Latest Odisha News

BREAKING NEWS

ଭାରତ ଆସୁଛନ୍ତି ଟ୍ରମ୍ପ: କ’ଣ ସବୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଟ୍ରମ୍ପଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଆମେରିକୀୟ ରାଷ୍ଟ୍ରପତିଙ୍କ ଭବ୍ୟ ଅଭ୍ୟର୍ଦ୍ଧନା ପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। ଟ୍ରମ୍ପଙ୍କ ଏହି ଭାରତ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଗୁଜରାଟର ଅହମ୍ମଦାବାଦରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଆଗ୍ରା ପର୍ଯ୍ୟନ୍ତ ଲାଗିଛନ୍ତି ହଜାର ହଜାର ଲୋକ ।

ଟ୍ରମ୍ପଙ୍କ ପାଇଁ କିଭଳି ହୋଇଛି ପ୍ରସ୍ତୁତି, ଆସନ୍ତୁ ଜାଣିବା…

ସ୍ୱାଗତ ସମ୍ବର୍ଦ୍ଧନା:

ଆଇଟିସି ମୌର୍ଯ୍ୟରେ କରାଯିବ ଟ୍ରମ୍ପଙ୍କ ସ୍ୱାଗତ ସମ୍ବର୍ଦ୍ଧନା । ହୋଟେଲରେ ପ୍ରବେଶ କରୁ କରୁ ଖୁବ୍‌ ସୁନ୍ଦର ରଙ୍ଗୋଲି ସହ ଭାରତୀୟ ପୋଷାକରେ ଯୁବତୀମାନେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ କରିବେ। ଏଥିରେ ହାତୀମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ ହାତୀ ହେଉଛି ରିପବ୍ଲିକ୍‌ ପାର୍ଟିର ପାରମ୍ପରିକ ମାସ୍‌କର୍ଟ।

ରହିବା ବ୍ୟବସ୍ଥା:

ରାଷ୍ଟ୍ରପତି ଟ୍ରମ୍ପଙ୍କ ରହିବା ପାଇଁ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲକୁ ଚୟନ କରାଯାଇଛି । ସାଢ଼େ ଚାରି ହଜାର ସ୍କୋୟାର ଫୁଟର ଏହି ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍‌ ସୁଇଟ୍‌କୁ ସଜା ଯାଉଛି।

ଏହି ହୋଟେଲର ୧୪ ତମ ତାଲାରେ ଥିବା ଗ୍ରାଣ୍ଡ ପ୍ରେସିଡେନ୍ସି ଫ୍ଲୋରରେ ରହିବେ ଟ୍ରମ୍ପ । ସେଠାରେ ଚାଣକ୍ୟ ସୁଇଟ୍‌ରେ ତାଙ୍କ ରହଣି ପାଇଁ ସ୍ୱତନ୍ତ୍ର ରାଜକୀୟ ବ୍ୟବସ୍ଥା କରାଯାଇଛି। ଏହି ସୁଇଟ୍‌ର ନିଜସ୍ୱ ପ୍ରବେଶପଥ ଓ ପ୍ରାଇଭେଟ୍‌ ହାଇ ସ୍ପିଡ ଏଲିଭେଟର ରହିଛି।

ଖୁବ୍‌ ସୁନ୍ଦର ଲିଭିଂ ରୁମ୍‌ ଓ ସିଲ୍କ ପ୍ୟାନେଲଯୁକ୍ତ ପାଚେରି ଯୁକ୍ତ ଏହି ସୁଇଟରେ ଟ୍ରମ୍ପ ଦମ୍ପତିଙ୍କ ଭିନ୍ନ ଭିନ୍ନ ଫଟୋକୁ ଟଙ୍ଗାଯାଇଛି। ଏହି ସୁଇଟ୍‌ରେ ପିକକ ଥିମ୍‌ରେ ଡାଇନିଂ ରହିଛି। ପ୍ରଦୂଷଣ ରୋକିବା ପାଇଁ ଏହି ରୁମ୍‌ରେ ଖାସ୍‌ ଡାଇନାମିକ ପ୍ଲାକ୍‌ ଲଗାଯାଇଛି। ଏହା ରିୟଲ ଟାଇମ୍‌ ପଲ୍ୟୁସନ୍‌ ବିଷୟରେ ସୂଚନା ଦେବ। ଏଥିସହ ସମ୍ପୂର୍ଣ୍ଣ ହୋଟେଲ ହାଇ ସିକ୍ୟୁରିଟି ମଧ୍ୟରେ ରହିଥିବା ଜଣାଯାଇଛି।

ଖାଦ୍ୟପେୟ:

କେବଳ ରହିବା ପାଇଁ ନୁହେଁ ଏହି ହୋଟେଲରେ ଟ୍ରମ୍ପ ଦମ୍ପତିଙ୍କ ଭୋଜନର ମଧ୍ୟ ବିଶେଷ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ମୌର୍ଯ୍ୟର ଲୋକପ୍ରିୟ ବୁଖାରା ରେସ୍ତୋରାଁର ଏକଜିକ୍ୟୁଟିଭ୍‌ ସେଫ୍‌ଙ୍କ ଟିମ୍‌ ମେନ୍ୟୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ସ୍ୱତନ୍ତ୍ର ଭାବେ ଟ୍ରମ୍ପ ପ୍ଳେଟର ସାମିଲ ହେବ। ଟ୍ରମ୍ପଙ୍କ ଭୋଜନରେ ପରଷାଯିବ ଭାରତୀୟ ସ୍ୱାଦିଷ୍ଟ ଭୋଜନ ସହ ମିଠା । ଏହା ବ୍ୟତୀତ ଟ୍ରମ୍ପଙ୍କ ମନପସନ୍ଦର ଖାଦ୍ୟ ବେକନ ଓ ଅଣ୍ଡାକୁ ମଧ୍ୟ ମେନ୍ୟୁରେ ସାମିଲ କରାଯାଇଛି ।

Comments are closed.