ ମଧ୍ୟ ଆତଙ୍କବାଦ ବିରୋଧରେ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଜରୁରୀ। ଏହି ସର୍ତ୍ତ ପୂରଣ ନହେଲେ ଭାରତର ଆଭିମୁଖ୍ୟ ବଦଳିବା ସମ୍ଭାବନା କମ୍।

ତେବେ କହିରଖୁଛୁ,, ୨୦୨୪ରେ କାଜାଖସ୍ତାନରେ ଅନୁଷ୍ଠିତ SCO ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ମୋଦୀଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେଇଥିଲେ। ସେହିପରି ୨୦୨୪ ଅକ୍ଟୋବରରେ SCO ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାକୁ ଜୟଶଙ୍କର ପାକିସ୍ତାନ ଯାଇଥିଲେ। ୨୦୨୫ ସେପ୍ଟେମ୍ବରରେ SCO ଜାତୀୟ ସଂଯୋଜକଙ୍କ ବୈଠକ ପାଇଁ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆଲୋକ ଡିମ୍ରି ମଧ୍ୟ ପାକିସ୍ତାନ ଗସ୍ତ କରିଥିଲେ।

ଏବେ ପ୍ରଶ୍ନ ହେଉଛି, ପାକିସ୍ତାନର ନିମନ୍ତ୍ରଣକୁ ଭାରତ କିପରି ଗ୍ରହଣ କରିବ? ମୋଦୀ ନିଜେ ଯିବେ ନା ଅନ୍ୟ କୌଣସି ପ୍ରତିନିଧିଙ୍କୁ ପଠାଇବେ? ଏହାର ଉତ୍ତର ଆସନ୍ତା ଦିନରେ ଭାରତର କୂଟନୈତିକ ନିଷ୍ପତ୍ତି ଉପରେ ନିର୍ଭର କରିବ।

ତଥାପି ଯଦି ୨୦୨୭ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ଗସ୍ତ କରନ୍ତି, ତେବେ ଏହା ହେବ ତାଙ୍କର ଦ୍ବିତୀୟ ପାକିସ୍ତାନ ଗସ୍ତ। କାରଣ, ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ମାତ୍ର ଥରେ, ୨୦୧୫ ଡିସେମ୍ବର ୨୫ ତାରିଖରେ ହଠାତ୍ ପାକିସ୍ତାନ ଗସ୍ତ କରିଥିଲେ। ଲାହୋରରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଭେଟିବା ସହ ତାଙ୍କ ପରିବାରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୋଦୀ। ଏହା ପରେ ସେ ଆଉ ପାକିସ୍ତାନ ଯାଇନାହାନ୍ତି। ତେଣୁ ୨୦୨୭ରେ ଯଦି ତାଙ୍କର ଗସ୍ତ ହୁଏ, ତେବେ ପ୍ରାୟ ୧୧ ବର୍ଷ ୮ ମାସ ପରେ ପୁଣି ପାକିସ୍ତାନ ମାଟିରେ ପାଦ ରଖିବେ ପ୍ରଧାନମନ୍ତ୍ରୀ। ଅପରେସନ ସିନ୍ଦୂର ପରବର୍ତ୍ତୀ ତିକ୍ତ ସମ୍ପର୍କ ମଧ୍ୟରେ ଏଭଳି ଗସ୍ତ ହେବ କି ନାହିଁ, ତାହା ଏବେ ଅନିଶ୍ଚିତତାରେ ଥିବା ବେଳେ ଦୁଇ ପଡୋଶୀ ଦେଶର ବର୍ତ୍ତମାନ ସଂପର୍କ ଭିତରେ ସବୁଠୁ ବଡ଼ କୂଟନୈତିକ ପ୍ରଶ୍ନ।

Leave A Reply

Your email address will not be published.