Latest Odisha News

BREAKING NEWS

ଦୁର୍ଗମ ଗାଆଁ’ର ଦୃଢମନା ଝିଅ ମୁନି ଟିଗା; ଓଡ଼ିଶାର ପ୍ରଥମ ମହିଳା ଲୋକୋ ପାଇଲଟ୍‌

ସୁନ୍ଦରଗଡ ଜିଲ୍ଲାର ବଣଜଙ୍ଗଲ ଘେରା ରୁତକୁକୁଡି ଗାଁ । ଗରିବ କୃଷକ ପରିବାରର ଝିଅ ମୁନି ଟିଗା । ସାତ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ପରିବାର । ଘରେ ପାଠ ପଢିବା ତ ଦୂରେ ଥାଉ ଓଳିଏ ପେଟ ଭରି ଖାଇବା ମିଳିବା ବି ଥିଲା କଷ୍ଟକର । ପିଲାଟି ବେଳରୁ ମୁନିଙ୍କର କିନ୍ତୁ ପାଠ ପଢା ପ୍ରତି ପ୍ରବଳ ଆଗ୍ରହ ଥିଲା । ତେଣୁ ବାପା ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରେ ତାଙ୍କର ନାମ ଲେଖାଇଥିଲେ । ସେଠି ହଷ୍ଟେଲରେ ରହି ମୁନି ପାଠ ପଢିଲେ । ଦୁଇ ଓଳି ଖାଇବାକୁ ମିଳିବା ସାଙ୍ଗକୁ ପାଠପଢା ଆଗେଇ ଚାଲିଲା । ସବୁ ଶ୍ରେଣୀରେ ମୁନି ପ୍ରଥମ ହେଉଥାନ୍ତି । ଏହିପରି ଭାବେ ସେ ମାଟ୍ରିକ ପାସ ମଧ୍ୟ କରିଗଲେ । କିନ୍ତୁ ତା ପରେ ପାଠ ପଢିବା ପାଇ ଅର୍ଥ ସାଜିଲା ବାଧକ । ବାପା ଆଉ ଆଗକୁ ପଢାଇ ପାରିବେ ନାହିଁ ବୋଲି ମନା କରିଦେଲେ ।

କିନ୍ତୁ ମୁନିଙ୍କ ଆଗ୍ରହ କି ମନୋବଳ କମି ନ ଥିଲା । ନିଜେ କାମ କରି କିଛି ସଂଚୟ କରିବା ପରେ ହିଁ ସେ ପାଠ ପଢିବେ ବୋଲି ମନସ୍ଥ କଲେ । ଏଥିରେ ପରିବାର ଲୋକ ବି ହଁ ଭରିଲେ । କେତେବେଳେ ସେ ମୂଲ ଲାଗୁଥିଲେ ତ କେତେବେଳେ ଗାଇ ଚରାଇ ଅଳ୍ପ କିଛି ରୋଜଗାର କରୁଥିଲେ । ସେଇ ପାରିଶ୍ରମିକରେ ପାଠ ପଢିବା ସମ୍ଭବ ହେଲାନି ।

ସାମାନ୍ୟ ଅଧିକ ରୋଜଗାର କରିବା ଆଶାରେ ମୁନି ଗାଁଠୁ ୩୭ କିଲୋମିଟର ଦୂର ଏକ ଫ୍ୟାକ୍ଟ୍ରିରେ କାମ କଲେ । ଦିନକୁ ପାରିଶ୍ରମିକ ମିଳିଲା ୫୦ ଟଙ୍କା । କିନ୍ତୁ ଏତେ ଦୂର ରାସ୍ତା ଯିବା ପାଇଁ ସେ ପ୍ରାୟ ଭୋର ଚାରିଟାରୁ ସାଇକେଲରେ ବାହାରି ଯାଉଥିଲେ । ସେଠି ଆଠଟାରେ ପହଂଚି କାମ ଆରମ୍ଭ କରୁଥିଲେ । ଘରୁ ମାଆ ଯାହା ଖାଇବାକୁ ଦେଇଥିବେ ତାହା ଖାଇଦେଇ କାମ ସାରି ଘରକୁ ଫେରିଲା ବେଳକୁ ରାତି ନଅଟା । ପାରିଶ୍ରମିକରୁ ନିଜେ ୧୦ ଟଙ୍କା ରଖି ମାଆଙ୍କ ପାଖରେ ୪୦ଟଙ୍କା ଜମା ରଖୁଥିଲେ । ଦୁଇ ବର୍ଷ ପରେ ସଂଚୟ ଅର୍ଥ ନେଇ ଯୁକ୍ତ ଦୁଇ ପଢିଲେ ।

କିଛି କରିବାର ଲକ୍ଷ୍ୟ । ନିଜ ଆର୍ଥିକ ପରିସ୍ଥିତିକୁ ସୁଧାରିବା ପଣରେ ଥିବା ମୁନିଭ୍‌କୁ ଯେପରି ସାହାଯ୍ୟ କରିବା ପାଇଁ ବୋଧେ ଭଗବାନ ଥିଲେ । ତାଙ୍କର ସମ୍ପର୍କୀୟ ଭାଇମାନେ ତାଙ୍କୁ ବରଗଡ ଆଇଟିଆଇରେ ନାମ ଲେଖାଇ ଦେଇଥିଲେ । ସେଠି ପାଠ ପଢା ତ ଆରମ୍ଭ ହେଲା କିନ୍ତୁ ମାସକୁ ମେସ୍ ପଇସା ଦେବା ବି ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥାଏ । କେତେବେଳେ ସାଙ୍ଗସାଥୀ ତ କେତେବେଳେ ସମ୍ପର୍କୀୟ ଆଉ କେତେବେଳ କଲେଜର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହେଯାଗରେ ସେ ଇଲେକ୍ଟ୍ରିକାଲ୍ ଆଇଟିଆଇ ଶେଷ କଲେ ।

ଏହି ଭିତରେ ମୁନିଙ୍କର ବିବାହ ହୁଏ । କିନ୍ତୁ ସେ ସର୍ତ୍ତ ରଖିଲେ ଯେ ସେ ପାଠପଢା ଜାରି ରଖିବେ । ବାହାଘର ପରେ ପାଠପଢା ଦିଗରେ ସାହାଯ୍ୟ କଲେ ସ୍ୱାମୀ । ଶେଷ ହେଲା ଆଇଟିଆଇ ଶିକ୍ଷା । ଏହା ପରେ ଭାରତୀୟ ରେଳରେ ଲୋକୋ ପାଇଲଟ ବା ମାଲ୍‌ଗାଡ଼ି ଚଳାଇବା ପାଇଁ ପରୀକ୍ଷା ଦେଇ ସେ ସଫଳତାର ସହ ଉତ୍ତୀର୍ଣ ହେଲେ । ଆଜି ତାଙ୍କ ସଫଳତାରେ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ଗାଁ ଲୋକେ ବେଶ୍ ଗର୍ବିତ ।
ମୁନିଙ୍କ ଗାଁ ରୁତକୁକୁଡି ଏବେ ବି ବେଶ୍ ପଛରେ । ସେଠି ନାଁ ଅଛି ଭଲ ରାସ୍ତାଘାଟର ସୁବିଧା ନା ନିୟମିତ ବିଜୁଳି ସଂଯୋଗ । ଅଧିକାଂଶ ଗ୍ରାମବାସୀଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେମାନେ ପିଲାମାନଙ୍କୁ ମଧ୍ୟ ପଢାଇ ପାରୁନାହାନ୍ତି । ତେଣୁ ଏ ଦିଗରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ରଖିଛନ୍ତି ମୁନି ।

Leave A Reply

Your email address will not be published.