Latest Odisha News

କରୋନା ସଂକ୍ରମଣ ରୋକିବା ପାଇଁ ଆହାର କେନ୍ଦ୍ର ଖୋଲିବା ସମୟସୀମା ବଢ଼ିଲା   

ଭୁବନେଶ୍ୱର: ଜନଗହଳି ହେଉଥିବା ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଅଧିକ ସମ୍ଭାବନା ରହିଥିବାରୁ ରାଜ୍ୟର ଆହାର କେନ୍ଦ୍ର ଗୁଡିକର ଖୋଳିବା ସମୟସୀମା ବୃଦ୍ଧି କରାଯାଇଛି ।

ଆହାର କେନ୍ଦ୍ର ଗୁଡିକରେ ଖାଦ୍ୟ ମିଳିବା ସମୟରେ ଭିଡ଼ କମ କରିବା ପାଇଁ ଏଗୁଡିକ ଏବେ ଦିନ ୧୦ ଟାରୁ ଅପରାହ୍ନ ୪ ଟା ଯାଏଁ ଖୋଲା ରହିବ । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ସଚିବ ଏସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ, ମହାନଗର କମିଶନର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନୂଆ ନିୟମାବଳୀ ଅନୁଯାୟୀ କରୋନା ସଂକ୍ରମଣ ରୋକିବା ପାଇଁ ଆହାର କେନ୍ଦ୍ରକୁ ଆସୁଥିବା ସମସ୍ତ ଲୋକଙ୍କୁ ଧାଡିରେ ପରସ୍ପର ଠାରୁ ଦେଢ଼ ମିଟର ବ୍ୟବଧାନରେ ରଖାଯିବ । ଯଦି ଏଥିପାଇଁ କୌଣସି ପ୍ରକାର ଗଣ୍ଡଗୋଳ କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ନିକଟରେ ଉପସ୍ଥିତ ପୋଲିସ କିମ୍ବା ହୋମଗାର୍ଡଙ୍କ ସହାୟତା ନେବାକୁ ଏଥିରେ ଉଲ୍ଲେଖ ରହିଛି ।

ଭଲଭାବେ ସାବୁନରେ ହାତ ଧୋଇବା ଦ୍ୱାରା କରୋନା ସଂକ୍ରମଣ କମ ହେଉଥିବା ଦୃଷ୍ଟିରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ଭଲଭାବେ ହାତ ଧୋଇବା ପାଇଁ ସାବୁନ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।

ଆହାର କେନ୍ଦ୍ର କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଂସ୍ପର୍ଶକୁ କମ କରିବାପାଇଁ କର୍ତ୍ତୃପକ୍ଷଙ୍କୁ କୂପନ କାଉଣ୍ଟରରେ ଡ୍ରପ ବାକ୍ସ ବ୍ୟବସ୍ଥା କରିବାକୁ କୁହାଯାଇଛି ଯାହାଦ୍ୱାରା ଲୋକେ ବିନା ସ୍ପର୍ଶରେ ସେଥିରେ ଟଙ୍କା ପକାଇପାରିବେ ।

ସେହିଭଳି ସବୁ ଆହାର କେନ୍ଦ୍ରକୁ ସଫା ସୁତୁରା ରଖିବା ସହିତ ନିୟମିତ ସଫେଇ, ସାନିଟାଇଜ଼ର ବ୍ୟବହାର ସମେତ କର୍ମଚାରୀଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ଦୁରେଇରଖିବା ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥି ସହିତ ଆହାରକେନ୍ଦ୍ର ବାହାରେ ଅଇଁଠା ପ୍ଲେଟ ପକାଇବା ପାଇଁ ଡ଼ଷ୍ଟବିନ ବ୍ୟବସ୍ଥା ସହିତ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଏଥିରେ ନିର୍ଦ୍ଦେଶ ରହିଛି ।

Comments are closed.