ପଟିଆଲା : ରବିବାର ସକାଳେ ଦୁର୍ବୃତଙ୍କ ଆକ୍ରମଣରେ ପଂଜାବ ପୋଲିସ ଏଏସ୍ଆଇ ହରଜିତ୍ ସିଂଙ୍କ କଟି ଯାଇଥିବା ହାତକୁ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଯୋଡିବାରେ ସଫଳ ହୋଇଥିବା ସୂଚନା ମିଳିଛି ।
ଏ ସମ୍ପର୍କରେ ଟ୍ୱିଟ୍ରେ ସୂଚନା ଦେଇ ପଂଜାବ ପୋଲିସ ମହାନିର୍ଦ୍ଦେଶକ ପିଜିଆଇର ପ୍ଲାଷ୍ଟିକ ସର୍ଜରୀ ମୁଖ୍ୟ ସଫଳତାର ସହ ଅସ୍ତ୍ରୋପଚାର କରି କଟା ହାତ ଯୋଡିଥିବା କହିଛନ୍ତି ।
ତେବେ ଆଗାମୀ ପାଞ୍ଚ ଦିନ ପରେ ଏଥି ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପଟିଆଲା ପରିବା ହାଟଠାରେ କର୍ଫ୍ୟୁ ଲାଗୁ କରୁଥିବା ବେଳେ କିଛି ଦୁର୍ବୃତ ହଠାତ୍ ଆକ୍ରମଣ କରିବା ଫଳରେ ଏଏସ୍ଆଇ ହରଜିତ ସିଂଙ୍କ ଗୋଟିଏ ହାତ କଟିଯାଇଥିଲା । ଅନ୍ୟ କିଛି ପୋଲିସ ଅଧିକାରୀ ଓ ହାଟ ବୋର୍ଡ ଅଧିକାରୀ ଆହତ ହୋଇଥିଲେ ।
ଏହି ଘଟଣାରେ ୧୧ଜଣ ଅଭିଯୁକ୍ତଙ୍କୁ ୟୁଏପିଏ, ଏକ୍ସପ୍ଲୋସିଭ ଆକ୍ଟ, ଆର୍ମସ୍ ଆକ୍ଟ ଏବଂ ଏନଡିପିଏସ୍ ଆକ୍ଟ ଅନ୍ତର୍ଗତ ବିଭିନ୍ନ ଧାରାରେ ଗିରଫ କରାଯାଇଥିବା ପଂଜାବ ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଏହି ଘଟଣାର ତଦନ୍ତ ୧୦ ଦିନ ଭିତରେ ସମ୍ପୂର୍ଣ୍ଣ କରାଯାଇ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର ପାଇଁ ଅଣାଯିବ ବୋଲି ସେ କହିଛନ୍ତି ।