Latest Odisha News

BREAKING NEWS

ଝାରସୁଗୁଡ଼ାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଓ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ନାମରେ ନାମିତ କରି ଉଡ଼ାଣ ଯୋଜନାରେ ପ୍ରଥମ ଯାତ୍ରୀବାହୀ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି ।

ଆଧୁନିକ ଓଡ଼ିଶା, ଆଧୁନିକ ଭାରତ ଏବଂ ଆଧୁନିକ ଭିତିଭୂମିର ନିଦର୍ଶନ ଭାବେ ଝାରସୁଗୁଡ଼ା ବିମାନବନ୍ଦର ମୁଣ୍ଡ ଟେକିଛି । ଏହି ବିମାନବନ୍ଦରକୁ ଉଦ୍ଘାଟନ କରି ସେ ଗୌରବାନ୍ୱିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଠାକୁ ଆସୁଥିବା ଦେଶ ବିଦେଶର ଯାତ୍ରୀମାନେ ବୀର ସୁରେନ୍ଦ୍ର ସାଏଙ୍କ ନାମ ଶୁଣି ତାଙ୍କ ବୀରତ୍ୱର ଗାଥାକୁ ମନେ ପକାଇବେ । ଝାରସୁଗୁଡ଼ା ବିମାନବନ୍ଦର ଏବେ ଭୁବନେଶ୍ୱର-ରାଂଚି-ରାୟପୁର ସହରକୁ ଯୋଡ଼ି ତ୍ରିବେଣୀ ସଂଗମର ସ୍ଥାନ ପାଲଟିବ । ବହୁଦିନ ପର୍ଯ୍ୟନ୍ତ ଏଭଳି ପ୍ରକଳ୍ପମାନ କାହିଁକି ପଡ଼ି ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗୁଜରାଟର କଛ ଅଂଚଳ ମରୁଭୂମି ଆଛାଦିତ । ତଥାପି ଏହି ଜିଲ୍ଲାରେ ୫ଟି ବିମାନବନ୍ଦର ରହିଛି । କିନ୍ତୁ ଓଡିଶା ଭଳି ରାଜ୍ୟରେ ମାତ୍ର ଦୁଇଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି । ଉଡ଼ାଣ ଯୋଜନାରେ ଆହୁରି ଅନେକ ବିମାନବନ୍ଦର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ।

ସ୍ୱାଧୀନତାଠାରୁ ଏପର୍ଯ୍ୟନ୍ତ ଦେଶରେ ମାତ୍ର ୪୫୦ଟି ଉଡ଼ାଜାହାଜ ରହିଥିଲା । ଏବେ ଗତ ପ୍ରାୟ ବର୍ଷକ ମଧ୍ୟରେ ୯୫୦ ଉଡ଼ାଜାହାଜ କ୍ରୟ କରିବା ଲାଗି ବରାଦ ହୋଇଛି । ଏଥିରୁ ଜଣାପଡୁଛି ଯେ ଦେଶରେ ବିମାନ ଚଳାଚଳ ସେବା ଉଡ଼ାଣ ଯୋଜନାରେ ବୃଦ୍ଧି ପାଇବାରେ ଲାଗିଛି । ଏହି ବିମାନବନ୍ଦର ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼ ଆଦି ଆଖପାଖ ଅଂଚଳରେ ପର୍ଯ୍ୟଟନ, ଶିଳ୍ପ ଓ ବେପାର ବଣିଜକୁ ବଢାଇବ ।

ସବ୍କା ସାଥ୍ ସବ୍କା ବିକାଶର ମହତ୍ୱ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ଉଡ଼ାଣ ଯୋଜନାରେ ଅନେକ ଅଂଚଳକୁ ଦେଶର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନ ମିଳିଛି । ଏହା ଆଂଚଳିକ ବୈଷମ୍ୟକୁ ମଧ୍ୟ ଦୂର କରିବ । ପଶ୍ଚିମ ଭାରତ ବିକାଶ କ୍ଷେତ୍ରରେ ଆଗୁଆ ରହିଥବାବେଳେ ପୂର୍ବ ଭାରତ ମଧ୍ୟ ତା ସହିତ ତାଳଦେଇ ଚାଲିବାକୁ ପଡ଼ିବ । ତେବେ ଏଥିଲାଗି ବିକାଶର ରାସ୍ତା ବାଛିବାକୁ ପଡ଼ିବ । ଆଉ ଦିନକ ପରେ ସେ ସିକିମ୍ରେ ମଧ୍ୟ ଏକ ନୂଆ ବିମାନବନ୍ଦରକୁ ଉଦ୍ଘାଟନ କରିବେ ।

ସେ କହିଥିଲେ ଯେ ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ହୋଇ ରହିଛି । ଏହାର ବିନିଯୋଗ ଦ୍ୱାରା ଓଡ଼ିଶା ଏବଂ ପୂର୍ବ ଭାରତର ବିକାଶ ସୁନିଶ୍ଚିତ ହେବ । ରେଳ ସଂଯୋଗ, ବିମାନ ସଂଯୋଗ, ସଡ଼କ ସଂଯୋଗ, ଜଳପଥ ସଂଯୋଗ ସାଙ୍ଗକୁ ସୂଚନା ହାଇୱେର ବିକାଶ ଆଧୁନିକ ଭାରତ ପାଇଁ ନିହାତି ଆବଶ୍ୟକ । ଆଦିବାସୀବହୁଳ ଅଂଚଳରେ ଏସବୁର ବିକାଶ ଦ୍ୱାରା ଆଂଚଳିକ ବୈଷମ୍ୟ ଦୂର କରାଯାଇପାରିବ ।

ସମାରୋହରେ ଯୋଗଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ  ସୁରେଶ ପ୍ରଭାକର ପ୍ରଭୁ କହିଥିଲେ ଯେ ଉଡ଼ାଣ ଯୋଜନାରେ ୫୬ ବିମାନବନ୍ଦର ଓ ୩୬ଟି ହେଲିପ୍ୟାଡ୍କୁ ବିକାଶିତ କରାଯାଉଛି । ଏହି ସମାରୋହରେ ରାଜ୍ୟପାଳ  ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ  ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାରୋହରେ ଗର୍ଜନବାହାଲ ଓ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ସହ ଝାରସୁଗୁଡ଼ା, ବରପାଲି, ସବ୍ଡେଗା ରେଳ ଲିଙ୍କ୍ କୁ ଲୋକାର୍ପଣ କରିଥିଲେ ।

ପରେ ଅମଲିପାଲିଠାରେ ଏକ ଜନସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡ଼ା-ସରଡେଗା ରେଳ ଲିଙ୍କ ଏବେ କୋଇଲା ଖଣିରୁ କୋଇଲା ଯୋଗାଣ ଲାଗି ଉତ୍ସର୍ଗୀକୃତ । କିନ୍ତୁ ଭବିଷ୍ୟତରେ ଏହି ରେଳପଥରେ ଯାତ୍ରୀ ପରିବହନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହେବ । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଗଠନ ପରେ ଭିତିଭୂମି, ରେଳପଥ ଓ ସଡ଼କ ନିର୍ମାଣ କାର୍ଯ୍ୟରେ ଢେର ଅଗ୍ରଗତି ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ୨୪ଟି ପ୍ରଧାନମନ୍ତ୍ରୀ କୌଶଳକେନ୍ଦ୍ର କାର୍ଯ୍ୟ କରୁଛି । ୨୦୨୪ ସୁଦ୍ଧା ୩ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ସ୍ୱରୋଜଗାର ଯୋଜନାରେ ୨୫ ହଜାର କୋଟି ଟଙ୍କା ବିନିଯୋଗ ହୋଇଛି ଏବଂ ମୁଦ୍ରା ଯୋଜନାରେ ଓଡ଼ିଶାରେ ୧ କୋଟିି ଋଣ ପ୍ରଦାନ କରାଯାଇଛି । ଏଣୁ ଓଡ଼ିଶାକୁ ମଧ୍ୟ ପୂର୍ବ ଭାରତର ଦ୍ରୁତ ବିକାଶରେ ଏକ ସକ୍ରିୟ ଭାଗିଦାର ହେବାର ବେଳ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ମଧ୍ୟ ଗଞ୍ଜନବାହଲ କୋଇଲା ଖଣି ଏବଂ ଝାରସୁଗୁଡ଼ା-ବରପାଲି ସର୍ଦେଗା ରେଳ ଲିଙ୍କ୍ କୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାର ମହାନ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଏହି ବିମାନ ବନ୍ଦରକୁ ନାମିତ କରିବାକୁ ପୂର୍ବରୁ ରାଜ୍ୟ ସରକାର ଅନୁରୋଧ କରିଥଲେ । ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ସ୍ୱାଧିନତା ସଂଗ୍ରାମରେ ଅବଦାନ ଅନସ୍ୱୀକାର୍ଯ୍ୟ” ।

ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରରେ କହିଛନ୍ତି, “ରାଜ୍ୟ ସରକାର ବିମାନବନ୍ଦର ଲାଗି ମାଗଣାରେ ୧୨୦ ଏକର ଜମି ପ୍ରଦାନ କରିବା ସହିତ ରାଜ୍ୟ ପାଣ୍ଠିରୁ ୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି” ।

 

Leave A Reply

Your email address will not be published.