ଭୁବନେଶ୍ୱର: ଓଡ଼ିଶାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଛଅ ମାସ ମଧ୍ୟରେ ଜରିମାନା ବାବଦକୁ ୨୬୪.୬୬ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ଗୁରୁବାର ଦିନ ରାଜ୍ୟ ବିଧାନସଭା ରେ ସୂଚନା ଦିଆଯାଇଛି।
ଗୃହରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ରାଜ୍ୟ ସରକାର ଟ୍ରାଫିକ୍ ଜରିମାନା ବାବଦକୁ ୨୬୪.୬୬ କୋଟି ଟଙ୍କା ସଂଗ୍ରହ କରିଛନ୍ତି।
ଗତ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଏହି ଆଦାୟ ପରିମାଣ ଯଥେଷ୍ଟ ଅଧିକ ଅଟେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ମାନେ ପ୍ରାୟ ଦ୍ୱିଗୁଣ ପରିମାଣର ଜରିମାନା ଦେଇଛନ୍ତି। ଟ୍ରାଫିକ୍ ଜରିମାନାରୁ ମିଳିଥିବା ରାଜସ୍ୱର ଏକ ଅଂଶକୁ ସରକାର ସଡ଼କ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ୟ ବ୍ୟବହାର କରିଛନ୍ତି।
ରାଜ୍ୟବ୍ୟାପୀ ଚିହ୍ନଟ ହୋଇଥିବା ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକର (ବ୍ଲାକ୍ ସ୍ପଟ୍) ସୁଧାର ଏବଂ ଟ୍ରାଫିକ୍ ଭିତ୍ତିଭୂମିର ଉନ୍ନତି ପାଇଁ ୬୬.୭୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ଏହା ବ୍ୟତୀତ ଟ୍ରାଫିକ୍ ଉପରେ ନଜର ରଖିବା ଏବଂ ନିୟମ କାର୍ଯ୍ୟକାରୀ କରିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ‘ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍’ (ANPR) କ୍ୟାମେରା ଏବଂ ଗତି ମାପକ ଯନ୍ତ୍ର (ସ୍ପିଡ୍ ସେନ୍ସର) କିଣିବା ପାଇଁ ୧୮.୫୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
